Below header

ରଙ୍ଗବୋଳା ଜୀବନ ପଛର କରୁଣ କାହାଣୀ, ଦୁଇ ଦିନରେ ଚାଲିଗଲା ଦୁଇଟି ଜୀବନ

ଜଣେ ସମ୍ବଲପୁରୀ ଆଲବମ୍ ଅଭିନେତ୍ରୀ ଆଉ ଜଣେ ଧାରାବାହିକ ନାୟିକା । ନୂଆବର୍ଷରେ ଚାଲିଯାଇଛି ଦୁଇ ଓଲିଉଡ ଅଭିନେତ୍ରୀ ସିମରନ୍ ଏବଂ ନିକିତାଙ୍କ ଜୀବନ । ଦୁଇ ଦିନ ଭିତରେ ଦୁଇ ଦୁଇଟି ସନ୍ଦେହଜନକ ମୃତ୍ୟୁ । ଆଉ ଉଭୟ ମାମଲାରେ ଅଭିଯୁକ୍ତ ଉଭୟଙ୍କ ସ୍ବାମୀ ଓ ଶାଶୁଘର ପରିବାର। ପ୍ରଥମେ ୩ ତାରିଖରେ ଆଲବମ୍ ଅଭିନେତ୍ରୀ ସିମରନଙ୍କ ମୃତଦେହ ସମ୍ବଲପୁର ମହାନଦୀ ବ୍ରିଜ୍ ତଳୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଥିଲା । ଏହା ଗୋଟିଏ ଦିନ ପରେ ଅର୍ଥାତ୍ ୫ ତାରିଖରେ କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଆଖି ବୁଜିଥିଲେ ଛୋଟ ପରଦାର ବଡ଼ ନାୟିକା ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରା । ପ୍ରଥମେ ମୁଣ୍ଡରେ ଆଘାତ ଯୋଗୁଁ ନିକିତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏବେ କାହାଣୀରେ ଆସିଛି ଟୁଇଷ୍ଟ ।

ନିକିତାଙ୍କ ବାପାଙ୍କ ଅଭିଯୋଗକ୍ରମେ ସ୍ବାମୀଙ୍କୁ ଅଟକ ରଖିଛି ପୋଲିସ୍ । ନିକିତାଙ୍କ ବାପା ସନାତନ ବେହେରା କଟକ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଛନ୍ତି । ନିକିତାଙ୍କ ସ୍ୱାମୀ, ଶାଶୂ ଓ ଶୂଶୁରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । କହିଛନ୍ତି ପାରିବାରିକ କଳହ ହତ୍ୟାର କାରଣ । ଘଟଣା ଦିନ ଘରେ ଗଣ୍ଡଗୋଳ ହୋଇଥିଲା । ନିକିତାଙ୍କ ସ୍ବାମୀ ଲିପନ ନିକିତାଙ୍କୁ ଛାତକୁ ଡାକି ନେଇଥିଲେ । ପାଟିତୁଣ୍ଡ ହେବାରୁ ଛାତରୁ ଠେଲି ଦେଇଥିଲେ ।

Simran

ସେହିପରି ସିମରନ ଆତ୍ମହତ୍ୟା କରି ନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି । ରହସ୍ୟ ଘେରକୁ ଟାଣି ହୋଇଯାଉଛି ସିମରନଙ୍କ ମୃତ୍ୟୁ ଆଉ ବଢ଼ୁଛି ସସପେନ୍ସ । ପୋଲିସ ହାତରେ ଲାଗିଛି ସିମରନଙ୍କ ହ୍ୱାଟ୍ସଆପ ଭଏସ୍ ମେସେଜ କ୍ଲିପିଂ । ମୃତ୍ୟୁ ପୂର୍ବରୁ ହ୍ୱାଟ୍ସଆପରେ ସିମରନ୍ ୧ ମିନିଟ୍ ୧୮ ସେକେଣ୍ଡର ଭଏସ ମେସେଜ୍ ଛାଡିଥିବା କୁହାଯାଉଛି । ଏହା ସହ ସିମରନଙ୍କ ଭଏସ ମେସେଜ ପରେ ତାଙ୍କ ସ୍ୱାମୀର ଏକ ଫୋନ ରେକର୍ଡ ପୁଲିସ ହାତରେ ଲାଗିଛି । ଯେଉଁଥିରେ ତାଙ୍କ ସ୍ୱାମୀ ସିମନରଙ୍କୁ ବାରମ୍ବାର ମରିଯିବାକୁ କହୁଛନ୍ତି । ସିମରନଙ୍କୁ ତାଙ୍କ ଶ୍ୱଶୁର ଘରେ ନିର‌୍ୟାତନା ଦିଆଯାଉଥିବାର ଝାରସୁଗୁଡା ଟାଉନ ଥାନାରେ ପୂର୍ବରୁ ଲିଖିତ ଅଭଯୋଗ ହୋଇଥିଲା । ସିମରନ ଶାଶୁ ଘରକୁ ଯିବା ପାଇଁ ଦାବି କରିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଆଉ ଏହି ହତ୍ୟା ପଛର  ମାଷ୍ଟର ମାଇଣ୍ଡ ଆଉ କେହି ନୁହେଁ ନିଜେ ସିମରନଙ୍କ ସ୍ବାମୀ ଧ୍ରୁବରାଜ ସୁନାଙ୍କ ହାତ ଥିବା ସନ୍ଦେହ କରାଯାଉଛି ।

