Below header

ଓଡ଼ିଶାର ତୃତୀୟ ପଜେଟିଭ୍‌ ବ୍ୟକ୍ତି ୧୧୨ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି : ସୁବ୍ରତ ବାଗଚୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟରେ ଏପର୍ଯ୍ୟନ୍ତ ୩ ଜଣ କରୋନା ପଜେଟିଭ୍‌ ଅଛନ୍ତି । ପ୍ରଥମ ଦୁଇଜଣ ସୁସ୍ଥ ଥିବା ବେଳେ ସେମାନଙ୍କ ଠାରେ ଆଉ କରୋନା ଲକ୍ଷଣ ନାହିଁ । ଅନ୍ୟପକ୍ଷରେ କ୍ୟାପିଟାଲ ହସପିଟାଲରେ ଚିକିତ୍ସାଧୀନ ତୃତୀୟ ବ୍ୟକ୍ତି ବି ସୁସ୍ଥ ହେଉଛନ୍ତି । ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କୋଭିଡ-୧୯ର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ।


ତୃତୀୟ ପଜେଟିଭ୍‌ ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ବ୍ୟାଙ୍କ କର୍ମଚାରୀ ଏବଂ ସେ ଦିଲ୍ଲୀରୁ ଇଣ୍ଡିଗୋ ବିମାନରେ ଫେରିବା ବେଳେ ୩୨ ଜଣଙ୍କ ସହ, ଘରେ ନିଜର ପତ୍ନୀ, ଝିଅ ଓ କର୍ମଚାରୀ, ବ୍ୟାଙ୍କରେ ୪୪ ଜଣ, କ୍ଲିନିକ୍‌ରେ ୩୧ ଜଣ, ରକ୍ତ ପରୀକ୍ଷା ହୋଇଥିବା ପାଥୋଲାବ୍‌ରେ ୩ ଜଣ ଏହିପରି ମୋଟ୍‌ ୧୧୨ ଜଣ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି । ଏମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୧୫ ଜଣଙ୍କୁ ଚିହ୍ନଟ କରାଯାଇ ପାରି ନାହିଁ । ମୋଟ୍‌ ୧୧ ଜଣଙ୍କର ନମୂନା ପରୀକ୍ଷା କରାଯାଇଛି । ସେଥିରୁ ଜଣକର ନେଗେଟିଭ୍‌ ଆସିଥିବା ବେଳେ ଅନ୍ୟମାନଙ୍କର ରିପୋର୍ଟ ଆସି ନାହିଁ । ଆଜି ସୁଦ୍ଧା ୭୦୮୦ ଜଣ ପଞ୍ଜୀକରଣ କରିଛନ୍ତି । ଇଣ୍ଡିଗୋ ବିମାନରେ ୩୨ ଜଣଙ୍କ ସଂପସ୍ପର୍ଶରେ ଆସିଥିଲେ ।

ମିଳିବ ରନ୍ଧାଖାଦ୍ୟ ଓ ସହାୟତା ରାଶି

ଲକ୍‌ଡାଉନ୍‌ ସମୟରେ ରାଜ୍ୟରେ କେହି ଭୋକିଲା ରହିବେ ନାହିଁ । ନିରାଶ୍ରୟ, ଦୁଃସ୍ଥମାନଙ୍କୁ ଖାଦ୍ୟ ରନ୍ଧା ଯାଇ ଦିଆଯିବ । ସେମାନେ ରନ୍ଧାଖାଦ୍ୟ ଘରକୁ ନେଇ ଖାଇବେ । ଆହୁରି ମଧ୍ୟ ୧୧୪ଟି ପୌରାଞ୍ଚଳରେ ଥିବା ୬୫ ହଜାର ପଞ୍ଜୀକୃତ ଉଠା ଦୋକାନୀଙ୍କୁ ୩ ହଜାର ଲେଖାଏଁ ସହାୟତା ଦିଆଯିବ ।

ସହଯୋଗ ପାଇଁ ଅନୁରୋଧ

ବଡ଼ ବଡ଼ ସଂସ୍ଥା, ବ୍ୟକ୍ତିବିଶେଷ ସରକାରଙ୍କୁ କରୋନା ଲଢ଼େଇରେ ରାଜ୍ୟ ସରକାରଙ୍କୁ ସହାୟତା କରି ପାରିବେ । ଏ ନେଇ ମୁଖ୍ୟ ଶାସନ ସଚିବଙ୍କ ସହ ଯୋଗାଯୋଗ କରି ପାରିବେ ।

