କରୋନା ମୁକାବିଲାରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ ଖରିଦ ପ୍ରସ୍ତାବକୁ ମନ୍ତ୍ରୀସ୍ତରୀୟ କମିଟିର ମଞ୍ଜୁରୀ

ଭୁବନେଶ୍ୱର : କରୋନା ମୁକାବିଲାରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ତୁରନ୍ତ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ (ପିପିଇ) ଖରିଦ ପ୍ରସ୍ତାବକୁ ରାଜ୍ୟ ମନ୍ତ୍ରୀସ୍ତରୀୟ କମିଟି ମଞ୍ଜୁରୀ ଦେଇଛି । ଭିଡିଓ କନଫରେନସିଙ୍ଗରେ ଅନୁଷ୍ଠିତ ଏହି ବୈଠକର ନିଷ୍ପତ୍ତି ନେଇସୂଚନା ଦେଇଛନ୍ତି ରାଜ୍ୟ ପଂଚାୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ ଏବଂ ଆଇନ ମନ୍ତ୍ରୀ ପ୍ରତାପ ଜେନା । ଶ୍ରୀ ଜେନା କହିଛନ୍ତି ଯେ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ପିପିଇ କିଣାଯିବା ସହିତ ରାଜ୍ୟରେ କିଭିଳ ଅଧିକ ସ୍ଥାନରେ କୋରନା ସଂକ୍ରମଣ ପରୀକ୍ଷା ହେବ ତାହା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି ।

ବର୍ତ୍ତମାନ ଭୁବନେଶ୍ୱରର ଆର.ଏମ.ଆର.ସି ଓ ଏମସ୍ ଏବଂ କଟକର ଏସସିବିରେ ଏହି ପରୀକ୍ଷା ହେଉଛି । ଆଗାମୀ ଦିନରେ ବୁର୍ଲାର ଭିମସାର, ବ୍ରହ୍ମପୁରର ଏମକେସିଜି, ରାଉରକେଲାର ଆରଜିଏଚ୍ ସହିତ ରାୟଗଡା ଓ କଳାହାଣ୍ଡିରେ ଯେଭଳି ଏହି ପରୀକ୍ଷା ହୋଇପାରିବ ସେ ଦିଗରେ ପଦକ୍ଷେପ ନିଆଉଛି ।
ସେହିଭଳି ବର୍ତମାନ ଭୁବନେଶ୍ୱରର ସମ୍ ହସ୍ପିଟାଲ ଓ କିମ୍‌ସ ହସ୍ପିଟାଲରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ହୋଇଥିବା ବେଳେ କଟକର ଅଶ୍ୱିନୀ ହସ୍ପିଟାଲରେ ମଧ୍ୟ କୋଭିଡ ହସ୍ପିଟାଲ ହୋଇଛି । ରାଉରକେଲାର ହାଇଟେକ୍ ହସ୍ପିଟାଲ ସହିତ ମିଳିତ ଭାବେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପାଇଁ ବୈଠକରେ ସ୍ଥିର ହୋଇଛି । ଏଥି ସହିତ ଆଗାମୀ ଦିନରେ ସବୁ ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଜେନା କହିଛନ୍ତି । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଅଙ୍ଗନବାଡି ପିଲାଙ୍କୁ ଘରେ ଖାଦ୍ୟ ଯୋଗାଇବା ପାଇଁ ପଦକ୍ଷେପ ନିଆଯାଇଥିବାବେଳେ ଏହାକୁ ଆଗାମୀ ଏପ୍ରିଲ ଶେଷ ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ ସ୍ଥିର ହୋଇଛି । ଆଜି ବୈଠକରେ ଏହିସବୁ ନିଷ୍ପତ୍ତି ହୋଇଥିବା ବେଳେ ଆଗାମୀ  ଦିନରେ ପୁଣି ବୈଠକ ବସି ଆବଶ୍ୟକ ଅନୁଯାୟୀ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି ।

.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.