ଛତିଶଗଡ଼: ଭୋଟିଂ ବେଳେ ନକ୍ସଲ କଲେ ବୋମା ବିସ୍ଫୋରଣ, CRPFର ସହକାରୀ କମାଣ୍ଡର ଆହତ

ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଶୁକ୍ରବାର ନକ୍ସଲ ଆକ୍ରମଣ ହୋଇଛି । ନକ୍ସଲଙ୍କ ଦ୍ୱାରା କରାଯାଇଥିବା ପ୍ରେସର ବୋମା ବିସ୍ଫୋରଣରେ ସିଆର୍‌ପିଏଫ୍‌ର ଜଣେ ସହକାରୀ କମାଣ୍ଡର ଆହତ ହୋଇଛନ୍ତି ।

ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଶୁକ୍ରବାର ନକ୍ସଲ ଆକ୍ରମଣ ହୋଇଛି । ଏଠାରେ ନକ୍ସଲଙ୍କ ଦ୍ୱାରା କରାଯାଇଥିବା ପ୍ରେସର ବୋମା ବିସ୍ଫୋରଣରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌)ର ଜଣେ ସହକାରୀ କମାଣ୍ଡର (କମାଣ୍ଡାଣ୍ଟ) ଆହତ ହୋଇଛନ୍ତି । କହି ରଖୁଛୁ, ବିଜାପୁର ଜିଲ୍ଲା ବସ୍ତର ଲୋକସଭା ନିର୍ବାଚନମଣ୍ଡଳୀରେ ଆସୁଛି । ଏଠାରେ ସାଧାରଣ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି ।

ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ, ଜିଲ୍ଲାର ଭେରମ୍‌ଗଡ଼ ଥାନା ଅଧୀନ ଚିହକା ମତଦାନ କେନ୍ଦ୍ର ନିକଟରେ ନକ୍ସଲମାନେ ପ୍ରେସର ବୋମା ବିସ୍ଫୋରଣ କରିଥିଲେ । ଏଥିରେ ସିଆର୍‌ପିଏଫ୍‌ର ସହକାରୀ କମାଣ୍ଡର ମନୁ ଏଚ୍‌ସି ଆହତ ହୋଇଛନ୍ତି ।

ସେ କହିଛନ୍ତି ଯେ ଭେରମ୍‌ଗଡ଼ରେ ସୁରକ୍ଷା ବାହିନୀର ଯବାନମାନେ ନକ୍ସଲ ବିରୋଧୀ ଅଭିଯାନ ଚଲାଇଥିଲେ । ଯେତେ ବେଳେ ସେମାନେ ଚିହକା ମତଦାନ କେନ୍ଦ୍ର ନିକଟରେ ଥିଲେ, ସେହି ସମୟରେ ମନୁଙ୍କ ପାଦ ହଠାତ୍‌ ଏକ ପ୍ରେସର ବୋମା ଉପରେ ପଡ଼ି ଯାଇଥିଲା, ଯାହାଫଳରେ ବିସ୍ଫୋରଣ ହୋଇଥିଲା । ଏଥିରେ ଅଧିକାରୀଙ୍କ ବାମ ଗୋଡ଼ ଏବଂ ବାମ ହାତରେ ଆଘାତ ଲାଗିଛି । ଆହତ ଅଧିକାରୀଙ୍କୁ ପ୍ରାଥମିକ ଉପଚାର ପରେ ସେହି ଅଞ୍ଚଳରୁ ବାହାରକୁ ନିଆଯାଉଛି ।

ସୂଚନାଯୋଗ୍ୟ, ବସ୍ତର ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନରେ ମୋଟ ଆଠଟି ବିଧାନସଭା ନିର୍ବାଚନମଣ୍ଡଳୀ ଆସୁଛି । ବସ୍ତର ଅଞ୍ଚଳରେ ମୋଟ ୧୪,୭୨,୨୦୭ ମତଦାତା ଅଛନ୍ତି । ସେମାନଙ୍କ ମଧ୍ୟରେ ମହିଳା ଭୋଟର ୭,୭୧,୬୭୯ ଜଣ ଥିବାବେଳେ ପୁରୁଷ ଭୋଟର ଅଛନ୍ତି ୭,୦୦୪୭୬ ଜଣ । ମୋଟ ୧୯୬୧ଟି ମତଦାନ କେନ୍ଦ୍ର ଏଠାରେ ସ୍ଥାପନ କରାଯାଇଛି ।

ବସ୍ତରର ପୋଲିସ ଇନ୍ସପେକ୍ଟର ସୁନ୍ଦରରାଜ ପି. କହିଛନ୍ତି ଯେ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ସୁରକ୍ଷା ବାହିନୀର ୬୦ ହଜାରରୁ ଅଧିକ ଯବାନଙ୍କୁ ନିୟୋଜିତ କରାଯାଇଛି । ନକ୍ସଲମାନଙ୍କ ଦ୍ୱାରା ନିର୍ବାଚନ ବହିଷ୍କାର ଘୋଷଣାକୁ ଦୃଷ୍ଟିରେ ରଖି ସୁରକ୍ଷା ବାହିନୀକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.