ବାଗଚୀଙ୍କ ପ୍ରେସ୍‌ମିଟ୍‌ : ଗରିବଙ୍କୁ ମାଗଣାରେ ମିଳିବ ୫ କେଜି ଚାଉଳ ଓ ୧ କେଜି ଡାଲି

ଭୁବନେଶ୍ୱର (କେ ନ୍ୟୁଜ୍‌) : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା, ଜାତୀୟ ଖାଦ୍ୟ ସୁକ୍ଷା ଆଇନ୍‌, ଅନ୍ତ୍ୟୋଦୟ ଅନ୍ନ ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କ ପାଇଁ ବଡ଼ ଖୁସି ଖବର । ଏମାନକୁ ମୁଣ୍ଡ ପିଛା ୫ କେଜି ଚାଉଳ ଓ ୧ କିଲୋ ହରଡ ଡାଲି ତିନି ମାସ ଯାଏ ମାଗଣାରେ ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ମୁଁ ବିବରଣୀ ଦେବାର ମାସେ ପୂରିଲା । ମାସଟିଏ ସଫଳତାର ସହ ଅତିକ୍ରମ କରିଛେ । ଏଥିରେ ରାଜ୍ୟ ସରକାରଙ୍କ ସହ ଓଡ଼ିଶା ଲୋକଙ୍କ ସଂଘର୍ଷ ସାମିଲ ରହିଛି । ମୁଖ୍ୟମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଶାରେ କୋଭିଡ୍‌ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ପରୀକ୍ଷଣ ସୁବିଧା ସହ ଏକ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିବାକୁ କହିଛନ୍ତି । ଆହୁରି ମଧ୍ୟ ୩୦ଟି ଜିଲ୍ଲାରେ ୩୫ଟି କୋଭିଡ୍‌ ହସପିଟାଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଆବଶ୍ୟକ ଯନ୍ତ୍ରପାତି ଏବଂ ଔଷଧ ମହଜୁଦ ରଖିବାକୁ କହିଛନ୍ତି ।
ତେବେ ଆଜିର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ ଏ କଥା ମଧ୍ୟ ସୂଚାଇ ଦେଇଥିଲେ ଯେ କୃଷି କ୍ଷେତ୍ରରେ କୋହଳା କରାଯାଉଛି ଅର୍ଥ ଲକ୍‌ଡାଉନ୍‌ କୋହଳ ହେଲା ବୋଲି ଭାବି ନିଅନ୍ତୁ ନାହିଁ । ଯଦି ପରିସ୍ଥିତି ଅଧିକ ଖରାପ ହୁଏ ତେବେ ପୁଣି କୋହଳ ନିୟମକୁ ପ୍ରତ୍ୟାହାର କରି ନିଆଯିବ ବୋଲି ବାଗଚୀ କହିଛନ୍ତି । ଆହୁରି ମଧ୍ୟ ଏ ସମୟରେ ନିଶା ବର୍ଜନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏଥିରେ ଶରୀରର ରୋଗ ପ୍ରତିରୋଧକ ଶକ୍ତ କମିଯାଏ ବୋଲି ସେ କହିଛନ୍ତି ।
ମାସେ ତଳେ ବିଶ୍ୱରେ ୧୫୩ଟି ଦେଶ ଆକାନ୍ତ ଥିଲେ ଏବେ ୨୧୦ଟି ଦେଶରେ କରୋନା ମାଡ଼ି ଯାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୧ ଲକ୍ଷ ୫୭ ହଜାର ଓ ଏବେ ସେହି ସଂଖ୍ୟା ୧୯ ଲକ୍ଷ ୩୦ ହଜାରରୁ ଅଧିକ ଆକ୍ରାନ୍ତ ଅଛନ୍ତି । ଭାରତରେ ୧୦୭ ଜଣ ଥିଲେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୪୧ ଏବଂ ୩୩୯ ଜଣଙ୍କର ମୃତ୍ୟୁ ହୋଇଛି । ତେଣୁ କିଭଳି ଭାବେ ବିଶ୍ୱ ଓ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି ତେବେ ସେହି ଅନୁପାତରେ ଓଡ଼ିଶାରେ ସଂଖ୍ୟା ଖୁବ୍‌ କମ୍‌ ବୋଲି ସେ କହିଛନ୍ତି ।
କୋଭିଡ୍‌ ପରୀକ୍ଷଣ ବୃଦ୍ଧି ପାଇଛି
ରାଜ୍ୟରେ ପ୍ରଥମେ ମାତ୍ର ୨୦୦ କୋଭିଡ୍‌ ଟେଷ୍ଟ ହେଉଥିବା ବେଳେ ଏବେ ଏହାର ତିନିଗୁଣ ଟେଷ୍ଟ ହୋଇ ପାରୁଛି । ଗତକାଲି ୫୬୪ ଟେଷ୍ଟ ଓ ଆଜି ଏହା ୭୦୦କୁ ଟପି ପାରେ । କିଭଳି ଭାଇରସ୍‌ ସଂକ୍ରମିତ ହୁଏ ସେ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ବରିଷ୍ଠ ପ୍ରଶାସକ ବିଜୟ ମହାପାତ୍ର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.