ଖରାପ ଭାବନ୍ତୁ ନାହିଁ, ଏବେ ପରା କରୋନା ଟାଇମ୍‌ ! ଆମ ସହ କଥା ହେବାକୁ ଫୋନ୍‌ କରନ୍ତୁ ନହେଲେ ଭିଡିଓ କଲ୍‌ କରନ୍ତୁ

କରୋନାର ପ୍ରହାର । ସାମାଜିକ, ଆର୍ଥିକ, ଶାରୀରିକ ଓ ମାନସିକ ପ୍ରତ୍ୟେକ ସ୍ତରକୁ ଆଘାତ କରିଛି । ସେ ଥିଲେ ବିପଦ, ନଥିଲେ ବି ବିପଦ । କାଳେ ଆସିବ ତାକୁ ନେଇ ଡର ଲାଗି ରହିଛି । ସାମାଜିକ ଦୂରତା ହେଉଛି ଏହି ରୋଗର ଏକ ଉପଚାର କହିଲେ ଭୁଲ ହେବ ନାହିଁ । ତେବେ ଏହି ସାମାଜିକ ଦୂରତା ଆମକୁ ଟିକେ ଅସାମାଜିକ କରିବାକୁ ବାଧ୍ୟ କରିଛି । ଏବେ ଆମେ ଆଉ ଆମ ଘରେ କୌଣସି ବାହାର ଲୋକଙ୍କୁ ପୂରାଇ ଦେବୁ ନାହିଁ । କାରଣ କିଏ ଜାଣେ କାହା ଭିତରେ କରୋନା ଭାଇରସ୍‌ ଥିବ ? ଭୁବନେଶ୍ୱରର ଅନେକ ଆପାର୍ଟମେଣ୍ଟରେ ଏବେ ବାହାର ଲୋକଙ୍କ ପାଇଁ ଗେଟ୍‌ ବନ୍ଦ । ନିଜ ସମ୍ପର୍କୀୟଙ୍କୁ ବି ଛାଡୁ ନାହାନ୍ତି ସୁରକ୍ଷା କର୍ମୀ । ତେଣୁ ଆମେ ଏବେ କେବଳ ଆମ ନିଜ ପରିବାର ଭିତରେ ହିଁ ସୀମିତ ରହିବା । ଏହାଛଡ଼ା ଆଉ ଚାରା ନାହିଁ । କାରଣ କରୋନା ଆମକୁ ଗୋଡ଼ାଇଛି । କରୋନାକୁ ନିଜ ଠାରୁ ଓ ନିଜ ପରିବାର ଠାରୁ ଦୂରେଇ ରଖିବାର ଆଉ କୌଣସି ବାଟ ନାହିଁ । ତେଣୁ ଘରେ କବାଟ କିଳି ରହିବାକୁ ପଡ଼ିବ ଏବଂ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଘରୁ ଜଣେ ମାତ୍ର ବାହାରକୁ ଯିବେ । ଆଉ ଫେରିବା ପରେ ସ୍ୱଚ୍ଛତା ପ୍ରତି ଖୁବ୍‌ ଧ୍ୟାନ ଦିଅନ୍ତୁ ।

