ଅକ୍ଷୟ କୁମାର ଓ ଟ୍ଵିଙ୍କିଲ ଖାନ୍ନା କଲେ କରୋନା ରୋଗୀଙ୍କୁ ସହାୟତା, ଯୋଗାଇଲେ ୧୦୦ ଅକ୍ସିଜେନ କନ୍‌ସେନଟ୍ରେଟର

ଦେଶରେ କରୋନା ସ୍ଥିତିକୁ ଦେଖି ବଲିଉଡ୍‌ର ଅନେକ ସେଲିବ୍ରିଟି ଏବେ ସାଧାରଣ ଜନତାଙ୍କୁ ସହାୟତା କରିବାକୁ ଆଗେଇ ଆସୁଛନ୍ତି। ସୋସିଆଲ ମିଡିଆରେ ସେଲିବ୍ରିଟିମାନେ ଲୋକଙ୍କ ଟ୍ଵିଟ୍‌କୁ ରିଟ୍ଵିଟ୍‌ କରୁଛନ୍ତି ଏବଂ ସମସ୍ତଙ୍କୁ ସହାୟତା ଲାଗି ଅପିଲ କରୁଛନ୍ତି। ଏବେ ବଲିଉଡ୍‌ର ଖିଲାଡି ଷ୍ଟାର୍‌ ଅକ୍ଷୟ କୁମାର ଲୋକଙ୍କ ନିକଟରେ ଅକ୍ସିଜେନ ପହଞ୍ଚାଇ ତାଙ୍କ ଜୀବନ ରକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଅକ୍ଷୟଙ୍କ ସହିତ ତାଙ୍କ ପତ୍ନୀ ଟ୍ଵିଙ୍କିଲ ଖାନ୍ନା ବି ଦେଶରେ ଅକ୍ସିଜେନ ଅଭାବକୁ ନଜରରେ ରଖି ଲୋକଙ୍କୁ ସହାୟତା ନିମନ୍ତେ ପାଖାପାଖି ୧୦୦ ଅକ୍ସିଜେନ କନ୍‌ସେନଟ୍ରେଟର ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଉ ଏଥିପାଇଁ ଏହି ସେଲିବ୍ରିଟି ଦମ୍ପତି ଏକ ପଞ୍ଜୀକୃତ ଏନ୍‌ଜିଓ ଖୋଜୁଛନ୍ତି।

ଟ୍ଵିଙ୍କିଲ ନିଜ ଟ୍ଵିଟର ଆକାଉଣ୍ଟରେ ଲୋକଙ୍କଠୁ ସହାୟତା ମାଗି ଲେଖିଛନ୍ତି କି, ‘ଦୟାକରି, ମୋତେ ସତ୍ୟାର୍ପିତ, ଭରସାଯୋଗ୍ୟ ତଥା ପଞ୍ଜୀକୃତ ଏନ୍‌ଜିଓ ବିଷୟରେ ସୂଚନା ଦିଅନ୍ତୁ, ଯାହା ୧୦୦ ଅକ୍ସିଜେନ କନ୍‌ସେନଟ୍ରେଟର ବାଣ୍ଟିବାରେ ସହାୟତା କରିପାରିବ’। ଏଥିସହିତ ସେ କହିଛନ୍ତି, ଏ ସମସ୍ତ କନ୍‌ସେନଟ୍ରେଟରକୁ ତାଙ୍କ ପାଖରେ ସିଧା ୟୁକେରୁ ପହଞ୍ଚାଯିବ।

ଟ୍ଵିଙ୍କିଲ ସୂଚନା ଦେଇଥିଲେ କି, ଆମ ସହିତ ଲଣ୍ଡନରେ ଭାରତୀୟ ମୂଳ ୨ ଡାକ୍ତର ୧୨୦ ଅକ୍ସିଜେନ କନ୍‌ସେନଟ୍ରେଟର ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ସହାୟତା ପାଇଁ ମୋଟ ୨୨୦ ଅକ୍ସିଜେନ କନ୍‌ସେନଟ୍ରେଟର ବଣ୍ଟାଯିବ। ସୂଚନାଥାଉ କି, ଏଥି ପୂର୍ବରୁ ଅକ୍ଷୟ କରୋନା ରୋଗୀଙ୍କୁ ସହାୟତା ନିମନ୍ତେ ଗୌତମ ଗମ୍ଭୀର ଫାଉଣ୍ଡେଶନକୁ ୧ କୋଟି ଟଙ୍କା ଦାନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.