ସ୍କୁଲ ବେଳେ ବିଗ-ବି କରିଥିଲେ ଏମିତି ହରକତ, କେବିସି ଏପିସୋଡ଼ରେ ସେୟାର କଲେ ନିଜ ଅନୁଭୂତି

କୌନ ବନେଗା କରୋଡପତି -12ର କର୍ମବୀର ସ୍ପେସାଲ ଏପିସୋଡ଼ ଶୁକ୍ରବାର ପ୍ରସାରିତ ହୋଇଛି । ଆଉ ଏହି ଏପିସୋଡରେ ମୁଖ୍ୟ ଅତିଥି ଭାବରେ ଭୋପାଲର ଜଣେ ପ୍ରଧାନଶିକ୍ଷକ ଉଷା ଖାରେ ଓ ମହାରାଷ୍ଟ୍ର ସୋଲାପୁର ଜିଲ୍ଲାର ରଂଜିତ ଦିଶାଲେ ହଟ ସିଟରେ ଯୋଗ ଦେଇଥିଲେ । ଆଉ ଏଦୁହିଁଙ୍କୁ କମ୍ପାନୀ ଦେବାକୁ ଆସିଥିଲେ ବଲିଉଡର ଅନ୍ୟତମ ପ୍ରସିଦ୍ଧ ଅଭିନେତା ବୋମାନ ଇରାନୀ । ଏମିତିରେ କେବିସିରେ ଅଧିକାଂଶ ସମୟରେ ଅମିତାଭ ନିଜ ବ୍ୟକ୍ତିଗତ ଜୀବନ ସହ ଜଡିତ ରୋଚକ କାହାଣୀମାନ ସେୟାର କରିଥାନ୍ତି । ଆଉ ଏହି ଏପିସୋଡ଼ରେ ଅମିତାଭ ନିଜ ସ୍କୁଲ ସମୟର ଏକ ଅନୁଭୂତିକୁ ସେୟାର କରିଛନ୍ତି ।

କଥା କଥାରେ ବିଗ ବି, ବୋମାନଙ୍କୁ ତାଙ୍କ ସ୍କୁଲ ବେଳ କେମିତି କଟିଥିଲା ସେ ବିଷୟରେ ପଚାରିଥିଲେ । ଏହାର ଜବାବରେ ବୋମାନ ନିଜ ଅତୀତକୁ ଖୁବ ଉତ୍ସୁକତାର ସହ ବଖାଣି ଥିଲେ । ଛୋଟ ବେଳେ କଥା କହିବା ସମୟରେ, ଗୀତ ଗାଇବା ସମୟରେ, ପରଫରମାନ୍ସ ସମୟରେ ବୋମାନଙ୍କ ପାଟି ଲାଗୁଥିଲା । ଆଉ ଏଥିପାଇଁ ତାଙ୍କୁ ସାଙ୍ଗ ମାନଙ୍କ ଠାରୁ ଅନେକ ଟାହି ଟାପରାର ସାମ୍ନା କରିବାକୁ ପଡିଥିଲା । ଶେଷରେ ମା’ଙ୍କ ଚେଷ୍ଟାରେ ହିଁ ବୋମାନଙ୍କ ଏହି ସମସ୍ୟା ଦୂର ହୋଇଥିଲା । ବୋମାନଙ୍କ ଠାରୁ ଏହା ଶୁଣି ଅମିତାଭ ବି ନିଜ ପିଲାବେଳର ଏକ ଅଭୁଲା ଅନୁଭୂତି କହିଥିଲେ । ସ୍କୁଲରେ ପଢ଼ୁଥିବା ସମୟରେ ସାଙ୍ଗମାନଙ୍କ ସହ ଏକାଠି ବସିଥିବା ବେଳେ ହଠାତ ଏକ “ରକ ବାଇପର” ସାପ କେଉଁଠୁ ଆସି ସେମାନଙ୍କ ଉପରେ ଆକ୍ରମଣ କରିବାକୁ ଲାଗିଲା । ସେଠାରେ ଥିବା ସମସ୍ତେ ଭୟଭୀତ ହୋଇ କିଏ କେଉଁ ଆଡେ ଦୌଡ଼ି ପଳାଉଥିବା ସମୟରେ ବାଟରେ ଏକ ଶିକାରୀକୁ ଦେଖିବାକୁ ପାଇଲେ ।

ସାପ ବିଷୟରେ ଶିକାରୀକୁ କହିବାରୁ ସେ  ତତକ୍ଷଣାତ ଗୁଳି ମାରି ସାପଟିକୁ ମାରିଦେଇଥିଲା । କିନ୍ତୁ ଅମିତାଭଙ୍କୁ ଏହି ଘଟଣାଟି ଖୁବ ଦୁଃଖ ଦେଇଥିଲା । ଆଉ ସେ ନିଜ ହକି ଷ୍ଟିକରେ ମଲା ସାପ ଟିକୁ ନେଇ ସ୍କୁଲରେ ପହଂଚିଥିଲେ । କିନ୍ତୁ ପ୍ରିନ୍ସିପାଲ ସାର ଏହାକୁ ଓଲଟା ଭାବି ବସିଥିଲେ । ଅମିତାଭ ହିଁ ସାପ ଟିକୁ ମାରିଛନ୍ତି ଭାବି ଛାତ୍ର ଅମିତାଭଙ୍କୁ ସାର ଖୁବ ପିଟିଥିଲେ । ସୂଚନାଯୋଗ୍ୟ କି, ଏପିସୋଡ଼ ଶେଷରେ ଉଷା, ରଂଜିତ ଓ ବୋମାନଙ୍କ ଏହି ଯୋଡି ୫୦ ଲକ୍ଷ ପର୍ଯ୍ୟନ୍ତ ଅର୍ଥରାଶି ଜିତିବାରେ ସକ୍ଷମ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.