Below header

ମାତ୍ର ୧୦ ପ୍ରତିଶତ ଲୋକ ଅମାନିଆ ହେଉଛନ୍ତି, ଏବେ ଠାରୁ ଆହୁରି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ : ବାଗଚି

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟ ବାହାରେ ଥିବା ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର ଚିନ୍ତାରେ ଅଛନ୍ତି । ସେମାନଙ୍କୁ ସେହି ଜାଗାରେ ରହିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ପ୍ରାୟ ୧ ଲକ୍ଷ ୨୦ ହଜାର ଓଡ଼ିଆ ଏବେ ବାହାର ରାଜ୍ୟରେ ଫସି ରହିଛନ୍ତି । ସେମାନଙ୍କ ପାଇଁ ଆମ ସରକାର ସଂପୃକ୍ତ ସରକାରଙ୍କ ସହ ଆଲୋଚନା କରି ଖାଦ୍ୟପେୟ ଓ ରହଣିର ବ୍ୟବସ୍ଥା କରିଛନ୍ତି ବୋଲି ଆଜି ଅପରାହ୍ନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ କୋଭିଡ୍‌-୧୯ର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ସେହି ସବୁ ରାଜ୍ୟରେ ଥିବା ଓଡ଼ିଆ ସଂଗଠନ ଏବଂ ଓଡ଼ିଆ ବ୍ୟକ୍ତି ବିଶେଷ ଏଥିରେ ସହଯୋଗର ହାତ ବଢ଼ାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ସେହିପରି ଆମ ରାଜ୍ୟରେ ଥିବା ବାହାର ରାଜ୍ୟର ଶ୍ରମିକଙ୍କ ପାଇଁ ରାଜ୍ୟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ୨୦ ହଜାର ଶ୍ରମିକଙ୍କ ପାଇଁ ରହିବା ଓ ଖାଇବାର ବ୍ୟବସ୍ଥା ହୋଇଛି । ସେମାନେ ସୁରକ୍ଷିତ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି । ସେମାନେ ଆମର ଅତିଥି ଅଛନ୍ତି ତେଣୁ ସେମାନଙ୍କ ଧ୍ୟାନ ରଖିବା ଆମର ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ବାଗଚି କହିଛନ୍ତି ।

ଆହୁରି କଠୋର ହେବ ପୋଲିସ୍‌, ହେଲେ ଆଇନ୍‌ ଉଲ୍ଲଂଘନକାରୀଙ୍କ ପାଇଁ

ରାଜ୍ୟରେ କେବଳ ୧୦ ପ୍ରତିଶତ ଲୋକ ଲକ୍‌ଡାଉନ୍‌ ନିୟମକୁ ମାନୁ ନାହାନ୍ତି । ଯାହାଙ୍କ ପାଇଁ ଅନ୍ୟ ୯୦ ପ୍ରତିଶତ ଲୋକ ହଇରାଣରେ ପଡ଼ିବେ । ତେଣୁ ଲୋକଙ୍କ ସୁରକ୍ଷା ନିମନ୍ତେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ସୂଚନା ଦେଇଛନ୍ତି ସୁବ୍ରତ ବାଗଚି ।
ଏହା ପରେ ପୋଲିସ୍‌ ଡିଜି ଅଭୟ କହିଥିଲେ କରୋନା ବିଭୀଷିକା ସମୟରେ ଯେ ପୋଲିସ୍‌ ଦିନରାତି କାମ କରୁଛି । ସମ୍ପୂର୍ଣ୍ଣ ରାଜ୍ୟ ପୋଲିସ୍‌ ଏହି କାମରେ ଲାଗିଛି । ଜନସାଧାରଣଙ୍କ ସୁରକ୍ଷା ଦାୟିତ୍ୱ ହେଉଛି ପୋଲିସ୍‌ର । ତେଣୁ ଏହି ସମୟରେ ଏହାକୁ ଟିକେ କଠୋର ହେବାକୁ ପଡୁଛି । ତେବେ ପୋଲିସ୍‌ କାହାକୁ ଖରାପ ବ୍ୟବହାର କରିବ ନାହିଁ କିନ୍ତୁ ଆଇନ୍‌ ଭାଙ୍ଗିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବ ବୋଲି ପୋଲିସ୍‌ ଡିଜି ଅଭୟ କହିଛନ୍ତି । ସେହିପରି କ୍ୱାରେଣ୍ଟାଇନ୍‌ ଉଲ୍ଲଂଘନ କରୁଥିବା ଲୋକଙ୍କ ବିରୋଧରେ ଆମେ ଅଧିକ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ମାମଲା ରୁଜୁ କରିବୁ। ସେଥିପାଇଁ ସମସ୍ତେ ପୋଲିସ୍‌କୁ ସହଯୋଗ କରିବା ଲାଗି ସେ ଅନୁରୋଧ କରିଛନ୍ତି ।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ମଧ୍ୟ ପୋଲିସ୍‌କୁ ତାର ନିଷ୍ଠା ଏବଂ କର୍ତ୍ତବ୍ୟବୋଧ ପାଇ ଧନ୍ୟବାଦ ଜଣାଇବା ସହିତ ରାଜ୍ୟବାସୀଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ।

ରାଜ୍ୟରେ ଆଉ ପଜେଟିଭ୍‌ ବଢ଼ି ନାହାନ୍ତି

ଏଯାଏ ରାଜ୍ୟରେ ୩୭୦ ନମୂନା ଯାଞ୍ଚ ହୋଇଛି ଏବଂ ସେହି ୩ଟି ପଜେଟିଭ୍‌ ହିଁ ବାହାରିଛି । ବୋଲି ବାଗଚି ସୂଚନା ଦେଇଛନ୍ତି । ଏହା ସହିତ ପୁଣି ଥରେ ହାତ ଧୋଇବା ଏବଂ ମୁହଁରେ ହାତ ନମାରିବାକୁ ପରାମର୍ଶ ଦେଇଛନ୍ତି ।
କୋଭିଡ୍‌ ହସପିଟାଲରେ ମାଗଣା ଚିକିତ୍ସା
ଖୁବ୍‌ ଶୀଘ୍ର କାର୍ଯ୍ୟକ୍ଷମ ହେବ ସ୍ୱତନ୍ତ୍ର କୋଭିଡ୍‌ ହସପିଟାଲ । ଏଥିରେ ରୋଗୀଙ୍କୁ ମାଗଣାରେ ଚିକିତ୍ସା କରାଯିବ । ଚିକିତ୍ସା ନିମନ୍ତେ ଯାହା ଯାହା ଆବଶ୍ୟକ ସେ ସବୁ ରାଜ୍ୟ ସରକାର ଯୋଗାଇ ଦେବେ ବୋଲି ବାଗଚି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.