FAMILY-2

ଘରେ ରହି ଏଭଳି କିଛି କରନ୍ତୁ, ଯେଉଁଥିରେ ପାରିବାରିକ ସମ୍ପର୍କ ଆହୁରି ନିବିଡ଼ ହେବ

ଏବେ ସମ୍ପର୍କ କେବଳ ଫୋନ୍‌ରେ । ସିଧାସଳଖ ମୁହଁ ଦେଖି କଥା ହେବାକୁ ହେଲେ ଭିଡିଓ କଲ୍‌ କରନ୍ତୁ । ହେଲେ ସୋସିଆଲ ମିଡିଆରେ କୌଣସି ମ୍ୟାସେଜ ପାଇଲେ ତାକୁ ଆଗେ ଭଲ ଭାବେ ପରଖି ନିଅନ୍ତୁ । ନିଜେ କୌଣସି ମିଛ ଖବର ସେୟାର କରନ୍ତୁ ନାହିଁ । କାରଣ ଜାଣିଛନ୍ତି ଏହାକୁ ନେଇ ସରକାର ଶକ୍ତ ପଦକ୍ଷେପ ନେବା ସହ ଗିରଫ ବି କରି ନେଉଛନ୍ତି ।
ନିଜ ଘର ଭିତରେ ବନ୍ଦୀ ରହି ପରିବାର ସଦସ୍ୟଙ୍କ ସହ ଦିନ ଦିନ ଧରି କାଟିବା ସହଜ ହେବ ନାହିଁ । ବିଶେଷ କରି ଯେଉଁ ପୁରୁଷ ଓ ମହିଳାମାନେ ଚାକିରି କରୁଛନ୍ତି ସେମାନଙ୍କ ପାଇଁ ଏତେ ସମୟ ଘରେ ବିତାଇବା ସହଜ ହେବ ନାହିଁ । ତେବେ ଇଏ ହେଉଛି ଆପଣଙ୍କ ଧୈର୍ଯ୍ୟ ଓ ମାନସିକ ଶକ୍ତିର ପରୀକ୍ଷା ସମୟ । ସୀମିତ ଜାଗାରେ, ସୀମିତ ସୁବିଧା ସୁଯୋଗ ଭିତରେ, ସୀମିତ ଲୋକଙ୍କ ମଧ୍ୟରେ ଆମକୁ ରହିବାକୁ ପଡ଼ିବ । ତେବେ ଆପଣଙ୍କ ହାତରେ ଥିବା ମୋବାଇଲ୍‌ ଓ ଘରେ ଥିବା ଟେଲିଭିଜନ୍‌ ଆପଣଙ୍କୁ ଅନେକ ସହଯୋଗ କରିବ ।

FAMILY-3

ଅବଶ୍ୟ ଏମିତିରେ ଆମେ ବୋଇଲ୍‌ ସହିତ ଏତେ ଜଡ଼ିତ ହୋଇଯାଛନ୍ତି ଯେ ଆମକୁ ହୁଏତ ଏକା ଏକା ଲାଗିବ ନାହିଁ । ତେବେ ଏସବୁ ଭିତରେ ଏକ ବଡ଼ ସମସ୍ୟା ଆସିପାରେ ଏଇ ଯେ ଆମକୁ ବିରକ୍ତ ଲାଗିଲେ ଆମେ ସେହି ବିରକ୍ତିପଣକୁ ପରିବାର ସଦସ୍ୟଙ୍କ ଉପରେ ଶୁଝାଇବାକୁ ଚେଷ୍ଟା କରିବା । ଘରେ ବସି ଚିଡ଼ିଚିଡ଼ା ଲାଗିଲେ କାହା ଉପରେ ଶୁଝାଇବାକୁ ଚାହିଁବା । ଆଉ ଏଇଠି ହେବ ଆମର ଅସଲ ଧୈର୍ଯ୍ୟ ପରୀକ୍ଷା । ଏଥିରୁ ବର୍ତ୍ତିବା ପାଇଁ ଘରର ମୁଖ୍ୟ ସଦସ୍ୟଙ୍କ ଉପରେ ରହିବ ବଡ଼ ଦାୟିତ୍ୱ । ସେ କିଭଳି ଭାବେ ପରିସ୍ଥିତିକୁ ସମ୍ଭାଳୁଛନ୍ତି ଏବଂ ଏଥିରେ ପତ୍ନୀ ବା ଘରର ମହିଳାମାନଙ୍କର ମଧ୍ୟ ସମାନ ଭୂମିକା ରହିବ । କାରଣ ପରିବାର ସଦସ୍ୟଙ୍କୁ ଯୋଡ଼ି ରଖିବା ହେବ ତାଙ୍କର ପ୍ରମୁଖ କାମ । ସମୟକୁ ଭାଗ କରି ଘରେ ପିଲାଙ୍କ ସହ କିଛି ସମୟ, ବଡ଼ଙ୍କ ସହିତ ଆଉ କିଛି ସମୟ, ଗାର୍ଡେନିଂ, ନିଜର ରୁଚି ଥିବା ଅନ୍ୟ କିଛି କାମ କରନ୍ତୁ । ଏହା ସହିତ ନିଜ କର୍ମକ୍ଷେତ୍ର ସହିତ ମଧ୍ୟ ନିୟମିତ ଭାବେ ଯୋଗାଯୋଗରେ ରୁହନ୍ତୁ ।

