ଫେଙ୍ଗଶୁଇର ଚମତ୍କାର, ଅନୁଷ୍କା ଶର୍ମା ରାତାରାତି ବନିଗଲେ ଷ୍ଟାର୍‌

ଅନୁଷ୍କା ଶର୍ମା । ବଲିଉଡ୍‌ର ଜଣେ ଭଲ ଅଭିନେତ୍ରୀ । ଚମତ୍କାର ଅଭିନୟ ତଥା ବ୍ୟକ୍ତିତ୍ୱ ପାଇଁ ବେଶ୍‌ ଚର୍ଚ୍ଚିତ । ପୁଣି ଭାରତୀୟ କ୍ରିକେଟ୍‌ କ୍ୟାପଟେନ୍‌ ବିରାଟ କୋହଲିଙ୍କୁ ବିବାହ କରିବା ଏବଂ ତାଙ୍କ ସନ୍ତାନର ମା ହେବା ପରେ ଅନୁଷ୍କାଙ୍କ ଚର୍ଚ୍ଚା ଆହୁରି ଜୋର ଧରିଛି । ତେବେ ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ସିନେମାକୁ ଆସିବା ପଛରେ ଏକ ବଢ଼ିଆ କାହାଣୀ ରହିଛି, ଯାହାକୁ ଖୁବ୍‌ କମ୍‌ ଲୋକ ଜାଣିଥିବେ ।
ଆପଣମାନେ ସମସ୍ତେ ଜାଣନ୍ତି ଯେ ବଲିଉଡ୍‌ରେ ପରିବାରବାଦକୁ ନେଇ ଅନେକ ଆଲୋଚନା ଓ ସମାଲୋଚନା ହେଉଛି । ଫିଲ୍ମ ଦୁନିଆ ବାହାର କଳାକାରଙ୍କୁ ଏଠି ପ୍ରବେଶ କରି ତିଷ୍ଠିବା ସହଜ ନୁହେଁ ବୋଲି କୁହାଯାଏ । ସେଭଳି କିଛି କଳାକାରଙ୍କ ଭିତରେ ଅଛନ୍ତି ଅନୁଷ୍କା ଶର୍ମା । ଯିଏକି ‘ରବ୍‌ନେ ବନାଦି ଯୋଡ଼ି’ରେ ପଦାର୍ପଣ କରିଥିଲେ । ଏହା ପୂର୍ବରୁ ବଲିଉଡ୍‌ ସହିତ ତାଙ୍କର କୌଣସି ସମ୍ପର୍କ ନଥିଲା । ଏମିତିକି ସେ ମଧ୍ୟ ଅଭିନୟ କ୍ଷେତ୍ରକୁ ଆସିବେ ବୋଲି ଆଦୌ ଭାବି ନଥିଲେ । ତାଙ୍କ ବାପା ଜଣେ ସେନା ଅଧିକାରୀ ଥିଲେ । ତେଣୁ ବେଙ୍ଗାଲୁର ଆର୍ମି ସ୍କୁଲରେ ଡିଗ୍ରୀ ହାସଲ କରିବା ପରେ ମଡେଲିଂ କରିବାକୁ ମୁମ୍ବାଇ ଚାଲି ଆସିଲେ । ଲ୍ୟାକ୍‌ମି ଭଳି କେତେକ ପ୍ରଡକ୍ଟରେ ବିଜ୍ଞାପନ କରିଥିଲେ । ରାମ୍ପ୍‌ ସୋ’ରେ ବି ନଜର ଆସିଲେ । ଏହି ସମୟରେ ୟଶ୍‌ରାଜ ଫିଲ୍ମସ୍‌ର ‘ରବ୍‌ନେ ବନାଦି ଯୋଡ଼ି’ ପାଇଁ ହିରୋଇନ୍‌ ଖୋଜା ଚାଲିଥିଲା ଏବଂ ସ୍କ୍ରିନ୍‌ ଟେଷ୍ଟ ଦେଇ ପାସ୍‌ କରିଗଲେ ସେ । ତା ପରେ ଫିଲ୍ମ ହିଟ୍‌ ହେଲା ଓ ଅନୁଷ୍କା ପାଳଟିଗଲେ ବଡ଼ ଷ୍ଟାର୍‌ ।
ତେବେ ଏସବୁ ଭିତରେ ତାଙ୍କ ମା ଅସୀମା ଶର୍ମା ଏକ ରହସ୍ୟର ପର୍ଦ୍ଦାଫାସ୍‌ କରିଛନ୍ତି । ଅନୁଷ୍କା ମଡେଲିଂ କଲା ବେଳେ ସିଏ କୁଆଡ଼େ ମନେ ମନେ ଏକ ସ୍ୱପ୍ନ ଦେଖୁଥିଲେ ଯେ ତାଙ୍କ ଝିଅ ବଡ଼ ବ୍ୟାନରରେ ଅଭିନୟ କରୁ । ଜଣେ ଫେଙ୍ଗସୁଇ ବିଶାରଦଙ୍କ ସହ କଥାବାର୍ତ୍ତା ବେଳେ ସେ କିଛି ପରାମର୍ଶ ଦେଇଥିଲେ । ଆଉ ତାକୁ ମାନିଥିଲେ ଅନୁଷ୍କାଙ୍କ ମମି । ଘରେ ମଙ୍ଗଳ ପାଇଁ ରଖା ଯାଉଥିବା ପିତ୍ତଳ କଇଁଛ ଭିତରେ ଏକ କାଗଜରେ ସେ ଲେଖି ଦେଇଥିଲେ ମୋ ଝିଅ ୟାଶରାଜ ବ୍ୟାପର କିମ୍ବା କରଣ ଜୋହରଙ୍କ ଫିଲ୍ମରେ ହିରୋଇନ୍‌ ହେଉ । ଆଉ ସତରେ ତାଙ୍କର ଇଚ୍ଛା ପୂରଣ ହୋଇଗଲା ଏବଂ ଆଦିତ୍ୟ ଚୋପ୍ରାଙ୍କ ନିର୍ଦ୍ଦେଶନାରେ ସେ ‘ରବ୍‌ ନେ ବନାଦି ଯୋଡ଼ି’ ଫିଲ୍ମରେ ଡେବ୍ୟୁ କରି ଶାହାରୁଖ ଖାନ୍‌ଙ୍କ ସହ ହିରୋଇନ୍‌ ହେଲେ । ଆଉ ଫିଲ୍ମ ସୁପର ଡୁପର ହିଟ୍‌ ହେଲା । ଅନୁଷ୍କା ଯେତେବେଳେ ଫିଲ୍ମ ସାଇନ୍‌ କଲେ ତା ପରେ ଯାଇ ମା ଅସୀମା ଶର୍ମା ତାଙ୍କୁ ଏହି ଫେଙ୍ଗସୁଇର ଯାଦୁ କଥା କହିଥିଲେ ।
ତେବେ ଏକଥା ସତ ଯେ ଫେଙ୍ଗସୁଇ ଯୋଗୁଁ ନୁହେଁ ନିଜ ପ୍ରତିଭା ଓ ଦକ୍ଷତା ବଳରେ ଅନୁଷ୍କା ଶର୍ମା ବଲିଉଡ୍‌ରେ ରାଜ୍‌ କରୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.