ଲକଡାଉନରେ ଏକା ରହୁଥିବା ବୃଦ୍ଧଙ୍କ ଜନ୍ମଦିନରେ କେକ ନେଇ ପହଞ୍ଚିଗଲେ ପୋଲିସ, ଆଉ କହିଲେ ଆମେ ବି ଆପଣଙ୍କ ପିଲା, ଦେଖନ୍ତୁ ଭିଡିଓ

ଦେଶରେ କରୋନାଭାଇରସ୍ ସହିତ ମୁକାବିଲା ପାଇଁ ଲକଡାଉନ୍ ଲାଗୁ କରାଯାଇଛି । ଏଭଳି ପରିସ୍ଥିତିରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଘରେ ରହିବାକୁ ଅନୁରୋଧ କରାଯାଇଛି । କେତେକ ଜିଲ୍ଲାରେ ମଧ୍ୟ ଆବଶ୍ୟକତା ବ୍ୟତୀତ ଲୋକମାନେ ଘରୁ ବାହାରକୁ ନଯିବାକୁ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ତେବେ ଆମ ଭିତରେ କିଛି ବୃଦ୍ଧଲୋକ ଅଛନ୍ତି ଯାହାଙ୍କ ପିଲାମାନେ ସେମାନଙ୍କଠାରୁ ଦୂରରେ ରୁହନ୍ତି । ବର୍ତ୍ତମାନ ସମୟରେ ସେମାନେ ଘରେ ଏକୁଟିଆ ରହୁଛନ୍ତି । ସେପଟେ ପୋଲିସ ମଧ୍ୟ ସେମାନଙ୍କ ଯତ୍ନ ନେଉଛି । ତେବେ ନିକଟରେ ହରିୟାଣାରୁ ଏପରି ଏକ ଭିଡିଓ ଆସିଛି ଯେଉଁଠି ଜଣେ ବୃଦ୍ଧଙ୍କ ଜନ୍ମଦିନରେ କେକ୍ ଧରି ତାଙ୍କ ଘରେ ପହଂଚିଛନ୍ତି ପୋଲିସ କର୍ମଚାରୀ ଏବଂ ସେମାନଙ୍କୁ ଦେଖି ବୃଦ୍ଧଙ୍କ ଆଖିରେ ଲୁହ ଆସିଯାଇଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ ମହିଳା ଓ ପୁରୁଷ ପୋଲିସକର୍ମୀ ପଞ୍ଚକୁଲାର ସେକ୍ଟର ୭ରେ ଏକାକୀ ରହୁଥିବା ବୃଦ୍ଧଙ୍କ ଘରେ ପହଞ୍ଚିଛନ୍ତି । ତାଙ୍କ ହାତରେ ରହିଛି ଏକ କେକ୍ । ତେବେ ପୋଲିସ କର୍ମଚାରୀଙ୍କୁ ଘର ସାମ୍ନାରେ ଦେଖି ବୃଦ୍ଧ ଜଣକ ଘରୁ ବାହାରି ଆସି କହୁଛନ୍ତି ମୋର ନାମ କରଣ ପୁରୀ, ମୁଁ ଏକୁଟିଆ ରହେ ଏବଂ ମୋ ପିଲାମାନେ ବାହାରେ ରୁହନ୍ତି । ମୁଁ ଜଣେ ବରିଷ୍ଠ ନାଗରିକ । ତେବେ ଏତିକି କହିବା ପରେ ପୋଲିସ କର୍ମଚାରୀମାନେ ହାପି ବାର୍ଥ ଡେ ଗୀତ ଗାଇବା ଆରମ୍ଭ କରିଥିଲେ । ଏହା ପରେ କରଣଙ୍କ ଆଖିରେ ଲୁହ ଆସିଯାଇଥିଲା ଏବଂ ସେ କାନ୍ଦିବାକୁ ଲାଗିଲେ । ତେବେ ସେ କାନ୍ଦୁଥିବାର ଦେଖି ପୋଲିସ କର୍ମଚାରୀ ମାନେ ତାଙ୍କ ପାଖକୁ ଯାଇ କେକ କଟାଇଥିଲେ ଏବଂ କହିଥିଲେ ଯେ ଆପଣ ମନଦୁଃଖ କରନ୍ତୁ ନାହିଁ, ଆମେ ମଧ୍ୟ ଆପଣଙ୍କ ପିଲା । ଏହାପରେ ବୃଦ୍ଧ ଜଣକ ଖୁସି ହୋଇଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.