ସୁଧୁରୁଛି ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥା, ଏବେ ବି ଅଛନ୍ତି ଆଇସିୟୁରେ

ଲୋକପ୍ରିୟ ଗାୟିକା ଲତା ମଙ୍ଗେସକରଙ୍କ ଅବସ୍ଥାରେ ଧୀରେ ଧୀରେ ଉନ୍ନତି ପରିଲକ୍ଷିତ ହେଉଛି। ତାଙ୍କ ପରିବାରର ସୂଚନା ଅନୁସାରେ, ଲତା ଏବେ ବି ହସ୍ପିଟାଲର ଆଇସିୟୁରେ ଅଛନ୍ତି। କରୋନା ସଂକ୍ରମିତ ଲତା ମଙ୍ଗେସକରଙ୍କୁ ହାଲ୍କା ଲକ୍ଷଣ ସହ ଶନିବାର ଦକ୍ଷିଣ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅପ୍ଡେଟ୍ ଜାରି କରି ତାଙ୍କ ଭାଣିଜୀ ରଚନା ଶାହ ଗୁରୁବାର ସୂଚନା ଦେଇଛନ୍ତି ଯେ ଗାୟିକା ଏବେ ସୁସ୍ଥ ଅଛନ୍ତି।
ରଚନା କହିଛନ୍ତି- ସେ ଉନ୍ନତି କରୁଛନ୍ତି ଓ ଆମେ ସମସ୍ତେ ଏଥିପାଇଁ ଖୁବ୍ ଖୁସି। ସମସ୍ତଙ୍କ ପ୍ରାର୍ଥନା କାମ କରୁଛି। ଦୟାକରି ଆମ ପ୍ରାଇଭେସିକୁ ସମ୍ମାନ କରନ୍ତୁ।
#LataMangeshkar health update: Veteran singer doing well, confirms niece Rachana Shahhttps://t.co/FqPpB476wj
— India TV (@indiatvnews) January 14, 2022
ଡାକ୍ତରଙ୍କ ମୁତାବକ, ଲତା ମଙ୍ଗେସକର ଏବେ କରୋନା ଓ ନିମୋନିଆ ଉଭୟ ରୋଗରେ ପୀଡ଼ିତ ଅଛନ୍ତି। ତାଙ୍କ ବୟସକୁ ଦୃଷ୍ଟିରେ ରଖି ଡାକ୍ତର ପରାମର୍ଶ ଦେଇଛନ୍ତି ଯେ ଏବେ ତାଙ୍କର ଯତ୍ନ ନେବା ଜରୁରୀ। ଏଣୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବନୁସାରେ, ସେ ଆଉ କିଛି ଦିନ ଅବଜରଭେସନ୍ରେ ରହିବେ।
ସୂଚନାଯୋଗ୍ୟ ଯେ ଲତା ମଙ୍ଗେସକରଙ୍କ ଘରେ ଜଣେ ଚାକର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଲତା ବି ନିଜ ପରୀକ୍ଷା କରାଇଥିଲେ। ତାଙ୍କ ଟେଷ୍ଟ ରିପୋର୍ଟ ବି ପଜିଟିଭ୍ ଆସିଛି। ପୂର୍ବରୁ ନଭେମ୍ବର ୨୦୧୯ରେ ନିଃଶ୍ୱାସ ନେବାରେ ସମସ୍ୟା ଉପୁଜିବାରୁ ଏହି ସୁର ସାମ୍ରାଜ୍ଞୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।