ବଦଳିଲା ପ୍ୟାକେଜିଂ ନିୟମ, ନୂଆ ବ୍ୟବସ୍ଥା ଏପ୍ରିଲରୁ ଲାଗୁ; ବଜାରରୁ ଜିନିଷ କିଣିଲା ବେଳେ ପ୍ୟାକେଟ୍‌ ଉପରେ ନିଶ୍ଚୟ ଦେଖିବେ ଏହି ସବୁ ତଥ୍ୟ

ଆପଣ ବି ପ୍ୟାକେଟ୍‌ ସିଲ୍‌ ଜିନିଷ କିଣନ୍ତି କି, ତା’ହେଲେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଏହାରି ଭିତରେ କେନ୍ଦ୍ର ସରକାର ଏକ ନୂଆ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍‌ ଆସନ୍ତା ବର୍ଷ ଏପ୍ରିଲରୁ ସରକାର ପ୍ୟାକେଜିଂର ନୂଆ ନିୟମ ଲାଗୁ କରୁଛନ୍ତି। ଏହି ନିୟମ ମୁତାବକ, ଜିନିଷ ଉତ୍ପାଦନ କରୁଥିବା କମ୍ପାନୀଗୁଡ଼ିକୁ MRP ସହିତ ପ୍ୟାକେଟ୍‌ ଉପରେ ଦ୍ରବ୍ୟର ପ୍ରତି ୟୁନିଟ୍‌ ବା ପ୍ରତି କିଲୋ ପିଛା ମୂଲ୍ୟ ଲେଖିବାକୁ ପଡ଼ିବ। ଏହାର ଅର୍ଥ ହେଲା, ଯଦି କୌଣସି ପ୍ୟାକେଟ୍‌ ଆଇଟମ୍‌ରେ ୧ କିଲୋ କିମ୍ବା ୧ ଲିଟରରୁ କମ୍‌ ଜିନିଷ ପ୍ୟାକ୍‌ କରାଯାଇଛି, ତ ତାହା ଉପରେ ପ୍ରତି ଗ୍ରାମ କିମ୍ବା ପ୍ରତି ମିଲିଲିଟର ହିସାବରେ ମୂଲ୍ୟ ଲେଖିବାକୁ ପଡ଼ିବ। ସେହିପରି ଯଦି ୧ କିଲୋଗ୍ରାମରୁ ଅଧିକ ଜିନିଷ ଅଛି, ତ ସେଥିରେ ୧ କିଲୋ କିମ୍ବା ୧ ଲିଟର ହିସାବରେ ମୂଲ୍ୟ ଲେଖିବାକୁ ପଡ଼ିବ। ଏହି ତରିକାରେ ପ୍ୟାକେଜ୍‌ଡ ଜିନିଷ ଉପରେ ମିଟର କିମ୍ବା ସେଣ୍ଟିମିଟର ହିସାବରେ ମଧ୍ୟ ମୂଲ୍ୟ ଲେଖିବାକୁ ପଡ଼ିବ।

୧୯ ଆଇଟମ୍‌ ଉପରେ ନିୟମ ଲାଗୁ

ଭାରତ ସରକାର ଲିଗାଲ ମେଟ୍ରୋଲୋଜି (Packet Commodity Rules)ରେ ପରିବର୍ତ୍ତନ କରିଛନ୍ତି। ଏଥିରେ କ୍ଷୀର, ଚା’, ବିସ୍କୁଟ, ଖାଇବା ତେଲ, ଅଟା, ସଫ୍ଟ ଡ୍ରିଙ୍କ୍‌ ଏବଂ ଡ୍ରିଙ୍କିଙ୍ଗ୍‌ ଓ୍ଵାଟର, ବେବି ଫୁଡ୍‌, ଡାଲି ଓ ଖାଦଶସ୍ୟ, ସିମେଣ୍ଟ ବ୍ୟାଗ୍‌, ବ୍ରେଡ୍‌ ଏବଂ ଡିଟରଜେଣ୍ଟ ଭଳି ୧୯ ପ୍ରକାରର ଆଇଟମ୍‌ ସାମିଲ ଅଛି। ଏଥି ସହିତ ନିୟମରେ ଆଉ ଏକ ବଡ଼ ପରିବର୍ତ୍ତନ କରାଯାଇଛି କି, ଆମଦାନୀ କରାଯାଇଥିବା ପ୍ୟାକେଟ୍‌ ଆଇଟମ୍‌ ଉପରେ ଉତ୍ପାଦନ ବର୍ଷ, ମାସ ଏବଂ ତାରିଖ ବିଷୟରେ ସୂଚନା ଦେବା ବହୁତ ଜରୁରୀ।

କ’ଣ ହେବ ସୁବିଧା

ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି ଯେ କୌଣସି ବି ପ୍ରଡକ୍ଟର କ୍ୱାଲିଟି ତା’ର ଉତ୍ପାଦନ ଡେଟ୍‌ରୁ ଧାର୍ଯ୍ୟ କରାଯାଇ ପାରିବ। ଏହି କାରଣରୁ ଏବେ ଆମଦାନୀ ପ୍ରଡକ୍ଟ ଉପରେ ଉତ୍ପାଦନର ଡେଟ୍‌ ଲେଖିବା ବାଧ୍ୟତାମୂଳକ କରି ଦିଆଯାଇଛି। ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟ ନିୟମଗୁଡ଼ିକରେ ପରିବର୍ତ୍ତନକୁ ସୂଚିତ କରି ଦେଇଛି। ନୂଆ ନିୟମରେ ପ୍ରମୁଖ ପରିବର୍ତ୍ତନ କୌଣସି ପ୍ୟାକେଟ୍‌ରେ ସାମଗ୍ରୀର ମାତ୍ରା ଏବଂ ୟୁନିଟ୍‌ ମୂଲ୍ୟ ସମ୍ବନ୍ଧିତ ରହିଛି। ଅଧିକାରୀ କହିଛନ୍ତି କି, ଗ୍ରାହକମାନଙ୍କ ସମ୍ମୁଖରେ ଏବେ ଏହା ଜାଣିବାର ବିକଳ୍ପ ରହିବ କି, ସେମାନଙ୍କୁ ପ୍ରତି ଗ୍ରାମ ସାମଗ୍ରୀ ପିଛା କେତେ ଟଙ୍କା ଦେବାକୁ ପଡ଼ୁଛି। ଏହାଦ୍ୱାରା ସାମଗ୍ରୀ ଉତ୍ପାଦନ କରୁଥିବା କମ୍ପାନୀଗୁଡ଼ିକୁ ମଧ୍ୟ ନିଜ ଗ୍ରାହକମାନଙ୍କୁ ଠିକ୍‌ ତଥ୍ୟ ଦେବାରେ ସହଜ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.