ଦଣ୍ଡୁଆଙ୍କ ଦର୍ଶନ ପାଇଁ ରୁଣ୍ଡ ହଜାର ହଜାର ଭକ୍ତ: ବିଶ୍ୱର ମଙ୍ଗଳ ପାଇଁ ପଞ୍ଚଶମ୍ଭୁ ମିଳନ

ବିଶ୍ୱଶାନ୍ତି ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଆୟୋଜିତ ପଞ୍ଚଶମ୍ଭୁ ମିଳନ ଓ ଦଣ୍ଡ ନୃତ୍ୟ ଗ୍ରାମରେ ଧାର୍ମିକ ଚେତନା ସହ ଆଧ୍ୟାତ୍ମିକ ପରିବେଶ ଯେ କେବଳ ସୃଷ୍ଟି ହେଉଛି ତାହା ନୁହେଁ ଦୈନନ୍ଦିନ ସାମାଜିକ ଜୀବନଶୈଳୀରେ ଲୋକଙ୍କ ଦାର୍ଶନିକ ମାର୍ଗ ପାଲଟିବା ସହିତ ଭାଇଚାରାର ପରମ୍ପରା ସୃଷ୍ଟି କରିପାରିଛି ।

ବୌଦ୍ଧ(କେନ୍ୟୁଜ): ଢୋଲ,ମହୁରୀ ଘଣ୍ଟ ବାଦ୍ୟରେ ଫାଟି ପଡୁଛି ଗାଁ ଦାଣ୍ଡ । ଚୈତ୍ର ମାସର ଟାଇଁ ଟାଇଁ ଖରାରେ ଖାଲି ପାଦରେ, ଗେରୁଆ ବସ୍ତ୍ର ପରିଧାନ କରି ହାତରେ ଛତ୍ର,ପତକା, ସହିତ ଠାକୁରଙ୍କ ପ୍ରତିମା ଧରି ଗାଁ ଦାଣ୍ଡରେ ଚାଲି ଯାଉଛନ୍ତି ଦଣ୍ଡୁଆ । ଶିବ କାଷ୍ଠାରେ ଲିନ ହୋଇଥିବା ଦଣ୍ଡୁଆଙ୍କ ଦର୍ଶନ ପାଇଁ ରୁଣ୍ଡ ହୋଇଛନ୍ତି ହଜାର ହଜାର ଭକ୍ତ । ଏ ଦୃଶ୍ୟ ହେଉଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣୀଗଡ ଗ୍ରାମ ତେଲିସାହିର । ଗ୍ରାମରେ କିଏ ୧୩ ଦିନ ତ କିଏ ୨୧ ଦିନ ଧରି ନିଷ୍ଠା ଓ କଷ୍ଠାର ସହିତ ଶରୀରକୁ କଷ୍ଟ ଦେଇ ଶିବ ଭକ୍ତିରେ ଲିନ ହୋଇ ଯାଇଥିବା ଦଣ୍ଡୁଆ ମାନଙ୍କୁ ନେଇ ଆୟୋଜିତ ହୋଇଛି ପଞ୍ଚଶମ୍ଭୁ ମିଳନ । ତାହା ପୁଣି ବିଶ୍ୱର ମଙ୍ଗଳ ପାଇଁ ।

ପ୍ରଥମେ ଦଣ୍ଡୁଆଙ୍କୁ ନିମନ୍ତ୍ରଣ କରିବାପରେ ଉଦୁଉଦିଆ ଖରାରେ ଦଣ୍ଡୁଆ ମାନେ ଖେଳିଥାନ୍ତି ଧୁଳି ଦଣ୍ଡ । ଏହା ପରେ ପାଣିଘାଟକୁ ଯାଇ ସେଠାରେ ସ୍ୱତନ୍ତ୍ର ରିତିନିତି ଅନୁଯାୟୀ ପୁଜାର୍ଚ୍ଚନା କରିବା ପରେ ଦଣ୍ଡକୁ ଜିଆଁଇ ଧୁପଦୀପ,ଝୁଣା ନିଆଁର ତାଳେ ତାଳେ ଆସିଥାନ୍ତି ଦଣ୍ଡୁଆ । ଏହାପରେ ମହାଦେବଙ୍କ ପ୍ରତିମାର ମିଳନ,ପରଭା, ବିଣାକାରିଆ ଏବଂ ଢୋଲ ମିଳନର ଅଲୌକିକ ଦୃଶ୍ୟ ରେ ସମଗ୍ର ପରିବେଶରେ ସୃଷ୍ଟି ହୋଇଛି ଭକ୍ତିମୟ । ଖଲିଆପାଲି,କେଳାପଡା,ସାକୁସିଙ୍ଗା,ଲଣ୍ଡେରେଜୁର, ଏବଂ ଗୋଧିପଡା ଗ୍ରାମ ଏପରି ୫ ଟି ଦଣ୍ଡୁଆ ଙ୍କୁ ନେଇ ଅନୁଷ୍ଟିତ ହୋଇଛି ପଞ୍ଚଶମ୍ଭୁ ମିଳନ । ଏହା ଦ୍ୱାରା ବିଶ୍ୱର ମଙ୍ଗଳ ହୋଇଥାଏ ବୋଲି କହିବା ସହିତ ୫ ବର୍ଷ ଧରି ପଞ୍ଚଶମ୍ଭୁ ମିଳନ ଆୟୋଜିତ ହେବ ବୋଲି କହିଛନ୍ତି ଆୟୋଜକ ।

