ରିଲିଜ୍ ହେଲା ଫରହାନଙ୍କ ଦମଦାର ଫିଲ୍ମ ‘ତୁଫାନ୍’ର ଟ୍ରେଲର

ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ‘ତୁଫାନ୍’ର ଟ୍ରେଲର ଗତକାଲି ରିଲିଜ୍ ହୋଇଛି। ଟ୍ରେଲରରେ ଅଭିନେତା ଫରହାନ ଅଖତରଙ୍କୁ ଜଣେ ବକ୍ସର ଭୂମିକାରେ ଦେଖିବାକୁ ମିଳିଛି। ଏଥିରେ ଫରହାନ୍ ଅଖତରଙ୍କ ଲୁକ୍ ବେଶ୍ ପ୍ରଭାବଶାଳୀ ରହିଛି। ଫରହାନ୍ ‘ତୁଫାନ୍’ ପାଇଁ ଅନେକ ତାଲିମ ନେଇଥିଲେ, ଯାହା ଟ୍ରେଲରରୁ ସ୍ପଷ୍ଟ ବାରି ହୋଇପଡ଼ୁଛି। ‘ତୁଫାନ୍’ ଆମାଜନ ପ୍ରାଇମ୍ ଭିଡିଓରେ ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ ଜୁଲାଇ ୧୬ ତାରିଖରେ ମୁକ୍ତିଲାଭ କରିବ।

‘ତୁଫାନ୍’ ଏକ ପ୍ରେରଣାଦାୟକ ସ୍ପୋର୍ଟ୍ସ ଡ୍ରାମା ଭିତ୍ତିକ ଫିଲ୍ମ। ଏହା ଅଜିଜ୍ ଅଲୀଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ କରାଯାଇଛି। ଫିଲ୍ମରେ ଅଜିଜ୍ ଅଲୀଙ୍କ ଚରିତ୍ରରେ ଫରହାନ ଅଭିନୟ କରିଥିବାବେଳେ ତାଙ୍କ ବିପକ୍ଷରେ ନାୟିକା ଭାବେ ଅଭିନେତ୍ରୀ ମୃଣାଳ ଠାକୁର ଅଭିନୟ କରିଛନ୍ତି। ମୃଣାଳଙ୍କ ବ୍ୟତୀତ ପରେଶ ରାୱଲ, ସୁପ୍ରିୟା ପାଠକ କପୁର, ହୁସୈନ ଦଲାଲ, ଦର୍ଶନ କୁମାର ଓ ବିଜୟ ରାଜ ପ୍ରମୁଖ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଫିଲ୍ମର ଟ୍ରେଲର ରିଲିଜ ହେବା ପରଠାରୁ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିଯାଇଛି।

ଏହି ଫିଲ୍ମର ପ୍ରଯୋଜନା ରିତେଶ ସିଧୱାନୀ, ରାକେଶ ଓମ ପ୍ରକାଶ ମେହରା ଓ ଫରହାନ ଅଖତର କରିଛନ୍ତି। ରାକେଶ ଓମପ୍ରକାଶ ମେହରା ଏହି ଫିଲ୍ମର ନିର୍ଦେଶନା ଦାୟିତ୍ୱ ନେଇଛନ୍ତି। ଫରହାନ ଓ ରାକେଶ ଓମପ୍ରକାଶ ୭ ବର୍ଷ ପରେ ଏକାଠି କାମ କରିଛନ୍ତି। ଏହା ପୂର୍ବରୁ ସେ ‘ଭାଗ ମିଲଖା ଭାଗ’ରେ ଏକାଠି କାମ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.