Walt Disney World ରେ କରୋନା ଯୋଗୁଁ ଚାଲିଛି କର୍ମଚାରୀ ଛଟେଇ, ଚାକିରି ହରାଇବେ ୧୧ ହଜାର କର୍ମଚାରୀ

କରୋନା ଭାଇରସ ମହାମାରୀ ସମଗ୍ର ବିଶ୍ବକୁ ଗୁରୁତର ଭାବେ ପ୍ରଭାବିତ କରିଛି। ବାଣିଜ୍ୟ, ବ୍ୟବସାୟ ହ୍ରାସ ହୋଇଥିବା ବେଳେ ସବୁ କ୍ଷେତ୍ରରେ ଛଟେଇ ହେଉଛି। ଏହି କ୍ରମରେ ଏଣ୍ଟରଟେନମେଣ୍ଟ କମ୍ପାନୀ ୱାଲ୍ଟ ଡିଜନୀରେ କର୍ମଚାରୀ ଛଟେଇ ଆରମ୍ଭ ହୋଇଛି। କମ୍ପାନୀ ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିବେ ବୋଲି ଘୋଷଣା କରିଛନ୍ତି। ଏହି ଛଟେଇ ଚଳିତବର୍ଷ ଶେଷ ପର୍ଯ୍ୟନ୍ତ ଜାରି ରହିବ ବୋଲି କମ୍ପାନୀ ସୂତ୍ରରୁ ସୂଚନା ମିଳିଛି।

କମ୍ପାନୀଙ୍କ ଏହି ନିଷ୍ପତ୍ତି ପରେ ଫ୍ଲୋରିଡାସ୍ଥିତ କମ୍ପାନୀରୁ ଛଟେଇ କର୍ମଚାରୀଙ୍କ ସଂଖ୍ୟା ୧୮ ହଜାରରେ ପହଞ୍ଚିଯିବ ବୋଲି ଏକ ଆକଳନ କରାଯାଇଛି। କର୍ମଚାରୀଙ୍କ ଛଟେଇ ନେଇ ଡିଜନୀ ୱାର୍ଲଡ ସ୍ଥାନୀୟ ରାଜନେତାଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି। କମ୍ପାନୀଙ୍କ ସୂଚନା ଅନୁସାରେ ଛଟେଇ ହେବାକୁ ଥିବା ୧୧ହଜାର ୩୫୦ ୟୁନିୟନ ୱାର୍କରଙ୍କ ମଧ୍ୟରୁ ଅଧିକାଂଶ ପାର୍ଟ ଟାଇମ୍ ୱାର୍କର। ଏହା ପୂର୍ବରୁ କମ୍ପାନୀ ଛଟେଇ କରିଥିବା ୬ ହଜାର ୪ଶହ ନନ୍ ୟୁନିୟନ ୱାର୍କରଙ୍କ ସମ୍ପର୍କରେ ଜଣାଇଥିଲେ।

disney

ଆକ୍ଟର୍ସ ଇକ୍ୱଟି ଆସୋସିଏସନ ଅନୁସାରେ କମ୍ପାନୀ ଚଳିତ ସପ୍ତାହ ପ୍ରାରମ୍ଭରେ ୭୨୦ ଡିଜନୀ ୱାର୍ଲଟ ୱାର୍କର୍ସ ଓ ସିଙ୍ଗରଙ୍କୁ ଛଟେଇ କରିଛନ୍ତି। କରୋନା ଭାଇରସ ମହାମାରୀ ଲାଗି ଫ୍ଲୋରିଡା ରିଜର୍ଟରେ ଅନେକ ଦିନରୁ ଲାଇଭ ଏଣ୍ଟରଟେନମେଣ୍ଟ ସୋ ବନ୍ଦ ହୋଇଯାଇଛି। ଏଣୁ ଏହି କଳାକାରମାନଙ୍କର କୌଣସି କାମ ନଥିଲା। କର୍ମଚାରୀ ଛଟେଇ ଲାଗି ଡିଜନୀ ୱାର୍ଲଡ ଗତମାସରେ ନିଷ୍ପତ୍ତି ନେଇଥିଲେ। କମ୍ପାନୀ ମୋଟ ୨୮ ହଜାର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବେ ବୋଲି ଜଣାପଡିଛି।

ଦେଶରେ କରୋନା ଭାଇରସ ସଂକ୍ରମଣ ପରେ ୱାଲ୍ଟ ଡିଜନୀର ସମସ୍ତ ଆମ୍ୟୁଜମେଣ୍ଟ ପାର୍କ ବନ୍ଦ ରହିଛି। ଏଥିରେ ଫ୍ଲୋରିଡା ପାର୍କ କିଛି ସମୟ ପୂର୍ବରୁ ଖୋଲିଥିଲା। ତେବେ କରୋନା ଜନିତ କଟକଣା ଲାଗି ତାହା ମଧ୍ୟ ଠିକରେ ଚାଲି ପାରୁନାହିଁ। ଏଣୁ କମ୍ପାନୀ କର୍ମଚାରୀ ଛଟେଇ ଭଳି କଠିନ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.