ପଞ୍ଚଭୂତରେ ଲୀନ ହେଲେ ଇରଫାନ ଖାନ୍, ଜାଣନ୍ତୁ ତାଙ୍କ ସଂଘର୍ଷମୟ ଜୀବନ ବିଷୟରେ…

ଆଖିବୁଜିଲେ ବଲିଉଡର ଆଉ ଜଣେ ଆଗଧାଡ଼ି କଳାକାର। ନିଜ ଯାଦୁଗରୀ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖିଥିବା ଇରଫାନ ଖାନ୍ ଆଜି ମୃତ୍ୟୁର କୋଳରେ ଚିରଦିନ ପାଇଁ ଶୋଇଯାଇଛନ୍ତି। ୫୪ ବର୍ଷ ବୟସରେ ପେଟ ଓ ମଳାଶୟ ସଂକ୍ରମଣ ଯୋଗୁ କୋକିଲାବେନ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ତାଙ୍କ ଏଭଳି ଅଚାନକ ମୃତ୍ୟୁରେ ସ୍ତବ୍ଧ ହୋଇପଡ଼ିଛି ସାରା ବଲିଉଡ ଜଗତ। ଆସନ୍ତୁ ଜାଣିବା ଏହି ମହାନ କଳାକାରଙ୍କ ବିଷୟରେ କିଛି ଅଜଣା କଥା…
୧୯୬୭ ମସିହା ଜାନୁଆରୀ ୭ ତାରିଖରେ ଜୟପୁରର ଏକ ମୁସଲିମ ପରିବାରରେ ଇରଫାନଙ୍କ ଜନ୍ମ। ତାଙ୍କ ସମ୍ପୂର୍ଣ୍ଣ ନାଁ ହେଉଛି ସାହବଜାଦେ ଇରଫାନ ଅଲ୍ଲୀ ଖାନ। ତାଙ୍କ ପିତା ଟାୟାର ବିଜନେସ କରୁଥିଲେ। ଇରଫାନ କେବଳ ବଲିଉଡ ନୁହେଁ ହଲିଉଡ଼ରେ ମଧ୍ୟ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି। ମାତ୍ର ଏତିକି ଦିନର ଜୀବନରେ ଇରଫାନ ବହୁ ଚ୍ୟାଲେଞ୍ଜର ସାମ୍ନା କରିଛନ୍ତି। ଦୀର୍ଘ ଦିନ ଧରି ସେ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିଲେ, କିନ୍ତୁ ଶେଷରେ ହାରିଗଲେ।
ଇରଫାନଙ୍କୁ ପ୍ରଥମେ ସଲାମ ବମ୍ବେ ଫିଲ୍ମରେ ଏକ ଛୋଟ ଭୂମିକା ମିଳିଥିଲା। ସେହି ଭୂମିକାକୁ ସେ ଏତେ ସୁନ୍ଦର ଭାବେ ଉପସ୍ଥାପିତ କରିଥିଲେ ଯେ ତା ପରଠୁ ତାଙ୍କୁ ଅଫର ପରେ ଅଫର ମିଳିଚାଲିଥିଲା। ସେ ଦ ୱାରିୟର, ମକବୁଲ, ହାସିଲ, ଦ ନେମସେକ, ରୋଗ, ପାନସିଂହ ତୋମାର, ଦ ଲଞ୍ଚବକ୍ସ, ତଲବାର, ଲାଇଫ ଅଫ ପାଏ, ମୁମ୍ବାଇ ମେରି ଜାନ, ସାହେବ ବିବି ଔର ଗ୍ୟାଙ୍ଗଷ୍ଟର ରିଟର୍ଣ୍ଣସ, ହିନ୍ଦୀ ମିଡିୟମ ଭଳି ଫିଲ୍ମରେ ଅଭିନୟ କରିଛନ୍ତି। ହଲିଉଡରେ ସେ ଏ ମାଇଟି ହାର୍ଟ, ସ୍ଲମ ଡଗ ମିଲେନିୟର ଓ ଦ ଅମେଜିଙ୍ଗ ସ୍ପାଇଡର ମ୍ୟାନ ଭଳି ଫିଲ୍ମରେ ଅଭିନୟ କରିଛନ୍ତି।
ପାନ ସିଂହ ତୋମାର ଫିଲ୍ମ ପାଇଁ ଇରଫାନଙ୍କୁ ଜାତୀୟ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି। କେବଳ ଏତିକି ନୁହେଁ ୨୦୧୧ ମସିହାରେ ଭାରତ ସରକାରଙ୍କ ତରଫରୁ ତାଙ୍କୁ ସମ୍ମାନଜନକ ପଦ୍ମଶ୍ରୀରେ ମଧ୍ୟ ଭୂଷିତ କରାଯାଇଛି।
ନ୍ୟୁରୋଏଣ୍ଡମାଇନ କ୍ୟାନସରରେ ପୀଡିତ ହୋଇ ସେ ନ୍ୟୁୟର୍କରେ ଚିକିତ୍ସା କରାଇ ସୁସ୍ଥ ହୋଇଫେରିଥିଲେ। କିନ୍ତୁ ଆଜି ସବୁଦିନ ପାଇଁ ଇହଜଗତରୁ ବିଦାୟ ନେଇଛନ୍ତି। ଇରଫାନଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଟ୍ୱିଟରରେ ତାଙ୍କୁ ବିଭିନ୍ନ କଳାକାରମାନେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ଫିଲ୍ମ ନିର୍ମାତା ସୁଜିତ ସରକାର ଲେଖିଛନ୍ତି ଯେ ମୋ ପ୍ରିୟ ବନ୍ଧୁ ଇରଫାନ ଆପଣ ଲଢ଼ିଲେ, ଲଢ଼ିଲେ ଓ ଲଢ଼ିଲେ। ମୁଁ ଆପଣଙ୍କ ପାଇଁ ଗର୍ବିତ… ଆମେ ପୁଣି ଥରେ ଦେଖାହେବା। ଶାନ୍ତି ଓ ଓଁ ଶାନ୍ତି।
T 3516 – .. just getting news of the passing of Irfaan Khan .. this is a most disturbing and sad news .. 🙏
An incredible talent .. a gracious colleague .. a prolific contributor to the World of Cinema .. left us too soon .. creating a huge vacuum ..
Prayers and duas 🙏— Amitabh Bachchan (@SrBachchan) April 29, 2020
ବଲିଉଡର ଶେହେନଶା ଅମିତାଭ ବଚ୍ଚନ ମଧ୍ୟ ଇରଫାନଙ୍କ ମୃତ୍ୟୁ ଖବର ଶୁଣି ଶୋକବ୍ୟକ୍ତ କରିଛନ୍ତି। ସେ ଟ୍ୱିଟ କରି ଲେଖିଛନ୍ତି ଯେ ଏହା ଏକ ଦୁଃଖଦ ଖବର। ଅବିଶ୍ୱାସନୀୟ ପ୍ରତିଭା… ମହାନ ସହଯୋଗୀ… ସିନେମାଜଗତର ଜଣେ ବଡ଼ ଯୋଗଦାତା… ଆମକୁ ବହୁତ ଜଲଦି ଛାଡ଼ିକି ଚାଲିଗଲେ।