ଭାରତକୁ ସହାୟତା କରିବାକୁ ଆଗେଇ ଆସିଲା ସିଙ୍ଗାପୁର, ୨୫୬ ଅକ୍ସିଜେନ ସିଲିଣ୍ଡର ଧରି ବାହାରିଲା ବାୟୁସେନାର ସି-୧୩୦ ବିମାନ

ଦେଶରେ ଅକ୍ସିଜେନ ସଙ୍କଟ ଭିତରେ ସିଙ୍ଗାପୁରରୁ ଦୁଇଟି C-130 ବିମାନ ଅକ୍ସିଜେନ ସିଲିଣ୍ଡର ଧରି ଭାରତ ଅଭିମୁଖେ ଯାତ୍ରା କରିଛି। ଏହି ବିମାନ ଦୁଇଟି ଆଜି ଭାରତରେ ପହଞ୍ଚିବ। ସିଙ୍ଗାପୁର ସାଂସଦ ମାଲିକି ଉସ୍‌ମାନ ସବୁଜ ପତାକା ଦେଖାଇ ବିମାନ ଯାତ୍ରା ଆରମ୍ଭ କରିଥିଲେ। ସିଙ୍ଗାପୁର ବାୟୁସେନାର ଏହି ଦୁଇ ବିମାନ ୨୫୬ ଅକ୍ସିଜେନ ସିଲିଣ୍ଡର ଧରି ଭାରତ ଆସୁଛି।

୯ କ୍ରାୟୋଜେନିକ ଅକ୍ସିଜେନ ଟ୍ୟାଙ୍କର ଭାରତରେ ପହଞ୍ଚି ସାରିଛି

ଭାରତୀୟ ବାୟୁସେନା ଦୁବାଇ ଓ ସିଙ୍ଗାପୁରରୁ ୯ କ୍ରାୟୋଜେନିକ ଅକ୍ସିଜେନ ଟ୍ୟାଙ୍କରକୁ ଆକାଶ ମାର୍ଗ ଜରିଆରେ ଆଣି ପଶ୍ଚିମବଙ୍ଗର ପାନାଗଡ଼ ଏୟାରପୋର୍ଟରେ ପହଞ୍ଚାଇଛି। ବୁଧବାର ଜାରି ଅଫିସିଆଲ ବୟାନରେ କୁହାଯାଇଛି କି, ଏହି ଟ୍ୟାଙ୍କରଗୁଡ଼ିକୁ ମଙ୍ଗଳବାର ପାନାଗଡ଼ ଅଣାଯାଇଛି। ଏହା ବ୍ୟତୀତ ବାୟୁସେନାର ସି-୧୭ ବିମାନ ଇନ୍ଦୋରରୁ ୨ କ୍ରାୟୋଜେନିକ ଟ୍ୟାଙ୍କରକୁ ଜାମନଗର, ଯୋଧପୁରରୁ ୨ ଟ୍ୟାଙ୍କରକୁ ଉଦୟପୁର ଏବଂ ହିଣ୍ଡନରୁ ୨ ଟ୍ୟାଙ୍କରକୁ ରାଞ୍ଚି ନେଇ ଆସିଛି।

ସେହିପରି ବାୟୁସେନା ହାଇଦ୍ରାବାଦରୁ ୮ କ୍ରାୟୋଜେନିକ ଅକ୍ସିଜେନ ଟ୍ୟାଙ୍କର ଭୁବନେଶ୍ୱର, ୨ ଟ୍ୟାଙ୍କରକୁ ଭୋପାଳରୁ ରାଞ୍ଚି ଏବଂ ୨ ଟ୍ୟାଙ୍କରକୁ ଚଣ୍ଡୀଗଡ଼ରୁ ରାଞ୍ଚି ପହଞ୍ଚାଇଛି।