ଡ୍ରଗ୍ସ ଲିଙ୍କ ମାମଲା, ଖୁବ ଶୀଘ୍ର ବଲିଉଡର ୭ ଜଣ କଳାକାରଙ୍କୁ ଜାରି କରାଯାଇପାରେ ସମନ୍

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଖୁବ୍ ଶୀଘ୍ର ରହସ୍ୟ ଖୋଲିବ । ଘଟଣା ପଛରେ ପ୍ରକୃତରେ କେଉଁ ମାନଙ୍କ ହାତ ରହିଛି ସେ ନେଇ ପର୍ଦ୍ଦାଫାସ ହେବ । ଖୁବ ଶୀଘ୍ର ସାମ୍ନାକୁ ଆସିବେ ଘଟଣା ପଛର ମୁଖ୍ୟ ଦୋଷୀ । ସୁଶାନ୍ତଙ୍କ ପୋଷ୍ଟମର୍ଟମ୍ ରିପୋର୍ଟର ସାନି ଯାଞ୍ଚ କରିଥିବା ଦିଲ୍ଲୀ ଏମ୍ସ ବିଶେଷଜ୍ଞ ଦଳ ସିବିଆଇକୁ ରିପୋର୍ଟ ପ୍ରଦାନ କରିଛନ୍ତି । ଯାଞ୍ଚରୁ କ’ଣ ସବୁ ତଥ୍ୟ ପାଇଛନ୍ତି, ସେନେଇ ବରିଷ୍ଠ ଅଧିକାରୀଙ୍କ ସହ ପ୍ରାୟ ୨ ଘଣ୍ଟା ଧରି ଆଲୋଚନା ହୋଇଥିଲା । ଏହି ରିପୋର୍ଟକୁ ଅନୁଧ୍ୟାନ କରି ହିଁ ସୁଶାନ୍ତଙ୍କ ମୃତ୍ୟୁର ରହସ୍ୟ ଖୋଲିବ ସିବିଆଇ ଟିମ । ସେପଟେ ବଲିଉଡ୍ ଡ୍ରଗ୍ସ ଲିଙ୍କ ମାମଲାରେ ତଦନ୍ତ କରୁଥିବା ଏନ୍ସିବି ତଦନ୍ତ ପ୍ରକ୍ରିୟା ଜାରି ରଖିଛନ୍ତି । ବଲିଉଡ ଜଗତର ନାମିଦାମୀ କଳାକାରଙ୍କୁ ଜେରା କରିବା ପାଇଁ ଏନ୍ସିବି ମୁଖ୍ୟ ରାକେଶ ଆସ୍ଥାନା ତଦନ୍ତକାରୀ ସଂସ୍ଥାକୁ ସବୁଜ ସଙ୍କେତ ଦେଇଛନ୍ତି ।
ଖୁବଶୀଘ୍ର ଡ୍ରଗ୍ସ ଲିଙ୍କ ମାମଲାରେ ନାଁ ଆସିଥିବା ୭ ଜଣ ବଡ଼ କଳାକାରଙ୍କୁ ଜେରା କରିବା ଲାଗି ସମନ୍ ଜାରି କରାଯିବ । ସେପଟେ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀଙ୍କ ଜାମିନ୍ ଆବେଦନ ଉପରେ ଆଜି ବମ୍ବେ ହାଇକୋର୍ଟରେ ଶୁଣାଣି ହେବ । ସୂଚନା ଦେବା ଯୋଗ୍ୟକି, ଫିଲ୍ମ ନିର୍ଦ୍ଦେଶକ କରଣ ଜୋହର ମଧ୍ୟ ଏନସିବି ରାଡ଼ାରକୁ ଆସିଛନ୍ତି । ତାଙ୍କ ଦ୍ୱାରା ଆୟୋଜିତ ଡ୍ରଗ୍ସ ପାର୍ଟିରେ ଯେଉଁ ଯେଉଁ ଫିଲ୍ମ କଳାକାର ମାନେ ସାମିଲ ହୋଇଥିଲେ ସେମାନଙ୍କୁ ମଧ୍ୟ ପଚରାଉଚୁରା ତଦନ୍ତ ପରିସରକୁ ଅଣାଯାଇପାରେ ବୋଲି ଆଶଙ୍କା ରହିଛି |