ରାଜ୍ୟ ବାହାରେ ଥିବା ଲୋକଙ୍କ ପାଇଁ ହେଲପଲାଇନ୍‌

ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କ ପାଇଁ ରାଜ୍ୟ ସରକାର ଆଉ ଏକ ସ୍ୱତନ୍ତ୍ର ହେଲପଲାଇନ୍‌ ବ୍ୟବସ୍ଥା କରିଛନ୍ତି । ସେହି ଲୋକମାନେ ଏହି ନମ୍ବରରେ ୦୬୭୪୨୩୯୨୧୧୫ (06742392115) କିମ୍ବା ମୋବାଇଲ ହ୍ଵାଟସ ଆପ୍‌ ନମ୍ବର ୯୪୩୮୯୧୫୯୮୬ (9438915986)ରେ ଯୋଗାଯୋଗ କରିବେ ।
ସେହିପରି ଓଡ଼ିଶାରେ ରହୁଥିବା ବାହାର ରାଜ୍ୟର ଲୋକମାନେ ନିଜ ରାଜ୍ୟକୁ ଯିବା ପାଇଁ ୧୮୦୦୩୪୫୬୭୦୩ (18003456703) ଫୋନ୍‌ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି । ଶ୍ରମ ବିଭାଗ ପକ୍ଷରୁ ରାଜ୍ୟରେ ଥିବା ବାହାର ରାଜ୍ୟର ୯ ହଜାର ଶ୍ରମଜୀବୀଙ୍କୁ ଯୋଗାଯୋଗ କରାଯାଇଛି । ସେମାନଙ୍କ ପାଇଁ ସରକାରଙ୍କ ତରଫରୁ ଖାଦ୍ୟପେୟ, ରହଣି ବ୍ୟବସ୍ଥା କରାଯିବା ସହ ସଂପୃକ୍ତ ରାଜ୍ୟକୁ ଯୋଗାଯୋଗ କରାଯାଇଛି ।

ହେଲପଲାଇନ୍‌ ଘଣ୍ଟାଏ ବନ୍ଦ ରହିବ

କରୋନା ପାଇଁ କରାଯାଇଥିବା ସ୍ୱତନ୍ତ୍ର ହେଲପ୍‌ ଲାଇନ୍‌ ‘୧୦୪’ର ଆଧୁନିକୀକରଣ କରାଯିବ । ସେଥିପାଇଁ ଆସନ୍ତାକାଲି ସକାଳ ୬ରୁ ୭ଟା ଯାଏ ଏହା ବନ୍ଦ ରହିବ । ଏଥିରେ ଜନସାଧାରଣ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ବାଗଚୀ ।

ପଶୁଖାଦ୍ୟ ମିଳିବ

ଗୋଖାଦ୍ୟ, କୁକୁଡ଼ା ଖାଦ୍ୟ ଆଦିକୁ ପଶୁଖାଦ୍ୟକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଗଣନା କରାଯାଉଛି । ତେଣୁ ଏହାର ବିକ୍ରିକୁ ସ୍ୱାଭାବିକ କରାଯିବ । ଏସବୁ ସ୍ୱତନ୍ତ୍ର ଦୋକାନ ସହ ତେଜରାତି ଦୋକାନରେ ମଧ୍ୟ ବିକ୍ରି ହେବ ।

ସକାଳ ସୁଦ୍ଧା ୩୨୪ଟି ମାମଲା ରୁଜୁ

ରାଜ୍ୟରେ ଲୋକେ ସଚେତନ ହେଲେଣି । ତଥାପି ଗତକାଲି ସକାଳ ଠାରୁ ଆଜି ସକାଳ ଭିତରେ ଲକ୍‌ଡାଉନ୍‌ ଭାଙ୍ଗି ବାହାରେ ବୁଲିବା ଅଭିଯୋଗରେ ମୋଟ୍‌ ୩୨୪ଟି ମାମଲା ରୁଜି ହୋଇଛି । ଏଥିରେ ୩୦୮ କେବଳ ବାହାରେ ବୁଲିବା ଏବଂ ୧୫ଟି କ୍ୱାରେଣ୍ଟାଇନ୍‌ ଅମାନ୍ୟ କରିବା ମାମଲା ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.