ଗତ ୧୪ ତାରିଖ ମୁମ୍ବାଇର ବାନ୍ଦ୍ରା ସ୍ଥିତ ବାସଭବନରେ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣା ସମସ୍ତଙ୍କୁ ଯେମିତି ଏକପ୍ରକାର ଚକିତ କରିଛି । ବଲିଉଡ କଳାକାରଙ୍କ ଠାରୁ ଆରମ୍ଭ କରି ସୁଶାନ୍ତଙ୍କ ଫ୍ୟାନ୍ସ ମାନେ ଏଯାବତ ଏହି ସତକୁ ଗ୍ରହଣ କରିପାରିନାହାନ୍ତି । ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ସହ ଜଡିତ ଅନେକ ଭିଡିଓ ସାମ୍ନାକୁ ଆସିବାରେ ଲାଗିଛି । ଏଭିତରେ କ୍ୟାଟ୍ରିନା କେଫଙ୍କର ବି ଏକ ଭିଡିଓ ସୁଶାନ୍ତଙ୍କ ପ୍ରଶଂସଙ୍କ ମାନଙ୍କ ମଧ୍ୟରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଟିରେ କ୍ୟାଟ୍ରିନା ସୁଶାନ୍ତଙ୍କ ଅଭିନୀତ “ଏମଏସ ଧୋନୀ : ଦ ଅନଟୋଲଡ ଷ୍ଟୋରି” ବାବଦରେ କହୁଥିବା ଦେଖାଦେଇଛି । କୁହାଯାଉଛିକି, ଏହି ଭିଡିଓଟି ତିନି ଚାରି ବର୍ଷ ପୁରୁଣା ହେବ । ଲାଇଭ ଚାଟ ସମୟରେ ଜଣେ ପ୍ରସଂଶକ ତାଙ୍କୁ ପଚାରୁଛନ୍ତିକି, ଏହି ଫିଲ୍ମରେ କାହାର ଅଭିନୟ ତାଙ୍କୁ ବେଶୀ ପସନ୍ଦ ଆସିଛି ।
ଜବାବରେ କ୍ୟାଟ୍ରିନା କହିଥିଲେକି, ତାଙ୍କୁ ସିନେମା ଟିରେ ସବୁଠୁ ଅଧିକ ସୁଶାନ୍ତଙ୍କ ଅଭିନୟ ପସନ୍ଦ ଆସିଛି । କ୍ୟାଟ୍ରିନା ଆହୁରି ମଧ୍ୟ କହିଥିଲେକି ତାଙ୍କୁ ସୁଶାନ୍ତଙ୍କ କାମ ବି ଖୁବ ପସନ୍ଦ ଆସିଛି । କ୍ୟାଟ୍ରିନାଙ୍କ ଅନୁଯାୟୀ, ତାଙ୍କ ସହ ତାଙ୍କ ସାଙ୍ଗ ଅଭିଷେକ କାପୁର (ନିର୍ଦ୍ଦେଶକ)ବି ସୁଶାନ୍ତଙ୍କ ଅଭିନୟକୁ ଖୁବ ପସନ୍ଦ କରିଛନ୍ତି । କହିରଖିବା ଉଚିତ ହେବକି, ନିର୍ଦ୍ଦେଶକ ଅଭିଷେକ ହିଁ ସୁଶାନ୍ତଙ୍କୁ “କାଇ ପୋ ଚେ”ରେ ବଲିଉଡ ଜଗତରେ ପ୍ରବେଶ କରିବାର ସୁଯୋଗ ଦେଇଥିଲେ । କ୍ୟାଟ୍ରିନା ଏହି ଭିଡିଓଟି କରିବା ବେଳେ “ଏମଏସ ଧୋନୀ” (୨୦୧୬ ) ବକ୍ସ ଅଫିସରେ ରିଲିଜ ହୋଇ ଯାଇଥିଲା ।
ଏକ ଆୱାର୍ଡ ଫଙ୍କସନରେ ସୁଶାନ୍ତ ପହଁଚିବା ମାତ୍ରେ ହିଁ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ସାମ୍ବାଦିକ ମାନେ ତାଙ୍କୁ କ୍ୟାଟ୍ରିନାଙ୍କ ଏହି ଭିଡିଓଟି ବିଷୟରେ କହିଥିଲେ । ଏହା ଶୁଣି ସୁଶାନ୍ତ ବି ଖୁବ ଚକିତ ହୋଇଯାଇଥିଲେ । ପରେ ସେ କ୍ୟାଟ୍ରିନାଙ୍କୁ ଏନେଇ ଧନ୍ୟବାଦ ମଧ୍ୟ ଜଣାଇଥିଲେ । କ୍ୟାଟ୍ରିନାଙ୍କ ବ୍ୟତୀତ ଦୀପିକା ଓ କୃତି ଶାନନଙ୍କ ଏକ ଭିଡିଓ ବି ଭାଇରାଲ ହେବାରେ ଲାଗିଛି । କହିରଖିବା ଉଚିତ ହେବକି, କରଣ ଜୋହରଙ୍କ ଏକ ଚାଟ ସୋ’ରେ ୫ ଜଣ ଅଭିନେତାଙ୍କ ଅଭିନୟ କ୍ଷମତାକୁ ନେଇ ରା଼କିଙ୍ଗ କରାଯାଇଥିଲା । ଏଥିରେ କୃତି ନମ୍ବର ୧ରେ ସୁଶାନ୍ତଙ୍କୁ ରଖିଥିଲେ ।