ରାଜ୍ୟ ଭିତରେ ବସ୍‌ ଚଳାଚଳ ନେଇ ରହିଛି ଦ୍ୱନ୍ଦ୍ୱ, ଛୋଟିଆ ସମସ୍ୟାର ସମାଧାନ ହେଲେ ଦୂର ହୋଇ ପାରିବ ଲୋକଙ୍କ ଅସୁବିଧା

ଭୁବନେଶ୍ୱର/କଟକ (କେ ନ୍ୟୁଜ୍‌) : କରୋନା ପାଇଁ ରାଜ୍ୟରେ ୫ଟି ଜିଲ୍ଲା ଏବଂ ୮ଟି ସହରରେ ଏବେ ଲକ୍‌ଡାଉନ୍‌ । ହେଲେ ଏଇ କଟକଣାର ପ୍ରଭାବ ପୂରା ରାଜ୍ୟ ଉପରେ ପଡ଼ିଛି । କାରଣ ରାଜ୍ୟର ଦୁଇଟି ପ୍ରମୁଖ ସହର ଭୁବନେଶ୍ୱର ଓ କଟକରେ ରହିଛି ଏହି କଟକଣା । ଅଧିକାଂଶ ଲୋକଙ୍କର କାମ ଏହି ଦୁଇଟି ସ୍ଥାନରେ ଅଧିକ ଥାଏ । ହେଲେ ଏସବୁ ଜାଗାରେ ସରକାରୀ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ସବୁ ଅନୁଷ୍ଠାନ ଓ ସଂସ୍ଥା ବନ୍ଦ ରହିଛି । ତେବେ ଏସବୁ ବାଦ୍‌ ଆଉ ଏକ ବଡ଼ ସମସ୍ୟା ହେଲା ବସ୍‌ ସେବା । କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଅନ୍ୟ ରାଜ୍ୟରୁ ବସ୍‌ ଆସିବା ଏବଂ ଆମ ରାଜ୍ୟରୁ ବସ୍‌ ବାହାର ରାଜ୍ୟକୁ ଯିବା ଉପରେ ରୋକ୍‌ ଲଗାଇଛି । ତେବେ ରାଜ୍ୟ ଭିତରେ ବସ୍‌ ଚଳାଚଳ ଉପରେ ଏହି କଟକଣା ଲାଗୁ କରାଯାଇନାହିଁ । ତଥାପି ବର୍ତ୍ତମାନ କେବଳ ୩୦ ପ୍ରତିଶତ ବସ୍‌ ଚାଲୁଛି ।

BUS-1

ବସ୍‌ କର୍ମଚାରୀ ଓ ଯାତ୍ରୀଙ୍କ ସମସ୍ୟା

ଏ ନେଇ କେ ନ୍ୟୁଜ୍‌ ତରଫରୁ ଆମେ ଅନୁସନ୍ଧାନ କରିଥିଲୁ । ଯାତ୍ରୀ ଓ ବେସରକାରୀ ବସ୍‌ ମାଲିକ ସଂଘ ସହ କଥା ହୋଇଥିଲୁ । ଆଉ ଜାଣିବାକୁ ପାଇଲୁ ଯେ ବସ୍‌ ମାଲିକ ସଂଘ ବସ୍‌ ଚଳାଇବା ପାଇଁ ଆଗ୍ରହୀ ଅଛି । ହେଲେ କିଛି ଆନୁଷଙ୍ଗିକ ସମସ୍ୟା ସେମାନଙ୍କୁ ବସ୍‌ ବନ୍ଦ କରିବାକୁ ବାଧ୍ୟ କରୁଛି । ସେଗୁଡ଼ିକ ମଧ୍ୟରେ ପ୍ରଥମେ ରହିଛି କଟକଣା ଯୋଗୁଁ ଯାତ୍ରୀ ହେଉ ନାହାନ୍ତି । ଦ୍ୱିତୀୟରେ ବିଭିନ୍ନ ବସ୍‌ଷ୍ଟାଣ୍ଡରୁ ଯାତ୍ରୀମାନେ ଅନ୍ୟ ସ୍ଥାନକୁ ଯିବା ଲାଗି ଅଟୋ, ଟ୍ୟାକ୍ସି କିମ୍ବା କୌଣସି ଯାନବାହନ ପାଉ ନାହାନ୍ତି । ତେବେ ସବୁଠାରୁ ବଡ଼ ସମସ୍ୟା ହେଉଛି ବସ୍‌ଷ୍ଟାାଣ୍ଡରେ ଦୋକାନ, ବଜାର, ହୋଟେଲ ଏପରିକି ଚା ଦୋକାନ ଆଦି ବନ୍ଦ ରହୁଥିବାରୁ ବସ୍‌ କର୍ମଚାରୀ ହଇରାଣ ହେଉଛନ୍ତି । କାରଣ ଅନ୍ତତଃ ସେମାନଙ୍କ ପାଇଁ ଖାଇବାର କୌଣସି ବ୍ୟବସ୍ଥା କରାଗଲେ ସେମାନେ ବସ୍‌ ଚଳାଇବାରେ କିଛି ଅସୁବିଧା ନାହିଁ ।

