ସଙ୍କଟରେ ଏୟାର ଇଣ୍ଡିଆ କର୍ମଚାରୀ! ୬ ମାସ ଭିତରେ କ୍ୱାଟର ଖାଲି କରିବାକୁ ମିଳିଲା ନୋଟିସ୍‌

ଏୟାର ଇଣ୍ଡିଆର ନିଲାମୀ ପରଠାରୁ ଏହାର କର୍ମଚାରୀମାନଙ୍କ ଉପରେ ସଙ୍କଟ ମାଡ଼ି ଆସିଛି। କମ୍ପାନୀର କର୍ମଚାରୀମାନଙ୍କୁ କ୍ୱାଟର ଛାଡ଼ିବାକୁ ନୋଟିସ୍‌ ଦିଆଯାଇଛି, ଯାହାକୁ ନେଇ କର୍ମଚାରୀ ସଙ୍ଘ ରାଗିଯିବା ସହିତ ହଡ଼ତାଳ କରିବାକୁ ଧମକ ଦେଇଛି। କର୍ମଚାରୀମାନଙ୍କୁ ଜାରି ନୋଟିସ୍‌ରେ କୁହାଯାଇଛି ଯେ ଏୟାର ଇଣ୍ଡିଆ ଓ ଟାଟା ଗ୍ରୁପ୍‌ ମଧ୍ୟରେ ହୋଇଥିବା ବିନିବେଶ ଡିଲ୍‌ର ଶେଷ ତାରିଖଠାରୁ ୬ ମାସ ଭିତରେ କର୍ମଚାରୀମାନେ ମୁମ୍ବାଇର କଲିନାସ୍ଥିତ ଆବାସକୁ ଛାଡ଼ି ଦିଅନ୍ତୁ। ଏହି ନୋଟିସ୍‌ ମିଳିବା ପରଠାରୁ ହିଁ ଏୟାର ଇଣ୍ଡିଆ କର୍ମଚାରୀମାନେ ବ୍ୟସ୍ତ ବିବ୍ରତ ହୋଇପଡ଼ିଛନ୍ତି।

ଘଟଣା ପରେ ଏୟାର ଇଣ୍ଡିଆ ୟୁନିୟନର ଜଏଣ୍ଟ ଆକ୍ସନ କମିଟି ବୁଧବାର ମୁମ୍ବାଇ ରିଜିଓନାଲ ଲେବର କମିଶନରଙ୍କୁ ନିଜର ଉତ୍ତର ରଖି ଏକ ନୋଟିସ୍‌ ଜାରି କରିଛି, ଯେଉଁଥିରେ କୁହାଯାଇଛି, ଏହି ନିଷ୍ପତ୍ତି ବିରୋଧରେ କର୍ମଚାରୀମାନେ ୨ ନଭେମ୍ବରରୁ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରିବେ। କହି ରଖୁଛୁ, ନିୟମ ମୁତାବକ, ଆନ୍ଦୋଳନ କରିବା ପୂର୍ବରୁ ସଙ୍ଘକୁ ୨ ସପ୍ତାହ ପୂର୍ବରୁ ନୋଟିସ୍‌ ଦେବାକୁ ପଡ଼ିଥାଏ।

ଏକ ରିପୋର୍ଟ ମୁତାବକ, ମୁମ୍ବାଇର କଲିନାସ୍ଥିତ କଲୋନୀରେ ରହୁଥିବା ଏୟାର ଇଣ୍ଡିଆ କର୍ମଚାରୀମାନଙ୍କୁ ୫ ଅକ୍ଟୋବରରେ ଏକ ନୋଟିସ୍‌ ମିଳିଥିଲା। ଏଥିରେ କୁହାଯାଇଛି, କର୍ମଚାରୀମାନେ ୨୦ ଅକ୍ଟୋବର ଭିତରେ ଲେଖିକି ଦେବେ ଯେ ଏୟାରଲାଇନ ଘରୋଇକରଣ ହେବାର ୬ ମାସ ଭିତରେ ସେମାନେ କ୍ୱାଟର ଖାଲି କରିଦେବେ।

କହି ରଖୁଛୁ, ଏୟାର ଇଣ୍ଡିଆର ନିଜ କଲୋନୀ ମୁମ୍ବାଇର କଲିନା ଏବଂ ଦିଲ୍ଲୀର ଉବେର ପୋସ୍‌ ଅଞ୍ଚଳରେ ଅଛି। ରିପୋର୍ଟ ମୁତାବକ, ଏହି ନୋଟିସ୍‌ ଦୁଇଟି ସ୍ଥାନ ପାଇଁ ଦିଆଯାଇଛି। କର୍ମଚାରୀ ସଙ୍ଘର ଅଧିକାରୀମାନେ ଏ ନେଇ ପ୍ରତିଦିନ ବୈଠକ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.