ବ୍ଯସ୍ତ ହୁଅନ୍ତୁ ନାହିଁ, ଫାସଟ୍ଯାଗ୍ ପାଇଁ ଆଉ ଦେଢ଼ମାସ ସମୟ ଦେଲେ ସରକାର

ଦେଶରେ ଜାତୀୟ ରାଜପଥରେ ଥିବା ଟୋଲ ପ୍ଲାଜାରେ ଟୋଲ କଲେକ୍ସନ କରିବା ପାଇଁ ଫାସଟ୍ଯାଗ୍ ନିହାତି ଜରୁରୀ। ତେବେ ଏହି ନିୟମ ଜାନୁଆରୀ ୧ ତାରିଖରୁ ଆରମ୍ଭ ହେବାର ଥିଲା । କିନ୍ତୁ ଏହି ତାରିଖକୁ ଆଉ ଦେଢ଼ ମାସ ଘୁଞ୍ଚାଇ ଦିଆଯାଇଛି। ଯଦି ଆପଣଙ୍କ ଚାରିଚକିଆ ବାହନରେ ‘ଫାସଟ୍ୟାଗ୍’ ଲଗାଇ ନାହାନ୍ତି, ତେବେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ଏବେ ଜାତୀୟ ରାଜମାର୍ଗ ପ୍ରାଧିକରଣଙ୍କ ଏହି ଚିପ୍ ଶୁଳ୍କବ୍ୟବସ୍ଥା ୧ ଜାନୁଆରୀ ନୁହେଁ ୧୫ ଫେବ୍ରୁଆରୀରୁ ଦେଶରେ କଡାକଡି ହେବ। ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ (ଏନଏଚଏଆଇ) ଏ ନେଇ ସୂଚନା ଜାରି କରିଛନ୍ତି ।

ଏନଏଚଏଆଇଙ୍କ ସୂଚନା ଅନୁସାରେ ଟୋଲ ଟ୍ରାଞ୍ଜାକ୍ସନରେ ଏବେ ଫାସଟ୍ଯାଗ୍ ଭାଗିଦାରୀ ୭୫ରୁ ୮୦ ପ୍ରତିଶତକୁ ପହଞ୍ଚିଲାଣି। ସରକାର ଏହାକୁ ଏବେ ୧୦୦ ପ୍ରତିଶତରେ ପହଞ୍ଚାଇବାକୁ ଚାହାନ୍ତି। ଏଣୁ ପ୍ରତ୍ୟେକ ବାହନରେ ଫାସଟ୍ଯାଗ୍ ଜରୁରୀ କରାଯାଇଛି। ଲୋକେ ମଧ୍ୟ ଟୋଲ ପ୍ଲାଜାରେ ଲମ୍ବାଧାଡିରେ ଦୀର୍ଘ ସମୟ ଅପେକ୍ଷା କରିବା ବଦଳେ ଫାସଟ୍ୟାଗରେ ଦ୍ରୁତ ପାର କରିବାକୁ ଚାହାନ୍ତି।

ଦେଶରେ ୧ ଡିସେମ୍ବର ୨୦୧୭ରୁ ନୂଆ ବାହନ କ୍ରୟ ବେଳେ ଫାସଟ୍ୟାଗ ଅନିବାର୍ଯ୍ୟ କରିଦିଆଯାଇଛି। ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ମୋଟର ବାହନ ଆଇନ ୧୯୮୯ରେ ସଂଶୋଧନ କରିଥିଲେ। ଦେଶରେ ନ୍ୟାସନାଲ ପରମିଟ ଥିବା ବାହନଙ୍କ ଲାଗି ୧ ଅକ୍ଟୋବର ୨୦୧୯ରୁ ଫାସଟ୍ୟାଗ ଅନିବାର୍ଯ୍ୟ କରାଯାଇଛି। ଏବେ ଥାର୍ଡ ପାର୍ଟି ଇନସ୍ୟୁରାନ୍ସ ଲାଗି ମଧ୍ୟ ଏହାକୁ ଜରୁରୀ କରାଯାଇଛି। ଯାହା ଦେଶରେ ୧ ଏପ୍ରିଲ ୨୦୨୧ରୁ ଲାଗୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.