ସୋନାଲି ଫୋଗଟଙ୍କ ହତ୍ୟା ମାମଲାରେ ବଡ଼ ଖୁଲାସା; ଶରୀରରେ ମିଳିଛି ୪୬ ଆଘାତ ଚିହ୍ନ!
ବିଜେପି ନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ସୋନାଲି ଫୋଗଟଙ୍କ ହତ୍ୟା ମାମଲାରେ ବଡ଼ ଖୁଲାସା ହୋଇଛି। ସୋନାଲିଙ୍କ ଶରୀରରେ ୪୬ଟି ଆଘାତ ଚିହ୍ନ ମିଳିଛି। ଗୋଆ ମେଡିକାଲ ସୂତ୍ରରୁ ଜଣାପଡ଼ିଛି, ସୋନାଲି ଫୋଗଟଙ୍କ ଶରୀରରେ ଅନେକ ଆଘାତ ଚିହ୍ନ ଦେଖିବାକୁ ମିଳିଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେତେବେଳେ ସୋନାଲିଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଶବଗୃହକୁ ଅଣାଯାଇଥିଲା, ତ ଶରୀରରେ କୌଣସି ବି ଆଘାତ ଚିହ୍ନ ନ ଥିବା କୁହାଯାଇଥିଲା। ଏମିତିରେ ପୂରା ମାମଲାର ଯାଞ୍ଚ ଉପରେ ବି ସନ୍ଦେହ ଘନୀଭୂତ ହେବାରେ ଲାଗିଛି।
ପୂର୍ବରୁ ସୋନାଲିଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ତଦନ୍ତରୁ ଜଣାପଡ଼ିଥିଲା କି, ଅଭିନେତ୍ରୀଙ୍କ ମୃତ୍ୟୁ ହୃଦଘାତରେ ହୋଇନାହିଁ, ବରଂ ତାଙ୍କ ପିଏ ଏବଂ ଘନିଷ୍ଠ ସହଯୋଗୀଙ୍କର ଏହା ଥିଲା ସୁପରିକଳ୍ପିତ ଷଡ଼ଯନ୍ତ୍ର। ଏବେ ସୋନାଲିଙ୍କର ଜଣେ ଘନିଷ୍ଠ ବନ୍ଧୁ ଦାବି କରିଛନ୍ତି, ପିଏ ସୁଧୀର ସାଙ୍ଗଓ୍ଵାନ ସୋନାଲିଙ୍କ ଉପରେ ଗୁଣିଗାରେଡ଼ି କରୁଥିଲେ।
ସୋନାଲିଙ୍କ ବନ୍ଧୁ ଋଷଭ ବେନିଓ୍ଵାଲ କହିଛନ୍ତି, ସୁଧୀର, ସୋନାଲିଙ୍କୁ ବଶୀଭୂତ କରି ରଖିବା ପାଇଁ ତନ୍ତ୍ରବିଦ୍ୟା ଉପଯୋଗ କରୁଥିଲେ। ଏଥିପାଇଁ ସେ ବାରମ୍ବାର ସୋନାଲିଙ୍କ ଫାର୍ମ ହାଉସ୍କୁ ଜଣେ ତାନ୍ତ୍ରିକକୁ ଡକାଉଥିଲେ। ଏତିକି ନୁହେଁ, ସୋନାଲିଙ୍କ ଝିଅ ପ୍ରତି ମଧ୍ୟ ସୁଧୀରଙ୍କଠାରୁ ବିପଦ ରହିଛି ବୋଲି ଋଷଭ କହିଛନ୍ତି।
ପୋଲିସ ତଦନ୍ତ ବେଳେ ରେଷ୍ଟୁରାଣ୍ଟର ଯେଉଁ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି, ସେଥିରେ ସୁଧୀର, ସୋନାଲିଙ୍କୁ ଜବରଦସ୍ତି ବୋତଲରେ କିଛି ପିଆଉଥିବା ଦେଖିବାକୁ ମିଳୁଛି, ଯାହାକୁ ପିଇବା କ୍ଷଣି ସୋନାଲି ଥୁକି ଦେଉଛନ୍ତି। ସେହିପରି ଅନ୍ୟ ଏକ ଭିଡିଓରେ ସୁଧୀର, ସୋନାଲିଙ୍କୁ କେଉଁଆଡ଼େ ନେଇଯାଉଥିବାର ଦେଖାଯାଉଛି।
କହି ରଖୁଛୁ, ସୋନାଲି ଫୋଗଟ ହତ୍ୟା ମାମଲାରେ ପିଏ ସୁଧୀର ସାଙ୍ଗଓ୍ଵାନ ଏବଂ ତାଙ୍କ ସାଙ୍ଗ ସୁଖବିନ୍ଦର ଓ୍ଵାସୀଙ୍କ ସମେତ ୫ ଜଣଙ୍କୁ ପୋଲିସ ଗିରଫ କରିଛି।