Below header

ସଟ୍‌ଡାଉନ୍‌ ସମ୍ପର୍କରେ ଅଧିକ ସୂଚନା ଦେଲେ ସୁବ୍ରତ ବାଗଚୀ, ଭୁବନେଶ୍ୱରର କିଛି ପଞ୍ଚାୟତରେ ବି କଟକଣା ଲାଗୁ ହେବ

ଭୁବନେଶ୍ୱର (କେ ନ୍ୟୁଜ୍‌) : କଟକର ଷଷ୍ଠ ପଜେଟିଭ୍‌ ଦିଲ୍ଲୀରୁ ଫେରିଥିଲେ । ତେଣୁ ଏହା ପରେ ଭୁବନେଶ୍ୱର, ଭଦ୍ରକ ସମେତ କଟକ ସହରକୁ ୪୮ ଘଣ୍ଟା ସଟ୍‌ ଡାଉନ୍‌ ଘୋଷଣା କରାଯାଇଛି । ତେବେ କଟକ ଓ ଭଦ୍ରକରେ କେବଳ ପୌରାଞ୍ଚଳରେ ଏହି ସଟ୍‌ଡାଉନ୍‌ ହେଉଥିବା ବେଳେ ଭୁବନେଶ୍ୱର ପୌରାଞ୍ଚଳ ସମେତ ଏହାର କିଛି ଗ୍ରାମ ପଞ୍ଚାୟତରେ ମଧ୍ୟ ସଟ୍‌ଡାଉନ୍‌ କରାଯାଉଛି। ଏହାର ତାଲିକା ମଧ୍ୟ ସେ ପଢ଼ି ଶୁଣାଇଛନ୍ତି ।

କଣ ବନ୍ଦ, କଣ ବାଦ୍‌

ସଟ୍‌ଡାଉନ୍‌ରୁ ବାଦ୍‌ ଡାକ୍ତରଖାନା ଓ ଡାକ୍ତର, ପୋଲିସ୍‌, ଅଗ୍ନିଶମ, ଆମ୍ବୁଲାନ୍ସ, ଜଳଯୋଗାଣ, ପରିମଳ, ବିଦ୍ୟୁତ୍‌ ସେବା ଖୋଲା ରହିବ। ଏହି ସମୟରେ ଅଧିକ ଆମ୍ବୁଲାନ୍ସ ରଖାଯିବ। କାହାର ସ୍ୱାସ୍ଥ୍ୟ ଖରାପ ହେଲେ ତୁରନ୍ତ ତାଙ୍କୁ ନେଇ ଡାକ୍ତରଖାନା ପହଞ୍ଚାଇବ । ସ୍ଥାନୀୟ ପୋଲିସ୍‌ର ଅନୁମତି ଅନୁସାରେ ଅଳ୍ପ କିଛି ଔଷଧ ଦୋକାନ ଖୋଲା ରହିବ । ସେହିପରି ମାଲ ପରିବହନ କରୁଥିବା ବିମାନ ଏବଂ ମାଲଗାଡ଼ି ଚଳାଚଳ କରିବ ।

ରାଜ୍ୟରେ କରୋନା ସ୍ଥିତି

ରାଜ୍ୟରେ ଆଜି ସୁଦ୍ଧା ୧୧୧୩ ଜଣଙ୍କର ନମୂନା ଯାଞ୍ଚ ସରିଛି । ସେଥିରୁ ୬ ଜଣଙ୍କର ପଜେଟିଭ୍‌ ଆସିଛି । ଏମାନଙ୍କ ମଧ୍ୟରୁ ପ୍ରଥମ ଓ ଦ୍ୱିତୀୟ ପଜେଟିଭ୍‌ ବ୍ୟକ୍ତି ସୁସ୍ଥ ହେବା ଏକ ବହୁତ ଭଲ ଖବର ବୋଲି ବାଗଚୀ କହିଛନ୍ତି । ଆଜି ସୁଦ୍ଧା ୬୦ ଜଣ ରାଜ୍ୟର ବିଭିନ୍ନ ହସପିଟାଲରେ ଆଇସୋଲେସନ୍‌ରେ ରହିଛନ୍ତି । ଗତକାଲି ସୁଦ୍ଧା ଏହି ସଂଖ୍ୟା ୮୫ ଥିଲା ବେଳେ ସେଥିରୁ ୨୫ ଜଣ ସୁସ୍ଥ ହୋଇଛନ୍ତି ।

ନିଜାମୁଦ୍ଦିନ୍‌ ଫେରନ୍ତାଙ୍କ କଥା

ଦିଲ୍ଲୀ ନିଜାମୁଦ୍ଦିନରୁ ଓଡ଼ିଶାକୁ ୨୭ ଜଣ ଫେରିଛନ୍ତି । ଏଥିରେ ୭ ଜଣ ବିଦେଶୀ ଅଛନ୍ତି । ନମୂନା ପରୀକ୍ଷା ପରେ ଏମାନଙ୍କ ମଧ୍ୟରୁ ୨୧ ଜଣଙ୍କର ନେଗେଟିଭ୍‌ ଓ ଜଣଙ୍କର ପଜେଟିଭ୍‌ଆସିଛି। ସମସ୍ତ ସନ୍ଦିଗ୍ଧଙ୍କ ପରିବାରବର୍ଗଙ୍କର ମଧ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି । ତେବେ ରାଜ୍ୟ ବାହାରେ ଆହୁରି ୪୦ ଜଣ ଜମାତି ଅଟକି ରହିଛନ୍ତି। ବର୍ତ୍ତମାନ ସେମାନେ ଦିଲ୍ଲୀ, ବିହାର, ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରେ ଅଟକି ଥିବା ସୂଚନା ମିଳିଛି । ଆହୁରି ମଧ୍ୟ ପଶ୍ଚିମବଙ୍ଗର କିଛି ଜମାତି ତାଳଚେର ଆସି ଫେରିଥିବା ଜଣାପଡ଼ିଛି । ସେମାନଙ୍କ ଉପରେ ମଧ୍ୟ ନଜର ରଖାଯାଇଛି ବୋଲି ବାଗଚୀ କହିଛନ୍ତି ।
ପୁଣି ଥରେ ବାଗଚୀ ଆହ୍ଵାନ ଦେଇଛନ୍ତି କି କରୋନାରେ ସଂକ୍ରମିତ ହେବା କୌଣସି ଲୋକଲଜ୍ଜାର କାରଣ ନୁହେଁ । ତେଣୁ ଲକ୍ଷଣ ଜଣାପଡ଼ିଲେ ଭୟ ନକରି ଆଗକୁ ଆସି କୁହନ୍ତୁ ବୋଲି ସେ କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.