Odia-Television-Actress-Nikita

ସଂଜୟ ନାୟକଙ୍କ ଫିଲ୍ମ ଆଖି ଖୋଲିବାକୁ ଡର ଲାଗୁଛି ଫିଲ୍ମରୁ ନିକିତା ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ପରେ ପରେ ସେ ଚୋରି ଚୋରି ମନ ଚୋରି, ମିତ ବସିଛି ମୁଁ ଭୂତ ସାଥିରେ ଏବଂ ଗୁଣ୍ଡା ଫିଲ୍ମରେ ଅଭିନୟ କରି ବେଶ ପ୍ରଶଂସା ସାଉଁଟି ଥିଲେ । ସେହିପରି ଲୋକପ୍ରିୟ ଟିଭି ସିରିଏଲ୍‌ ତପସ୍ୟା ଏବଂ ଏସିପି ନିକିତାରେ ନିଜର ଅଭିନୟର ଯାଦୁ ଦେଖାଇ ସମସ୍ତଙ୍କ ପ୍ରିୟ ହୋଇଥିଲେ ନିକିତା । ଏକ ଶହରୁ ଅଧିକ ଆଲବମ୍‌ରେ ଅଭିନୟ କରିଥିବା ନିକିତା ଏକାଧିକ ସିରିୟଲରେ ମଧ୍ୟ ନାଁ କରିଛନ୍ତି। ୨୦୧୬ ନଭେମ୍ବର ୨୫ ତାରିଖରେ କଟକ ଗୋପାଳପୁର ସିରିୟଲ ଅଭିନେତା ଲିପନ ସାହୁଙ୍କୁ ବିବାହ କରିଥିଲେ ନିକିତା ।

ଅନେକ ସମ୍ବଲପୁରୀ ଆଲବମରେ ଅଭିନୟ କରିଥିଲେ ସିମରନ । ସେଲଫି ବେବୋ ଆଲବମରେ ଅଭିନୟ କରି ବେଶ ଚର୍ଚ୍ଚିତ ହୋଇଥିଲେ । ବହୁ ସମ୍ବଲପୁରୀ ଫିଲ୍ମରେ ମଧ୍ୟ ସେ ଅଭିନୟ କରିଥିଲେ ।

murder mystry

ଦୁଇ ଦିନରେ ହୋଇଛି ଦୁଇ ଦୁଇ ଜଣ ସେଲିବ୍ରିଟିଙ୍କ ମୃତ୍ୟୁ । ଆମ ସମସ୍ତଙ୍କ ମୁଣ୍ଡରେ ରହିଛି ଯେ ଗ୍ଲାମର ଲାଇନରେ କାମ କରୁଥିବା ଲୋକଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ହୋଇଥିବ ସେତିକି ଚକାଚକ୍ । କିନ୍ତୁ ସେମିତି କିଛି ହୋଇନଥାଏ । ଚେହେରାରେ ରଙ୍ଗବୋଳି ଦର୍ଶକଙ୍କ ମନୋରଞ୍ଜନ କରୁଥିବା ଏହି କଳାକାରଙ୍କ ନିଜ ଜୀବନ ଯେ କେମିତି କଟୁଛି ତାହା ଏହି ଦୁଇ ଘଟଣାରୁ ଆପଣ ଅନୁମାନ କରୁଥିବେ । କେବଳ ଏହି ଦୁଇ ଅଭିନେତ୍ରୀ ନୁହନ୍ତି ଅତୀତରେ ଆହୁରି ଅନେକ ଘଟଣା ଏମିତି ଘଟିଛି ଯାହା ଚିତ୍କାର କରି କହେ ଗ୍ଲାମର ରାଣୀଙ୍କ ଅନ୍ଧାରୀ କାହାଣୀ ।

ଏବେ ଏହି ଦୁଇ ନାୟିକାଙ୍କ ରହସ୍ୟମୟ ମୃତ୍ୟୁ ଓଲିଉଡ୍ ସହିତ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ଉଭୟଙ୍କ ମୃତ୍ୟୁ ପଛରେ ରହିଛି ଶାଶୁଘର ଲୋକଙ୍କ ନାଁରେ ଅଭିଯୋଗ । ପୋଲିସ୍ ତଦନ୍ତ ହିଁ ଫିଟାଇବ ପରଦା ପଛର ରହସ୍ୟ । ରଙ୍ଗବୋଳା ଜୀବନ ପଛର କାହାଣୀ । ଯଦି ଆତ୍ମହତ୍ୟା ତେବେ ଅଲଗା କଥା । ଆଉ ଯଦି ହତ୍ୟା ତେବେ ଦୋଷୀ ଦଣ୍ଡ ପାଇବା ନିହାତି ଜରୁରୀ । ପୁଣି ଯଦି ଏମାନଙ୍କୁ ଆତ୍ମହତ୍ୟା କରିବା ପାଇଁ ପରିସ୍ଥିତି ସ୍ୟଷ୍ଟି କରାଯାଇଥିବ ତେବେ ବି ସାଂଘାତିକ । ତେଣୁ ଖୋଳତାଡ଼ ପରେ ସବୁ କିଛି ସ୍ପଷ୍ଟ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.