ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଗୋଟିଏ ଦିନ ବନ୍ଦ ରହିବ ତେଲୁଗୁ ସିନେମା ଇଣ୍ଡଷ୍ଟ୍ରୀ, ହେବନି କୌଣସି ସୁଟିଂ

ରାମୋଜୀ ଫିଲ୍ମ ସିଟିର ପ୍ରତିଷ୍ଠାତା ରାମୋଜୀ ରାଓଙ୍କ ପରଲୋକରେ ଆସନ୍ତାକାଲି ବନ୍ଦ ରହିବ ତେଲୁଗୁ ଇଣ୍ଡଷ୍ଟ୍ରୀ । ଆସନ୍ତାକାଲି ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଜୁନ୍‌ ୯ରେ ତେଲୁଗୁ ଇଣ୍ଡଷ୍ଟ୍ରୀ ବନ୍ଦ ରହିବାକୁ ନିଷ୍ପତ୍ତି ନେଇଛି । ତେବେ ତାଙ୍କ ମୃତ୍ୟୁରେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଲହରୀ ଖେଳିଯାଇଛି । ଜୁନିଅର ଏନଟିଆର, ଏସଏସ ରାଜାମୌଲୀ, ରଜନୀକାନ୍ତ, ରାମଗୋପାଳ ବର୍ମା, ରିତେଶ ଦେଶମୁଖ ସମେତ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ।

୧୨୩ ତେଲୁଗୁ ରିପୋର୍ଟ ଅନୁଯାୟୀ, ଆସନ୍ତାକାଲି ତେଲୁଗୁ ଇଣ୍ଡଷ୍ଟ୍ରୀର କୌଣସି ଫିଲ୍ମ ସୁଟିଂ ହେବ ନାହିଁ । ତେଲୁଗୁ ଫିଲ୍ମ ଚାମ୍ବର ସେକ୍ରେଟାରୀ ଦାମୋଦର ପ୍ରସାଦ ଏହି ଖବର ଦେଇଛନ୍ତି । ରାମୋଜୀ ରାଓ ଜଣେ ଫିଲ୍ମ ପ୍ରଯୋଜକ, ମିଡିଆ ଏଣ୍ଟରପ୍ରିୟୋର ଏବଂ ବିଜନେସମ୍ୟାନ୍‌ । ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ତାଙ୍କ ଯୋଗଦାନ ଅଧିକ ରହିଛି । ରାମୋଜୀ ଫିଲ୍ମସିଟି ଓ ଇଟିଭି ନେଟୱର୍କର ପ୍ରତିଷ୍ଠାତା ଥିଲେ ରାମୋଜୀ ରାଓ ।

ରାମୋଜୀ ରାଓ ଶନିବାର ଦିନ ହାଇଦ୍ରାବାଦର ଏକ ଷ୍ଟାର ହସପିଟାଲରେ ସକାଳ ୩.୪୫ ମିନିଟରେ ଶେଷ ନିଶ୍ୱାସ ନେଇଛନ୍ତି । କିଛିଦିନ ହେଲାଣି ତାଙ୍କ ସ୍ୱାସ୍ଥ୍ୟ ଠିକ୍‌ ନାହିଁ । ଜୁନ୍‌ ୫ରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ୮୭ ବର୍ଷ ବୟସରେ ହାଇଦ୍ରାବାଦର ଘରୋଇ ହସ୍ପିଟାଲରେ ତାଙ୍କର ନିଧନ ହୋଇଛି । ଆସନ୍ତାକାଲି ତାଙ୍କର ଅନ୍ତିମ ସଂସ୍କାର କରାଯିବ । ତାଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ସମ୍ମାନର ସହିତ ହେବ ବୋଲି ତେଲେଙ୍ଗାନା ସରକାର ନିଷ୍ପତ୍ତି ନେଇଛନ୍ତି ।

ରାମୋଜୀ ରାଓ ଫିଲ୍ମ ସିଟି ହାଇଦ୍ରାବାଦରେ ନିର୍ମାଣ କରିଥିଲେ । ଏହା ଦୁନିଆର ସବୁଠାରୁ ବଡ ଫିଲ୍ମ ସିଟି । ଏଠାରେ ତେଲୁଗୁ, ହିନ୍ଦୀ ସମେତ ଅନ୍ୟ ଭାଷାରେ ଫିଲ୍ମ ସୁଟିଂ ହୋଇଥାଏ । ଏହା ୧୬୬୬ ଏକରରେ ପରିବ୍ୟାପ୍ତ । କେବଳ ଏତିକି ନୁହେଁ ଉଷା କିରଣ ମୁଭି ନାମରେ ତାଙ୍କର ଏକ ପ୍ରଡକ୍ସନ ସଂସ୍ଥା ରହିଛି । ତାଙ୍କ ପତ୍ନୀଙ୍କ ନାମରେ ଏକ ସ୍କୁଲ ରହିଛି ।

ରାମୋଜି ରାଓ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନଟି ରାମା ରାଓ ଏବଂ ଚନ୍ଦ୍ରବାବୁ ନାଇଡୁ ଏବଂ ଅନ୍ୟାନ୍ୟ ପ୍ରସିଦ୍ଧ ରାଜନୈତିକ ଏବଂ ଚଳଚ୍ଚିତ୍ର ବ୍ୟକ୍ତିତ୍ୱଙ୍କ ନିକଟତର ଥିଲେ । ଇଟିଭି ନେଟୱାର୍କ ବ୍ୟତୀତ ସେ ଉତ୍ପାଦନ କମ୍ପାନୀ ଉଷାକିରନ ମୁଭିଜ୍‌ର ନେତୃତ୍ୱ ନେଇଥିଲେ । ସେ ପ୍ରାୟ ୫୦ ଟି ଚଳଚ୍ଚିତ୍ର ଏବଂ ଟେଲିଫିଲ୍ମ ନିର୍ମାଣ କରିଥିଲେ । ସେ ଏକ ଜାତୀୟ ପୁରସ୍କାର ଏବଂ ଦୁଇଟି ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ ।

Leave A Reply

Your email address will not be published.