ଭାରତର ସବୁଠୁ ବଡ଼ ବ୍ୟାଙ୍କ ଏସ୍ବିଆଇ ଗ୍ରାହକଙ୍କ ପାଇଁ କେତେକ ନୂଆ ନିୟମ ନେଇ ଆସିଛି। ଜୁନ୍ ୧୦ ବା ଆଜିଠାରୁ ଏସ୍ବିଆଇରେ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଏହାର ଫାଇଦା କୋଟି କୋଟି ଗ୍ରାହକ ନେଇପାରିବେ। ଆସନ୍ତୁ ଜାଣିବା କେଉଁ ସବୁ ବ୍ୟାଙ୍କ ନିୟମରେ ପରିବର୍ତ୍ତନ ହୋଇଛି…
ଜୁନ୍ ୧୦ରୁ ଏସ୍ବିଆଇ ନିଜ କୋଷର ଏମ୍ସିଏଲ୍ଆରରେ ୦.୨୫ ପ୍ରତିଶତ କାଟ୍ କରିବାକୁ ଘୋଷଣା କରିଛି। ଏହି କାଟ୍ ପରେ ବର୍ଷିକିଆ ବୈଧତାଯୁକ୍ତ ଏମ୍ସିଏଲ୍ଆର ଦର ୭.୨୫ ପ୍ରତିଶତରୁ କମି ୭ ପ୍ରତିଶତ ହୋଇଛି। ସୂଚନାଯୋଗ୍ୟ ଯେ ବ୍ୟାଙ୍କ ତରଫରୁ ଲଗାତାର ୧୩ ଥର ପାଇଁ ଏମ୍ସିଏଲଆର ଦରରେ କାଟ୍ କରାଯାଇଛି। ଏହା ପୂର୍ବରୁ ଏସ୍ବିଆଇ ବାହାର ବେଞ୍ଚ୍ମାର୍କର ସହ ଜଡ଼ିତ ସୁଧ ହାର(ଇବିଆର)କୁ ୭.୦୫ ପ୍ରତିଶତ କମାଇ ବର୍ଷକୁ ୬.୬୫ ପ୍ରତିଶତ କରିଥିଲା। ଏଥିସହ ରେପୋ ରେଟ୍ ସହ ଜଡ଼ିତ ସୁଧହାରକୁ ୬.୬୫ ପ୍ରତିଶତରୁ କମାଇ ୬.୨୫ ପ୍ରତିଶତ କରିଦେଇଛି। ତେବେ ଏହି ନୂଆ ଦର ଜୁଲାଇରୁ ଲାଗୁ ହେବ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ ଯେ କରୋନା ସଙ୍କଟ ସମୟରେ ଋଣ ଦେବା ଉପରେ ବ୍ୟାଙ୍କ ଅଧିକ ଗୁରୁତ୍ୱ ଦେଉଛି। ଏଥିପାଇଁ ରିଜର୍ଭ ବ୍ୟାଙ୍କ ତରଫରୁ ବ୍ୟାଙ୍କକୁ ପ୍ରୋତ୍ସାହନ ମଧ୍ୟ ଦିଆଯାଉଛି। ଏହି କାରଣରୁ ରିଜର୍ଭ ବ୍ୟାଙ୍କ ଲକ୍ଡାଉନ୍ରେ ଦୁଇଥର ରେପୋ ରେଟ୍ ହ୍ରାସ କରିଛି।