ପୁଣି ସୁଟିଂ ଆରମ୍ଭ କଲେ ଇରାଫାନ୍ ଖାନ୍, ତାଙ୍କୁ ଜଗୁଛନ୍ତି ୧୮ ଜଣ ସୁରକ୍ଷା କର୍ମୀ

ବଲିଉଡ୍ ଅଭିନେତା ଇରଫାନ୍ ଖାନ୍ । ବଡ଼ ରୋଗର ଶିକାର ହେବା ପରେ ଲଣ୍ଡନରେ ଚାଲିଥିଲା ଇରଫାନ୍ଙ୍କ ଚିକିତ୍ସା । ସେଠାରୁ ଫେରିବା ପରେ ପୁଣି ସୁଟିଂ ଆରମ୍ଭ କରିଦେଇଛନ୍ତି । ଏବେ ରାଜସ୍ଥାନ ଉଦୟପୁରରେ ସେ ଫିଲ୍ମ ‘ଅଙ୍ଗରେଜୀ ମିଡିୟମ୍’ର ସୁଟିଂ ଆରମ୍ଭ କରିଛନ୍ତି । ସେ ଲଗାତର ପ୍ରାୟ ୩ ଘଣ୍ଟା ଯାଏ ସୁଟିଂ କରିଥିଲେ । ଏହା ଭିତରେ ସେ ହେଲମେଟ୍ ଲଗାଇ ସ୍କୁଟରରେ ବୁଲୁଥିବାର ମଧ୍ୟ ଦେଖା ଯାଇଥିଲା ।
ଇରଫାନ୍ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଉଦୟପୁରରେ ରହିବେ । ତାଙ୍କ ପାଇଁ ବ୍ରହ୍ମପୁରୀ ଅଞ୍ଚଳରେ ସ୍ୱତନ୍ତ୍ର ଭାବେ ଏକ ଘର ବ୍ୟବସ୍ଥା କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟଗତ କାରଣରୁ ମୁମ୍ବାଇରୁ ୧୮ ଜଣ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କୁ ସେ ସାଙ୍ଗରେ ଆଣିଛନ୍ତି । ଯେଉଁମାନେ କାହାକୁ ବି ତାଙ୍କ ପାଖକୁ ଯିବାକୁ ଦେଉନାହାନ୍ତି । ଇରଫାନ୍ଙ୍କୁ ନ୍ୟୁରୋ ଏଣ୍ଡୋକ୍ରାଇନ୍ ଟ୍ୟୁମର ହୋଇଛି । ଯାହା ଏକ ବିରଳ ରୋଗ । ଏହାର ଚିକିତ୍ସା ଚାଲିଥିବାରୁ ତାଙ୍କୁ ବିଭିନ୍ନ ଦିଗ ପ୍ରତି ସତର୍କ ରହିବାକୁ ପଡୁଛି । ଲଣ୍ଡନରୁ ଚିକିତ୍ସିତ ହୋଇ ଫେରିବା ପରେ ଇରଫାନ୍ ତାଙ୍କ ଫ୍ୟାନ୍ମାନଙ୍କୁ ତାଙ୍କୁ ଉତ୍ସାହିତ କରିଥିବାରୁ ଧନ୍ୟବାଦ ଜଣାଇଥିଲେ ।
ମଜା କଥା ହେଉଛି ଉଦୟପୁରରେ ସେ ଏବେ ଯେଉଁ ଘରେ ରହୁଛନ୍ତି ସେଠାକୁ ଆଖପାଖ ଲୋକେ ସମସ୍ତେ ଘର ମାଲିକର ସମ୍ପର୍କୀୟ କହି ପଶିବାକୁ ଚେଷ୍ଟା କରୁଛନ୍ତି । କାରଣ ଟିକେ ଇରଫାନ୍ଙ୍କୁ ଭେଟିବେ । ହେଲେ ସୁରକ୍ଷା କର୍ମୀଙ୍କ କାରଣରୁ ଅଧିକାଂଶ ଲୋକଙ୍କୁ ନିରାଶ ହେବାକୁ ପଡୁଛି ।
ଫିଲ୍ମ ‘ଅଙ୍ଗରେଜୀ ମିଡିୟମ୍’ରେ ରାଧିକା ମଦାନ ଇରଫାନ୍ଙ୍କ ଝିଅ ଭୂମିକାରେ ଅଭିନୟ କରିଛନ୍ତି । ତାଙ୍କରି ପାଠପଢ଼ାକୁ ନେଇ ଫିଲ୍ମର କାହାଣୀ । ଏଥିରେ କରିନା କପୁର ମଧ୍ୟ ଅଭିନୟ କରିବେ ।