ଲୋକଙ୍କୁ ସଚେତନ କରିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟର ବିଜ୍ଞାପନ ସୁଟିଂ ଆରମ୍ଭ କଲେ ଅକ୍ଷୟ, ପାଳନ କଲେ ସବୁ ଗାଇଡ ଲାଇନ
ଲକଡାଉନ ଯୋଗୁଁ ସମଗ୍ର ବଲିଉଡ ଇଣ୍ଡଷ୍ଟ୍ରୀ ଠପ୍ ହୋଇପଡିଛି। ଏଥିପାଇଁ ସବୁ ସେଲିବ୍ରିଟି ହାତବାନ୍ଧି ଘରେ ବସିଛନ୍ତି। ଏବେ ଲକଡାଉନର ଚତୁର୍ଥ ପର୍ଯ୍ୟାୟ ସରିଆସୁଥିବା ବେଳେ କିଛି ନିୟମରେ କୋହଳ କରାଯାଇଛି। କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶିତ ହୋଇଥିବା ସବୁ ଗାଇଡଲାଇନ ମାନିବାକୁ କୁହାଯାଇଛି। ଏପରି ସ୍ଥଳେ ଖିଲାଡି କୁମାର ସୁଟିଂ ଆରମ୍ଭ କରିଛନ୍ତି।
ସୋମବାର ଖିଲାଡି ଅକ୍ଷୟ କୁମାର ଓ ଚଳଚ୍ଚିତ୍ର ନିର୍ମାତା ଆର୍ ବାଲ୍କି ଏକ ବିଜ୍ଞାପନ ସୁଟିଂ କରିଛନ୍ତି। ଲକଡାଉନ ପରବର୍ତ୍ତୀ ସମୟରେ କିଭଳି ସଚେତନ ରହିବାକୁ ହେବ ଓ ଏଥିପାଇଁ ପ୍ରତିଟି ନାଗରିକର କ’ଣ କ’ଣ ଦାୟିତ୍ବ ରହିଛି, ସେ ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆରମ୍ଭ ଏକ ଅଭିଯାନ ପାଇଁ ଏହି ବିଜ୍ଞାପନର ସୁଟିଂ ବୋଲି ଆର୍ ବାଲ୍କି କହିଛନ୍ତି। କମଲିସ୍ଥାନ ଷ୍ଟୁଡିଓରେ ଏହି ବିଜ୍ଞାପନର ସୁଟିଂ ହେଉଥିବା ବେଳେ କରୋନା ପାଇଁ ଆବଶ୍ୟକ ସତର୍କତା ଅବଲମ୍ବନ କରାଯାଉଥିବା ବାଲ୍କି କହିଛନ୍ତି। ସୁଟିଂ ସେଟରେ ସମସ୍ତେ ମାସ୍କ ପିନ୍ଧିବା ସହ କମ୍ରୁ କମ୍ ଲୋକଙ୍କୁ ନେଇ ସୁଟିଂ କରାଯାଇଛି।
ଏହି ବିଜ୍ଞାପନରେ ଲୋକମାନଙ୍କୁ କୁହାଯାଇଛି, ଆମକୁ ଆମ ଜୀବିକାକୁ ଫେରିବାକୁ ପଡ଼ିବ। କିନ୍ତୁ ଦାୟିତ୍ବର ସହ। ନିଜ ସହ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବାକୁ ବିଜ୍ଞାପନରେ ସତର୍କ କରାଯାଇଛି। ସୁଟିଂ ସେଟରେ ସାମାଜିକ ଦୂରତା ରକ୍ଷା କରିବା ସହ ସେଟ୍କୁ ସାନିଟାଇଜ୍ କରିବା, ସ୍କ୍ରିନ୍ଗୁଡ଼ିକୁ ବିଶୋଧିତ କରିବା ପରେ ସୁଟିଂ ଆରମ୍ଭ ହୋଇଛି।