ଆପଣଙ୍କ ଦରମା ଯଦି ଏତିକି ଟଙ୍କାରୁ କମ୍ ତେବେ ଆପଣଙ୍କୁ ଧରାଯିବ ଅତ୍ୟନ୍ତ ଗରୀବ ଶ୍ରେଣୀର, ବିଶ୍ୱ ବ୍ୟାଙ୍କ୍ର ଘୋଷଣା କଲା ନୂଆ ମାନକ
ନୂଆଦିଲ୍ଳୀ : ବିଶ୍ୱ ବ୍ୟାଙ୍କ୍ ମଝିରେ ମଝିରେ ଦରଦାମ ଓ ଜୀବନ ଯାପନରେ ଖର୍ଚ୍ଚ ବୃଦ୍ଧି ସହ ଅନ୍ୟ କିଛି ମାନକ ଆଧାରରେ ଅତ୍ୟନ୍ତ ଗରୀବ ଶ୍ରେଣୀରେ ପରିବର୍ତ୍ତନ କରିଥାଏ । ନିକଟରେ ବିଶ୍ୱ ବ୍ୟାଙ୍କ୍ ଅତ୍ୟନ୍ତ ଗରୀବ ବ୍ୟକ୍ତି ବା ବିପିଏଲ ଶ୍ରେଣୀରେ ପରିବର୍ତ୍ତନ କରିଥାଏ । ନୂଆ ମାନକ ଅନୁସାରେ ଏବେ ଦୈନିକ ୨.୧୫ ଡଲାର ବା ୧୬୭ ଟଙ୍କାରୁ ଯଦି କମ୍ ଆୟ ହୁଏ ତେବେ ସେମାନଙ୍କୁ ବିପିଏଲ ବା ବୋଲି ଧରାଯିବ ।
ଏଥି ପୂର୍ବରୁ ପ୍ରତି ଦିନ ୧୪୭ ଟଙ୍କା ଆୟ କରୁଥିବା ବ୍ୟକ୍ତିକୁ ଅତ୍ୟନ୍ତ ଗରୀବ ବୋଲି ମନାଯାଉଥିଲା । ୟୁକ୍ରେନ ଓ ଋଷ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଯୋଗୁ ସାରା ବିଶ୍ୱରେ ଦରଦାମ ବୃଦ୍ଧି ପାଇଛି । ତେଣୁ ଏହି ନୂଆ ମାନକକୁ ଚଳିତ ବର୍ଷ ଶେଷ ସୁଦ୍ଧା ବିଶ୍ୱ ବ୍ୟାଙ୍କ ଲାଗୁ କରିଦେବ ବୋଲି ଜଣାପଡ଼ିଛି ।
୭୦ କୋଟିରୁ ବଢ଼ିପାରେ ବିପିଏଲ ସଂଖ୍ୟା
ବିଶ୍ୱ ବ୍ୟାଙ୍କ ୨୦୧୭ ର ଦରଦାମ ଆଧାରରେ ନୂଆ ବୈଶ୍ୱିକ ଗରୀବ ରେଖା ୨.୧୫ ଡଲାରରେ ନିର୍ଦ୍ଧାରଣ କରାଯାଇଛି । ଅର୍ଥାତ ଏବେ ଯେଉଁ ବ୍ୟକ୍ତି ଦୈନିକ ୨.୧୫ ଡଲାର ବା ୧୬୭ ଟଙ୍କାରେ ନିଜର ଗୁଜୁରାଣ କରୁଛନ୍ତି ତାଙ୍କୁ ଅତ୍ୟଧିକ ଗରୀବ ଶ୍ରେଣୀର ବୋଲି ଧରାଯିବ । ୨୦୧୭ ରେ ଏହି ସଂଖ୍ୟା ୭୦ କୋଟିରେ ରହିଥିଲା ଏବେ ଏହା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।
ଭାରତରେ କମ ହେଉଛନ୍ତି ଗରୀବ ସଂଖ୍ୟା
ଭାରତରେ ବିପିଏଲ ସ୍ଥିତି ୨୦୧୧ ତୁଳନାରେ ୨୦୧୯ ରେ ୧୨.୦୩ ପ୍ରତିଶତ କମିଛି । ଗ୍ରାମୀଣ ଗରିବ ସଂଖ୍ୟା ମଧ୍ୟ କମିଛି । ଅର୍ଥାତ ଗାଁ ଲୋକଙ୍କର ମଧ୍ୟ ଅମଦାନୀ ବଢ଼ିଛି । ୨୦୧୧ ରେ ଗ୍ରାମୀଣ କ୍ଷେତ୍ରରେ ୨୨.୦୫ ପ୍ରତିଶତ ଗରୀବ ଥିବା ବେଳେ ୨୦୧୯ ରେ ଏହା ଅଧା ହ୍ରାସ ପାଇ ୧୦.୦୨ ରେ ପହଞ୍ଚିଛି । ଅର୍ଥାତ ଗ୍ରାମୀଣ କ୍ଷେତ୍ରରେ ଅତ୍ୟନ୍ତ ଗରୀବଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇଛି ।
କ୍ଷୁଦ୍ର ଚାଷୀଙ୍କ ଆୟରେ ବୃଦ୍ଧି
କ୍ଷୁଦ୍ର ଚାଷୀଙ୍କ ଆମଦାନୀରେ ଦ୍ରୁତ ଭାବେ ଅଭିବୃଦ୍ଧି ଘଟିଛି । ୨୦୧୩ ଓ ୨୦୧୯ ମଧ୍ୟରେ ବାର୍ଷିକ ୧୦ ପ୍ରତିଶତ ବୃଦ୍ଧି ଘଟିଥିବା ଜଣାଯାଇଛି । ତେବେ ବଡ଼ ଚାଷୀଙ୍କ ଆୟରେ କମ୍ ଅର୍ଥାତ ମାତ୍ର ୨ ପ୍ରତିଶତ ବୃଦ୍ଧି ଘଟିଛି ।