ପରଦାକୁ ଆସିଲା ରଣବୀର ସିଂଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘83’

ମୁମ୍ବାଇ: ପରଦାକୁ ଆସିଲା ରଣବୀର ସିଂଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘83’ । ପ୍ରାୟ ଦେଢ ବର୍ଷ ହେବ ଦର୍ଶକ ଏହି ଫିଲ୍ମକୁ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରି ରହିିଛନ୍ତି। ୧୯୮୩ରେ ପ୍ରଥମ ଥର ପାଇଁ ବିଶ୍ୱ କପ ହାତେଇ ଥିଲା ଭାରତୀୟ କ୍ରିକେଟ ଟିମ୍। କ୍ୟାପଟେନ କପିଲ ଦେବଙ୍କ ନେତୃତ୍ୱରେ ବିଶ୍ୱ କପ ଜିତିଥିଲା ଭାରତ। ଏହି ବିଜୟ ଯାତ୍ରା ପଛରେ ବହୁ ପ୍ରେରଣାଦାୟୀ କାହାଣୀ ରହିଛି। ଏହାକୁ ପରଦାରେ ଉତାରିଛନ୍ତି ନିର୍ଦ୍ଦେଶକ କବୀର ଖାନ୍। କପିଲ ଦେବଙ୍କ ଭୂମିକାରେ ଅଭିନୟ କରିଛନ୍ତି ରଣବୀର ସିଂ। ଦୀପିକା ପାଦୁକୋନ ତାଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଛନ୍ତି।
ସୂଚନା ଥାଉକି, ଆଜି ୮୩ ପରଦାକୁ ଆସିଛି। ତେବେ ଏହି ଫିଲ୍ମର ରିଲିଜ୍କୁ ନେଇ ଦିଲ୍ଲୀ ସରକାର ନିକଟରେ ଏକ ବଡ଼ ଘୋଷଣା କରିଛନ୍ତି। ଦିଲ୍ଲୀ ସରକାର ଘୋଷଣା କରିଛନ୍ତି ଯେ ରଣବୀର ସିଂହଙ୍କ ଅଭିନୀତ ବଲିଉଡ୍ ଫିଲ୍ମ ୮୩କୁ ଦିଲ୍ଲୀରେ କର ମୁକ୍ତ କରାଯିବ। ଦିଲ୍ଲୀରେ ୮୩ ପାଇଁ କୌଣସି ଟ୍ୟାକ୍ସ ଆଦାୟ କରାଯିବ ନାହିଁ ବୋଲି କେଜରିଓ୍ଵାଲ ସରକାର ଘୋଷଣା କରିଛନ୍ତି।
ଏପଟେ ଏହି ଫିଲ୍ମରେ ନିଜ ଅଭିନୟ ବିଷୟରେ ଆଲୋଚନା କରିବା ଅବସରରେ ରଣବୀର ସିଂହ କହିଛନ୍ତି, କପିଲ ଦେବଙ୍କ ଭଳି ବ୍ୟାଟିଂ କରିବା ତାଙ୍କ ଜୀବନର ସବୁଠାରୁ କଷ୍ଟକର କାମ ଥିଲା।୮୩ରେ ରଣବୀରଙ୍କ ସହ ତାହିର ରାଜ ଭସିନ୍, ଜିବା, ସାକିବ ସଲିମ୍, ଯତୀନ ସରନା, ଚିରାଗ ପାଟିଲ, ଦିନକର ଶର୍ମା, ନିଶାନ୍ତ ଦହିୟା, ସାହିଏ ଖଟ୍ଟର, ଏମି ଓ୍ଵିର୍କ, ହାର୍ଡି ସନ୍ଧୁ, ଆଦିନାଥ କୋଠାରେ, ଧୈର୍ଯ୍ୟ କରବା, ପଙ୍କଜ ତ୍ରିପାଠୀ ପ୍ରମୁଖ ନଜର ଆସିବେ।
ଫିଲ୍ମରେ ଦୀପିକା ପାଦୁକୋନ୍ କପିଲ ଦେବଙ୍କ ପତ୍ନୀ ରୋମୀ ଭୂମିକାରେ ନଜର ଆସିବେ। ଡିସେମ୍ବର ୨୪ରେ ଫିଲ୍ମ ୮୩ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲାୟଲମ୍ ଭାଷାରେ ବଡ଼ ପରଦାକୁ ଆସିବ। ଏହି ଫିଲ୍ମକୁ ଦୀପିକା ପାଦୁକୋନ, ବିଷ୍ଣୁବର୍ଦ୍ଧନ ଇନ୍ଦୁରୀ, ସାଜିଦ ନାଡିଓ୍ଵାଡଓ୍ଵାଲ ପ୍ରଯୋଜନା କରୁଛନ୍ତି।