ଆଜିଠୁ ମହଙ୍ଗା ହେଲା ମଦର ଡେୟରୀ କ୍ଷୀର, ଏବେ ଲିଟର ପିଛା ଦେବାକୁ ପଡ଼ିବ ଏତିକି ଟଙ୍କା

ନୂଆଦିଲ୍ଲୀ: ଅଗ୍ରଣୀ ଦୁଗ୍ଧ ବିକ୍ରି କମ୍ପାନୀ ‘‘ମଦର ଡେୟରୀ’’ ଦୁଗ୍ଧ ଦର ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି କରଛି। ଦର ବଢ଼ିବା ପରେ ଗାଈ କ୍ଷୀର ମୂଲ୍ୟ ଏବେ ଲିଟରକୁ ୪୪ ଟଙ୍କା ହୋଇଛି। ତେବେ କେବଳ ଦିଲ୍ଲୀ ଏନ୍‌ସିଆର୍‌ରେ ହିଁ ଏହି ଦର ଲାଗୁ ହେବ। ସେହିପରି ଅଧ ଲିଟର ଦୁଗ୍ଧ ପାଇଁ ଏବେ ୨୩ ଟଙ୍କା ଦେବାକୁ ପଡ଼ିବ। ଶୁକ୍ରବାର ଠାରୁ ଏହି ବର୍ଦ୍ଧିତ ମୂଲ୍ୟରେ କ୍ଷୀର ବିକ୍ରି ହେବ ବୋଲି ଜଣାଯାଇଛି।

ଏହାସହ ପଢନ୍ତୁ: UIDAI ଜାରି କଲା ଏହି ନୂଆ ନିୟମ, ଆପଣଙ୍କ ଆଧାର କାର୍ଡରେ ତ୍ରୁଟି ରହିଥିଲେ କରନ୍ତୁ ଏପରି ସମାଧାନ

ବେପାରୀଙ୍କଠାରୁ ଦୁଗ୍ଧ କିଣିବା ବେଳେ ଅଧିକ ଦାମ୍‌ ଦେବାକୁ ପଡ଼ୁଥିବାରୁ କମ୍ପାନୀ ତରଫରୁ ଏଭଳି ଦର ବୃଦ୍ଧି କରାଯାଇଥିବା କୁହାଯାଇଛି। କେବଳ ଗାଈ କ୍ଷୀରର ଦାମ୍‌ ବଢ଼ିଥିବା ବେଳେ କମ୍ପାନୀ ଅନ୍ୟ କୌଣସି କ୍ଷୀରର ମୂଲ୍ୟ ବୃଦ୍ଧି କରିନାହିଁ। ପୂର୍ବରୁ ମଧ୍ୟ ମେ’ମାସରେ କମ୍ପାନୀ ଫୁଲ କ୍ରିମ୍‌ ଦୁଧର ଦର ବଢ଼ାଇଥିଲା।

ମଦର ଡେୟରୀ ପକ୍ଷରୁ କୁହାଯାଇଛି ଯେ ଗତ ଦୁଇ ତିନି ମାସ ହେଲା କମ୍ପାନୀକୁ ଗାଈ କ୍ଷୀରର କିଣିବାକୁ ଲିଟର ପିଛା ୨.୫୦ରୁ ୩ଟଙ୍କା ପର୍ଯ୍ୟନ୍ତ ଅଧିକ ଦେବାକୁ ପଡ଼ୁଛି। ଏଭଳି ସ୍ଥିତିରେ କମ୍ପାନୀ ବାଧ୍ୟ ହୋଇ ମୂଲ୍ୟ ବୃଦ୍ଧି କରିଛି। ସେପ୍ଟେମ୍ବର ୬ ରୁ ଅଧ ଲିଟର ଗାଈ କ୍ଷୀର ପାଇଁ ୨୩ ଟଙ୍କା ଏବଂ ୧ ଲିଟର ପାଇଁ ୪୪ ଟଙ୍କା ଦେବାକୁ ପଡ଼ିବ। ତେବେ ମଦର ଡେୟରୀର ମୂଲ୍ୟ ବୃଦ୍ଧି ପରେ ଅନ୍ୟ କମ୍ପାନୀ ମଧ୍ୟ ସେମାନଙ୍କ ଉତ୍ପାଦର ମୂଲ୍ୟ ବଢ଼ାଇବା ନେଇ ଆଶଙ୍କା ଦେଖାଦେଇଛି।