AHARA

ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଆବଶ୍ୟକ

ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଶୀଘ୍ର ପଦକ୍ଷେପ ନେଲେ ସାଧାରଣ ଜନତା ଉପକୃତ ହେବେ ବୋଲି ସଂଘ ତରଫରୁ କୁହାଯାଇଛି । ସେମାନଙ୍କ କହିବା କଥା ଆହର କେନ୍ଦ୍ର ଭଳି ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ କିଛି କରାଗଲେ ସେମାନେ ବସ୍‌ ଚଳାଚଳ କରିବାକୁ ପଛାଇବେ ନାହିଁ । କାରଣ ସ୍ୱାସ୍ଥ୍ୟସେବା ଭଳି ଅତ୍ୟାବଶ୍ୟକ ସେବା ପାଇବା ପାଇଁ ହିଁ ଗ୍ରାମାଞ୍ଚଳରୁ ଲୋକେ କଟକ ଓ ଭୁବନେଶ୍ୱର ଆସୁଛନ୍ତି ବୋଲି କୁହାଯାଉଛି । ତେବେ ଏକଥା ସତ ଯେ ଯଦି ବସ୍‌ରେ ଆବଶ୍ୟକ ପରିମାଣରେ ଯାତ୍ରୀ ନହେବେ ତେବେ କେଉଁ ମାଲିକ ଗାଡ଼ି ଚଳାଇବାକୁ ଆଗ୍ରହୀ ହେବେ ?

ସ୍ୱାସ୍ଥ୍ୟସେବା ନେଇ ଥିବା ଗାଇଡ୍‌ ଲାଇନ୍‌ ପ୍ରକୃତରେ କଣ ?

ଆଉ ଗୋଟିଏ କଥା ପ୍ରତି ଆମର ନଜର ଆସିଛି । ଯାହାର ସମାଧାନ ହେବ ନିହାତି ଜରୁରୀ । ବିଭିନ୍ନ ବେସରକାରୀ ହସପିଟାଲ ଓ କ୍ଲିନିକ୍‌ରେ କେବଳ ଗୁରୁତର ରୋଗୀଙ୍କୁ ଆଡମିଟ୍‌ କରାଯାଉଛି । ଅବଶ୍ୟ ଅଯଥା ଗହଳି କମାଇବା ଏବଂ ସଂକ୍ରମଣକୁ ରୋକିବାକୁ ଏହା ଏକ ଭଲ ପଦକ୍ଷେପ । ହେଲେ ଅବୁଝା ସାଧାରଣ ଲୋକଙ୍କୁ ଏ ସମ୍ପର୍କରେ ଥିବା ଗାଇଡ୍‌ ଲାଇନ୍‌କୁ ଭଲ ଭାବେ ବୁଝାଯିବ ଦରକାର । ଠିକ୍‌ ଯେମିତି ପ୍ରତ୍ୟେକ କଥାକୁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ବୁଝାଉଛନ୍ତି ।

HEALTH-2

ଅଡ୍‌ ଇଭିନ୍‌ ନମ୍ବର, ମାନୁଛି କିଏ ?

ରାଜଧାନୀ ଭୁବନେଶ୍ୱରରେ ପବ୍ଲିକ୍‌ ଟ୍ରାନ୍ସପୋର୍ଟ ଚଳାଚଳ ଉପରେ ଭୁବନେଶ୍ୱର ମହାନଗର ନିଗମ କିଛି କଟକଣା ଜାରି କରିଛି । ଯେମିତି କି ଅଡ୍‌/ଇଭିନ୍‌ ବା ଯୁଗ୍ମ ଓ ଅଯୁଗ୍ମ ନମ୍ବରରେ ଗାଡ଼ି ଚଳାଇବାକୁ କୁହାଯାଇଛି । ହେଲେ ତାକୁ ଅନେକ ମାନୁନଥିବା କଥା ନଜରକୁ ଆସିଛି ।

MO BUS

ସାହସୀ ହୁଅ, ଦୁଃସାହସୀ ନୁହେଁ

ତେବେ ଲୋକମାନଙ୍କୁ ମଧ୍ୟ ଅନୁରୋଧ ଯେ ସେମାନେ କରୋନା ସହ ଲଢ଼ିବା ଲାଗି ସାହସୀ ହୁଅନ୍ତୁ । କିନ୍ତୁ ଦୁଃସାହସୀ ନହୁଅନ୍ତୁ । ଯାହାଫଳରେ କରୋନା ସଂକ୍ରମଣ ବଢ଼ିବାରେ ସେମାନେ ଏକ ମାଧ୍ୟମ ହୋଇଯିବେ । ସମସ୍ତେ ଜାଣୁଛନ୍ତି ଯେ ଦିନକୁ ଦିନ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆମେ ଏକଥା ମଧ୍ୟ ଜାଣୁଛେ ଯେ ରାଜ୍ୟ ସରକାରଙ୍କ କଟକଣା ଯୋଗୁଁ ରାଜ୍ୟରେ ଆମେ ବଡ଼ ବିପଦରୁ ରକ୍ଷା ପାଉଛୁ । ଜନସାଧାରଣଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିଲେ ସରକାରଙ୍କ ଲକ୍ଷ୍ୟ ପୂରଣ ହେବ ଏବଂ ଆମେ କରୋନା ବିରୋଧରେ ଆରମ୍ଭ କରିଥିବା ଲଢ଼େଇରେ ବିଜୟୀ ହେବା ।

FIGHT

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.