ହ୍ରିତିକ୍‌ ରୋଶନଙ୍କ ଆଈ ପଦ୍ମାରାଣୀ ଓମ୍‌ପ୍ରକାଶଙ୍କ ୯୧ ବର୍ଷ ବୟସରେ ପରଲୋକ, ଦୀର୍ଘ ଦିନରୁ ଥିଲେ ଅସୁସ୍ଥ

ବଲିଉଡ୍‌ର ରୋଶନ ପରିବାରରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ହ୍ରିତିକ୍‌ ରୋଶନଙ୍କ ଆଈ ପଦ୍ମାରାଣୀ ଓମ୍‌ପ୍ରକାଶଙ୍କ ୯୧ ବର୍ଷ ବୟସରେ ପରଲୋକ ଘଟିଛି। ଅଭିନେତାଙ୍କ ଆଈ ଗତକାଲି ଜୁନ୍‌ ୧୬ରେ ମୁମ୍ବାଇରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ପଦ୍ମାରାଣୀ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ। ବୟସାଧିକ ସମସ୍ୟା କାରଣରୁ ତାଙ୍କର ନିଧନ ହୋଇଛି।

ପଦ୍ମାରାଣୀ ଫିଲ୍ମ ନିର୍ମାତା ଜେ ଓମ୍‌ପ୍ରକାଶଙ୍କ ପତ୍ନୀ। ଜେ ଓମ୍‌ପ୍ରକାଶଙ୍କ ୨୦୧୯, ଅଗଷ୍ଟ ୭ରେ ପରଲୋକ ଘଟିଥିଲା। ସେ ଥିଲେ ହ୍ରିତିକ୍‌ଙ୍କ ମାଆ ପିଙ୍କି ରୋଶନଙ୍କ ବାପା। ପଦ୍ମାରାଣୀ ଗତ ଦୁଇବର୍ଷ ହେବ ରୋଶନ ପରିବାର ସହିତ ରହି ଆସୁଥିଲେ। ସୋସିଆଲ ମିଡିଆରେ ପିଙ୍କି ରୋଶନ ନିଜ ମା’ଙ୍କର ଅନେକ ଫଟୋ ସେୟାର କରୁଥିଲେ। ଏହି ଫଟୋଗୁଡ଼ିକରେ ପଦ୍ମାରାଣୀ ସବୁବେଳେ ବେଡ୍‌ ଉପରେ ଶୋଇ ରହିଥିବାର ନଜର ଆସୁଥିଲେ।

କହି ରଖୁଛୁ, ହ୍ରିତିକ୍‌ ରୋଶନଙ୍କ ଅଜା ଜେ ଓମ୍‌ପ୍ରକାଶ ବଲିଉଡ୍‌ର ଜଣାଶୁଣା ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଥିଲେ। ସେ ଫିଲ୍ମ ‘ଆପ୍‌ କି କସମ୍‌’ରୁ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ରଖିଥିଲେ। ଜେ ଓମ୍‌ପ୍ରକାଶ ଅପ୍‌ନା ବନା ଲୋ, ଅପନାପନ, ଆଶା, ଅର୍ପଣ, ଆଦ୍‌ମୀ ଖିଲୌନା ଭଳି ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.