Below header

ରିୟା କୁମାରୀ ହତ୍ୟାକାଣ୍ଡରେ ବଡ଼ ଖୁଲାସା; ୟୁଟ୍ୟୁବରଙ୍କ ସ୍ୱାମୀ ହିଁ ରଚିଥିଲେ ଡକାୟତି ଷଡ଼ଯନ୍ତ୍ର! ପୋଲିସ ଏମିତି ଖୋଲିଲା ହତ୍ୟା ରହସ୍ୟ

ଝାଡ଼ଖଣ୍ଡର ଫେମସ୍‌ ୟୁଟ୍ୟୁବର ରିୟା କୁମାରୀଙ୍କ ହତ୍ୟାକାଣ୍ଡ ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି। ପୋଲିସ ରିୟା କୁମାରୀ ହତ୍ୟା ମାମଲାର ରହସ୍ୟ ଉନ୍ମୋଚନ କରିଛି। ପୋଲିସ ରିୟାଙ୍କ ସ୍ୱାମୀ ପ୍ରକାଶ କୁମାରଙ୍କୁ ଏହି ମାମଲାରେ ଗିରଫ କରିଛି। ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ ରିୟାଙ୍କ ସ୍ୱାମୀ ପ୍ରକାଶ କୁମାର ହିଁ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି।

ଅଭିଯୋଗ ଅନୁସାରେ, ପ୍ରକାଶ ପ୍ରଥମେ ଏହାକୁ ଲୁଟ୍‌ ଘଟଣା କହି ପୋଲିସକୁ ଭୁଆଁ ବୁଲାଉଥିଲେ। କିନ୍ତୁ ପଚରାଉଚରା ସମୟରେ ସେ ବାରମ୍ବାର ନିଜର ବୟାନ ବଦଳାଇବାରୁ ପୋଲିସକୁ ସନ୍ଦେହ ହୋଇଥିଲା ଏବଂ ହତ୍ୟା ରହସ୍ୟକୁ ଉନ୍ମୋଚନ କରିବାରେ ଏଥିରୁ ସାହାଯ୍ୟ ମିଳିଥିଲା।

ସ୍ଥାନୀୟ ଏସ୍‌ପିଙ୍କ ମୁତାବକ, ୟୁଟ୍ୟୁବର ରିୟା କୁମାରୀଙ୍କୁ ଗୁଳି କରି ହତ୍ୟା କରିବା ଅଭିଯୋଗରେ ପୋଲିସ ତାଙ୍କ ସ୍ୱାମୀ ପ୍ରକାଶ କୁମାର ସିଂଙ୍କୁ ଗିରଫ କରିଛି। ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ।
ପୋଲିସ ସୂଚନା ଅନୁସାରେ, ବୁଧବାର ରିୟା କୁମାରୀଙ୍କ ମା’, ବାପା ପୋଲିସକୁ କହିଥିଲେ କି, ପ୍ରକାଶ, ରିୟାଙ୍କୁ ନାନା ହଇରାଣ ହରକତ କରୁଥିଲେ ଏବଂ ତାଙ୍କୁ ବାଡ଼ାବାଡ଼ି ମଧ୍ୟ କରୁଥିଲେ। ଏପରି କି, ସେ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ବି ଦେଇଥିଲେ।

ସୂଚନାଥାଉ କି, ରିୟା କୁମାରୀ ହତ୍ୟାକାଣ୍ଡ ମାମଲାରେ ଯେତେବେଳେ ପ୍ରକାଶଙ୍କୁ ବିଭିନ୍ନ ପର୍ଯ୍ୟାୟରେ ପୋଲିସ ପଚରାଉଚରା କରିଥିଲା, ତ ତାଙ୍କ ବୟାନରେ ଫରକ୍‌ ଜାଣିବାକୁ ପାଇଥିଲା। ଏହାପରେ ପୋଲିସ ମନରେ ସନ୍ଦେହ ଜାତ ହେବାରୁ ଗୁରୁବାର ସକାଳେ ପ୍ରକାଶଙ୍କୁ ଗିରଫ କରିଥିଲା। ପୋଲିସର କହିବା ହେଲା, ପ୍ରକାଶ ହିଁ ଡକାୟତି ଷଡ଼ଯନ୍ତ୍ର ରଚିଥିଲେ।

ତେବେ ଏହା ପୂର୍ବରୁ ପୋଲିସ ଅଧିକାରୀ କହିଥିଲେ କି, ରିୟା କୁମାରୀ ଓରଫ୍‌ ଇଶା ଆଲିଆ ଝାଡ଼ଖଣ୍ଡର ଜଣେ ଜଣାଶୁଣା ଅଭିନେତ୍ରୀ ତଥା ୟୁଟ୍ୟୁବର ଥିଲେ। ହାଓ୍ଵଡ଼ା ଜିଲ୍ଲାରେ ଲୁଟ୍‌ପାଟ ସମୟରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଯେତେବେଳେ ସେ ନିଜ ପରିବାର ସହ ଝାଡ଼ଖଣ୍ଡରୁ କୋଲକାତା ଅଭିମୁଖେ ଯାତ୍ରା କରୁଥିଲେ, ସେହି ସମୟରେ ଏହି ଘଟଣା ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.