ଆଜିଠୁ ସମ୍ବଲପୁର ଜିଲ୍ଲା ସଟ୍‌ଡାଉନ, ଆସନ୍ତା ୩୧ତାରିଖ ଯାଏ ବଳବତ୍ତର ରହିବ କଟକଣା

ସମ୍ବଲପୁର : ଆଜିଠୁ ୩୧ ତାରିଖ ଯାଏ ସମ୍ବଲପୁର ଜିଲ୍ଲା ସଟ୍‌ଡାଉନ । ଦୁଇଟି ପର୍ଯ୍ୟାୟରେ ହେବ ସଟଡାଉନ । ସମ୍ବଲପୁର ସହର ସହ ବୁର୍ଲା, ହୀରାକୁଦ, କୁଚିଣ୍ଡା, ରେଢାଖୋଲ ଓ ରେଙ୍ଗାଲି ଆଦି ଅଞ୍ଚଳ ରହିବ ସଂପୂର୍ଣ୍ଣ ସଟ୍‌ଡାଉନ୍‌। କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଏନେଇ ସମ୍ବଲପୁର ଜିଲ୍ଲାପାଳଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ସମ୍ବଲପୁର ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ୨୫ ତାରିଖ ଯାଏ ୪ ଦିନ ସଟ୍‌ଡାଉନ ରହିବ। ଏହି ସମୟରେ ଜିଲ୍ଲାରେ ସମସ୍ତ ଦୋକାନ, ବ୍ୟାବସାୟିକ ପ୍ରତିଷ୍ଠାନ, ସରକାରୀ, ବେସରକାରୀ ସଂସ୍ଥା ଅଫିସ ବନ୍ଦ ରହିିବ । ଜିଲ୍ଲା ଭିତରେ ସବୁ ଯାନବାହନ ଚଳାଚଳ ବନ୍ଦ ରହିବ । ଜରୁରୀ କାର୍ଯ୍ୟ ବ୍ୟତୀତ ସଟଡାଉନ ସମୟରେ ଦୁଇ ଚକିଆ ଗାଡ଼ି ମଧ୍ୟ ଚଳାଚଳ କରିପାରିବ ନାହିଁ । ତେବେ ସଟଡାଉନରେ ସମସ୍ତ ହସପିଟାଲ, କ୍ଲିନିକ, ନର୍ସିଂ ହୋମ, ମେଡିକାଲ ଷ୍ଟୋର ଖୋଲା ରହିବ । ପେଟ୍ରୋଲ ପମ୍ପ, ଟେଲିକମ ସେବା, ପାଣି ଯୋଗାଣ ଜାରି ରହିବ । ତେବେ ମାଲବାହୀ ଗାଡ଼ି ଚଳାଚଳ କରିପାରିବ ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୨୬ରୁ ୩୧ ଯାଏ ୬ ଦିନ ସମ୍ବଲପୁର ଜିଲ୍ଲାକୁ ସଟ୍‌ଡାଉନ ରଖାଯିବ। ଏହି ପର୍ଯ୍ୟାୟରେ ସବୁ ଦୋକାନବଜାର, ବ୍ୟାବସାୟିକ ପ୍ରତିଷ୍ଠାନ ଓ ଅଫିସ ବନ୍ଦ ରହିବ । ଲୋକଙ୍କ ଯାତାୟାତ ଉପରେ ରୋକ ଲାଗିବ । ଜରୁରୀ ସେବା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟରେ ଦୁଇ ଚକିଆ ଗାଡ଼ି ଚଳାଚଳ ମନା । ତେବେ ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ ଯୋଗାଣ ଆଦି ଜାରି ରହିବ ବୋଲି କୁହାଯାଇଛି । ଅମାନିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.