ପଶ୍ଚିମ ଓଡିଶାର ଏହି ଶିବ ତାଣ୍ଡବ ନୃତ୍ୟ ଷୋହଳସାଙ୍ଗକୁ ନେଇ ଅନୁଷ୍ଠିତ ହୋଇଥାଏ । ଦଣ୍ଡୁଆ ମାନେ ଦିନକୁ ଓଳିଏ ମାତ୍ର ପ୍ରସାଦ ସେବନ କରି ନିଷ୍ଠା ଓ କାଷ୍ଠାର ସହିତ ରହି ଦଣ୍ଡ ନୃତ୍ୟ କରି ଲୋକଙ୍କ ମନରେ ପୌରାଣିକ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରିବା ସହିତ ମନୋରଞ୍ଜନ ଯୋଗାଇଥାନ୍ତି । ଦିନରେ ଧୁଳିଦଣ୍ଡ , ପାଣିଦଣ୍ଡ ସାରିବା ପରେ ରାତି ତମାମ ଘାସିଘାସିଆଣି,ଚଢେୟାଚଢେୟାଣୀ, ସବର ସବରାଣୀ, କେଳାକେଳୁଆଣି, ହରପାର୍ବତୀ, ବିଣାକାରିଆ, ପରି ଷୋହଳସାଙ୍ଗ ନୃତ୍ୟ ପରିବେଷଣ କରିଥାନ୍ତି । ପାଟଭୁକ୍ତା ଙ୍କ ପରଭା ନୃତ୍ୟ ଏବଂ ଝୁଣା ଖେଳ ଦେଖିବା ସହିତ ଶିବ ତାଣ୍ଡବ ନୃତ୍ୟକୁ ମନୋଭରି ଉପଭୋଗ କରିଥାନ୍ତି ଦର୍ଶକ ।

ଗୋଟିଏ ସ୍ଥାନରେ ପାଞ୍ଚଟି ଶମ୍ଭୁ ମିଳନର ଦୃଶ୍ୟ ଦେଖିଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ ବୋଲି କହିବା ସହ ଏହା ଦଣ୍ଡୁଆ ମାନଙ୍କ ପାଇଁ ଏକ ଅଲୌକିକ ମେଳଣ ହୋଇଥାଏ ବୋଲି କହିଛନ୍ତି ଦଣ୍ଡୁଆ । ଭକ୍ତିମୟ ପରିବେଶରେ ପଞ୍ଚଶମ୍ଭୁ ମିଳନର ଅଲୌକିକ ଦୃଶ୍ୟ କୁ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଛନ୍ତି ହଜାରହଜାର ଭକ୍ତ ।

ବିଶ୍ୱଶାନ୍ତି ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଆୟୋଜିତ ପଞ୍ଚଶମ୍ଭୁ ମିଳନ ଓ ଦଣ୍ଡ ନୃତ୍ୟ ଗ୍ରାମରେ ଧାର୍ମିକ ଚେତନା ସହ ଆଧ୍ୟାତ୍ମିକ ପରିବେଶ ଯେ କେବଳ ସୃଷ୍ଟି ହେଉଛି ତାହା ନୁହେଁ ଦୈନନ୍ଦିନ ସାମାଜିକ ଜୀବନଶୈଳୀରେ ଲୋକଙ୍କ ଦାର୍ଶନିକ ମାର୍ଗ ପାଲଟିବା ସହିତ ଭାଇଚାରାର ପରମ୍ପରା ସୃଷ୍ଟି କରିପାରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.