FAMILY-5

ମାନସିକ ଭାବେ ପ୍ରସ୍ତୁତ ହୁନ୍ତୁ ଏବଂ ଛୁଟିକୁ ଏନ୍‌ଜୟ କରନ୍ତୁ

ଅବଶ୍ୟ ଗାଁ ଗହଳିରେ ଦୃଶ୍ୟ ଟିକେ ଅଲଗା ରହିବ । ହେଲେ ସହରରେ ପ୍ରାୟତଃ ଛୋଟ ପରିବାର ହୋଇଥିବାରୁ ସମ୍ଭାଳିବା ଟିକେ ସହଜ ହେବ । ପ୍ରଥମେ ମାନସିକ ଭାବେ ନିଜକୁ ଗୃହବନ୍ଦୀ ଭାବେ ଭାବି ନେଲେ ଏବଂ କରୋନାକୁ ଆମେ ଏହିଭଳି ଭାବେ ହିଁ ହରାଇ ପାରିବା ବୋଲି ଚିନ୍ତା କଲେ କାମଟି ଟିକେ ସହଜ ହୋଇଯିବ । ତେବେ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ପରିବାର ସଦସ୍ୟଙ୍କ ମନ ମିଳିବା ମଧ୍ୟ ଜରୁରୀ ।

FAMILY-6

ଯଦି ଘରେ ବୟସ୍କ ଲୋକ ଅଛନ୍ତି ତେବେ ଅଧିକ ଧୈର୍ଯ୍ୟର ସହ ତାଙ୍କ ଯତ୍ନ ନେବାକୁ ହେବ । ଯେଉଁ ବୟସ୍କମାନେ ଆଉ ନିଜର ଯତ୍ନ ନେବାକୁ ଆଦୌ ସମର୍ଥ ନାହାନ୍ତି ସେମାନଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ପଡ଼ିବ । ଠିକ୍‌ ମୋ ବାବା ମୋ ମା ମୋ ପାଇଁ ଏତେ କିଛି କରିଛନ୍ତି, ଆଜି ସମୟ ଆସିଛି, ଈଶ୍ୱର ପରୋକ୍ଷରେ ସୁଯୋଗ ଦେଇଛନ୍ତି ତାଙ୍କର ଅତି ନିକଟତର ହୋଇ କିଛି କରିବାକୁ । ଆଧ୍ୟାତ୍ମିକ ଆଲୋଚନା କରନ୍ତୁ । ଅନ୍ୟମାନଙ୍କ ମନପସନ୍ଦ ହେଲା ଭଳି କଥା କୁହନ୍ତୁ ଓ ଏହି କରୋନା ଛୁଟିକୁ ନକାରାତ୍ମକ ଭାବେ ନନେଇ ଏହାକୁ ପୂରା ଏନ୍‌ଜୟ କରନ୍ତୁ । ଦେଖିବେ ଆଦୌ ଗୃହବନ୍ଦୀ ଭାବେ ଲାଗିବ ନାହିଁ ।

FAMILY-1

ସରକାର ଦିନକୁ ଦିନ କଠୋର ହେଉଛନ୍ତି । ହେଲେ କାହା ପାଇଁ ? ଆମରି ମଙ୍ଗଳ ପାଇଁ ଏକଥାକୁ ଭାବି ନିଜ ପରିବାର କଥାକୁ ଚିନ୍ତା କରି ଆଉ ସବୁ ଭୁଲି ଯାନ୍ତୁ ଅନ୍ତତଃ କିଛି ଦିନ ପାଇଁ ।

ହିମାଂଶୁ ଶେଖର ପତିମିଶ୍ର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.