ସାଧାରଣ ଲୋକଙ୍କୁ ଲାଗିଲା ଝଟକା: ପୁଣି ବଢ଼ିଲା କ୍ଷୀର ଦାମ୍, ଆଜି ଠାରୁ ଲାଗୁ ହେଲା ନୂଆ ରେଟ୍

ନୂଆଦିଲ୍ଲୀ : ସାଧାରଣ ଲୋକଙ୍କୁ ଲାଗିଛି ପୁଣି ଝଟକା। ବର୍ତ୍ତମାନ ସମୟରେ ଦେଶରେ ମହଙ୍ଗା ମାଡ଼ ଜାରି ରହିଥିବା ବେଳେ ପୁଣି ଏକ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ବଢ଼ିଛି । ପୁଣି ଥରେ କ୍ଷୀର ଦାମ୍ ବଢ଼ିଛି । ଏହା ଫଳରେ ଗ୍ରାହକଙ୍କୁ ପୂର୍ବାପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ମଦର ଡେୟରୀ ପକ୍ଷରୁ କ୍ଷୀର ଦର ବୃଦ୍ଧି କରାଯାଇଛି ।

ମଦର ଡେୟରୀ ଦିଲ୍ଲୀ –ଏନସିଆରରେ ଫୁଲ କ୍ରିମ୍‌ କ୍ଷୀରର ଦାମ୍‌ ୧ ଟଙ୍କା ପ୍ରତି ଲିଟର ଓ ଟୋକନ କ୍ଷୀରର ଦାମ ୨ ଟଙ୍କା ପ୍ରତି ଲିଟର ବଢ଼ାଇ ଦେଇଛି । ନୂଆ ଦାମ୍‌ ଆଜି ଅର୍ଥାତ୍‌ ୨୧ ନଭେମ୍ୱର ଠାରୁ ଲାଗୁ ହେବ। ମଦର ଡେୟରୀ କହିଛି , ମୂଲ୍ୟ ବୃଦ୍ଧି ଯୋଗୁଁ ସେ ଏହି ବୃଦ୍ଧି କରିଛି। ଆଜି ଠାରୁ ଫୁଲ କ୍ରିମ କ୍ଷୀରର ମୂଲ୍ୟ ଲିଟର ପିଛା ୬୩ ରୁ ୬୪ କୁ ବୃଦ୍ଧି ପାଇଛି। ସେହିପରି ଟୋକନ କ୍ଷୀରର ମୂଲ୍ୟ ୪୮ ଟଙ୍କାରୁ ବୃଦ୍ଧି ପାଇ ଏବେ ୫୦ ଟଙ୍କାରେ ପହଞ୍ଚି ଯାଇଛି । ତେବେ ୫୦୦ ଏମଏଲ୍ ପ୍ୟାକେଟରେ ବିକ୍ରି ହୋଇଥିବା ଫୁଲ କ୍ରିମ କ୍ଷୀରର ମୂଲ୍ୟରେ କମ୍ପାନୀ କୌଣସି ପରିବର୍ତ୍ତନ କରିନାହିଁ।

ମଦର ଡେୟରୀ ରବିବାର (ନଭେମ୍ବର ୨୦) ସୂଚନା ଦେଇଛି ଯେ ସୋମବାର ଠାରୁ ଦିଲ୍ଲୀ-ଏନସିଆରରେ ଫୁଲ୍ କ୍ରିମ୍ କ୍ଷୀରର ଲିଟର ପିଛା ୧ ଟଙ୍କା ଓ ଟୋକେନ୍ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ମଦର ଡେୟରୀ ଚଳିତ ବର୍ଷ ଚତୁର୍ଥ ଥର ପାଇଁ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି।

ଦୁଗ୍ଧ ଚାଷୀଙ୍କ ଠାରୁ କଞ୍ଚା ଦୁଗ୍ଧ କ୍ରୟ ମୂଲ୍ୟ ବୃଦ୍ଧି ହେତୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ମଦର ଡେୟରୀର ମୁଖପାତ୍ର କହିଛନ୍ତି। ଏହା ମଧ୍ୟ କହିଛନ୍ତି ମଦର ଡାଏରୀ ଏହି ମୂଲ୍ୟ ବୃଦ୍ଧି ପାଇଁ କୃଷକଙ୍କ କଞ୍ଚା ଦୁଗ୍ଧ କ୍ରୟର ମୂଲ୍ୟ ବୃଦ୍ଧିକୁ ଦାୟୀ କରିଛି । ଚଳିତ ବର୍ଷ ଡାଏରୀ ଉଦ୍ୟୋଗରେ ଦୁଗ୍ଧର ଡିମାଣ୍ଡ ଓ ସପ୍ଲାଇରେ ମଧ୍ୟ ବହୁ ଅନ୍ତର ଦେଖିବାକୁ ମିଳୁଛି । ଚାରା ଏବଂ ଚୋକଡର ଦାମ୍ ମଧ୍ୟ ବଢ଼ିବାରେ ଲାଗିଛି ଏଥି ସହିତ ପାଣିପାଗର ପରିବର୍ତ୍ତନ ହେଉଛି ତେଣୁ କଞ୍ଚା ଦୁଗ୍ଧ ଉପଲବ୍ଧତା ପ୍ରଭାବିତ ହୋଇଛି ।

ଏହା ପୂର୍ବରୁ ଅକ୍ଟୋବରରେ, ମଦର ଡେୟରୀ ଦିଲ୍ଲୀ-ଏନସିଆର ଏବଂ ଉତ୍ତର ଭାରତର ଅନ୍ୟାନ୍ୟ ବଜାରରେ ଫୁଲ୍ କ୍ରିମ୍ କ୍ଷୀର ଏବଂ ଗାଈ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଥିଲା। ମାର୍ଚ୍ଚ ଏବଂ ଅଗଷ୍ଟ ମାସରେ ମଧ୍ୟ ସମସ୍ତ ପ୍ରକାର କ୍ଷୀର ପାଇଁ ଲିଟର ୨ ଟଙ୍କା ବୃଦ୍ଧି କରାଯାଇଥିଲା। ଅକ୍ଟୋବରରେ ମଧ୍ୟ ଅମୁଲ ଗୁଜୁରାଟ ବ୍ୟତୀତ ସମସ୍ତ ରାଜ୍ୟରେ ଫୁଲ୍ କ୍ରିମ୍ କ୍ଷୀର ଏବଂ ମଇଁଷି କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.