ମାଡାମ୍‌ ତୁଷାଦ୍‌ ସିଙ୍ଗାପୁର: ୫ ମାସରେ ୨୦ଜଣ ଏକ୍ସପର୍ଟ ପ୍ରସ୍ତୁତ କଲେ ‘ଶ୍ରୀଦେବୀ’ଙ୍କ ମହମ ପ୍ରତିମୂର୍ତ୍ତି, ସେପ୍ଟେମ୍ବରରେ ଉନ୍ମୋଚନ

୫୬ତମ ଜନ୍ମଦିନ ଅବସରରେ ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ସିଙ୍ଗାପୁରସ୍ଥିତ ମାଡାମ୍‌ ତୁଷାଦ୍‌ ମ୍ୟୁଜିୟମ୍‌ ପକ୍ଷରୁ ଏକ ଖାସ୍‌ ଅନ୍ଦାଜରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଏହି ମ୍ୟୁଜିୟମ୍‌ ଆସନ୍ତା ସେପ୍ଟେମ୍ବରରେ ଶ୍ରୀଦେବୀଙ୍କ ମହମ ନିର୍ମିତ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାକୁ ଘୋଷଣା କରିଛି।
ଏହି ପ୍ରତିମୂର୍ତ୍ତି ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଛି। ୨୦ଜଣ ଏକ୍ସପର୍ଟ ବା ଦକ୍ଷ କାରିଗର ଏହାକୁ ୫ ମାସରେ ତିଆରି କରିଛନ୍ତି। ଏଥିପାଇଁ ସେମାନେ ଶ୍ରୀଦେବୀଙ୍କ ପରିବାର ସହ ମିଶି ଅଭିନେତ୍ରୀଙ୍କ ପୋଜ୍‌, ଏକ୍ସପ୍ରେଶନ, ମେକଅପ୍‌ ଓ ଆଇକନିକ୍‌ ଆଉଟ୍‌ଫିଟକୁ ରିକ୍ରିଏଟ କରିବାରେ ଲାଗିପଡ଼ିଥିଲେ। ତେବେ ଆଉଟଫିଟ୍‌କୁ ରିକ୍ରିଏଟ୍‌ କରିବା ଥିଲା ସବୁଠାରୁ ବଡ଼ ଚ୍ୟାଲେଞ୍ଜ। କ୍ରାଉନ୍‌, କଫସ୍‌, ଇୟରରିଙ୍ଗ୍‌ ଓ ଡ୍ରେସରେ ହୋଇଥିବା ୩ଡି ପ୍ରିଣ୍ଟକୁ କେତେକ ଟେଷ୍ଟ ପରେ ପୂରା କରାଯାଇଥିଲା।

ଏହାସହ ପଢ଼ନ୍ତୁ: ହାପି ବାର୍ଥ ଡେ ଶ୍ରୀଦେବୀ, ବଞ୍ଚିଥିଲେ ଆଜି ୫୬ ବର୍ଷ ହୋଇଥାନ୍ତା

ସୂଚନା ମୁତାବକ, ଫିଲ୍ମ ମିଷ୍ଟର ଇଣ୍ଡିଆର ଆଇକନିକ୍‌ ସଙ୍ଗ୍‌ ‘ହଓ୍ଵା ହଓ୍ଵାଇ’ରେ ଶ୍ରୀଦେବୀଙ୍କୁ ଯେଉଁ ଲୁକ୍‌ରେ ଦେଖିବାକୁ ମିଳିଥିଲା, ମହମ ପ୍ରତିମୂର୍ତ୍ତି ସେହି ଲୁକ୍‌ ଭଳି ତିଆରି କରାଯାଇଛି। ଡ୍ରେସଅପ, ମେକଅପ୍‌, ହେୟାର ଷ୍ଟାଇଲ୍‌ ସବୁ କିଛି ପୂରା ଅବିକଳ ନକଲ ‘ହଓ୍ଵା ହଓ୍ଵାଇ’ ଲୁକ୍‌ ଦେଉଛି। ଏହି ମହମ ପ୍ରତିମୂର୍ତ୍ତିର ଆନୁଷ୍ଠାନିକ ଉନ୍ମୋଚନ ଆସନ୍ତା ସେପ୍ଟେମ୍ବର ପ୍ରାରମ୍ଭରେ ଶ୍ରୀଦେବୀଙ୍କ ସ୍ୱାମୀ ବୋନି କପୁର ଏବଂ ଦୁଇଝିଅ ଜାହ୍ନବୀ ଓ ଖୁସିଙ୍କ ଦ୍ୱାରା କରାଯିବ।