ଅକ୍ଷୟ ମହାନ୍ତିଙ୍କର ୮୫ ତମ ଜୟନ୍ତୀ, ସଙ୍ଗୀତ ଜଗତର ମୁକୁଟ ବିହୀନ ସମ୍ରାଟ ଖୋକା ଭାଇଙ୍କୁ ଝୁରୁଛି ଓଡିଶା

ସ୍ମୃତି ତୁମେ…, ପୂଣ୍ୟର ନଦୀ ତୀରେ…., ନିଝୁମ୍‌ ରାତିର ସାଥୀ…, ଜହ୍ନ ଫାଙ୍କି ଦେଇ…

ଓଡ଼ିଶାର ପ୍ରସିଦ୍ଧ ଗାୟକ, ସଙ୍ଗୀତ ନିର୍ଦ୍ଦେଶକ ଏବଂ ସୁଲେଖକ ଅକ୍ଷୟ ମହାନ୍ତିଙ୍କ ଆଜି ଜନ୍ମ ଦିବସ। ୧୯୩୭ ମସିହା ଅକ୍ଟୋବର ମାସ ୧୨ ତାରିଖ ଦିନ କଟକରେ ସେ ଜନ୍ମ ଗ୍ରହଣ କରିଥିଲେ। ଖୋକା ଭାଇ ନାମରେ ସେ ବେଶ୍ ଜଣାଶୁଣା। ଓଡିଆ ସଂଗୀତ ଜଗତ ପ୍ରତି ଅକ୍ଷୟ ମହାନ୍ତିଙ୍କ ଅବଦାନ ଆତୁଳନୀୟ । ଏହି ଅବସରରେ ତାଙ୍କ ସଂପର୍କୀତ କିଛିି କଥା ମନକୁ ନିହାତି ଆସିଥାଏ । ଗାୟକଭାବେ ଅକ୍ଷୟ ମହାନ୍ତିଙ୍କ ମୁକ୍ତିପ୍ରାପ୍ତ ପ୍ରଥମ ସିନେମା ହେଲା ‘ମା’। ତାଙ୍କୁ ପ୍ରଥମେ ‘ମଲା ଜହ୍ନ’ ଛବିରେ ସଙ୍ଗୀତ ନିର୍ଦ୍ଦେଶନା ଦେବାର ସୁଯୋଗ ମିଳିଥିଲା।

ଆମ ମାଟିର କଥା, ଗୀତ ଓ ସଙ୍ଗୀତର କିମ୍ବଦନ୍ତୀ ପୁରୁଷ ତଥା ସମସ୍ତଙ୍କ ଆଦରର ଖୋକା ଭାଇ । ଓଡ଼ିଆ ସଙ୍ଗୀତରେ ତାଙ୍କର ବିରଳ ଭାବଭଙ୍ଗୀ ଓ ପ୍ରୟୋଗ ଏକ ବିରଳ ଦୃଷ୍ଟାନ୍ତ । ତାଙ୍କ ସଙ୍ଗୀତର ପ୍ରବାହ ଆଜି ବି ଉଲ୍ଲସିତ କରେ ଜନମାନସକୁ । ୧୯୩୭ ମସିହା ଅକ୍ଟୋବର ୧୨ ତାରିଖରେ ଅକ୍ଷୟ ମହାନ୍ତିଙ୍କର ଜନ୍ମ । ବିଚିତ୍ରାନନ୍ଦ ମହାନ୍ତି ଓ ସୁବର୍ଣ୍ଣା ମଞ୍ଜରୀ ମହାନ୍ତିଙ୍କ କୋଳରେ ଜନ୍ମ ହୋଇଥିଲେ ଅକ୍ଷୟ ମହାନ୍ତି । ସେ ଷ୍ଟୁଆର୍ଟ ବିଜ୍ଞାନ ମହାବିଦ୍ୟାଳୟରୁ ଆଇ.ଏସ.ସି ଓ ରେଭେନ୍ସା ମହାବିଦ୍ୟାଳୟରୁ ବି.ଏ ପାସ କରିଥିଲେ । ମଧୁସୂଦନ ଆଇନ ମହାବିଦ୍ୟାଳୟରୁ, ସେ ଆଇନ ଶିକ୍ଷା ମଧ୍ୟ ଗ୍ରହଣ କରିଛନ୍ତି । କୌଣସି ପ୍ରକାରର ମାନକ ସଙ୍ଗୀତ ଶିକ୍ଷା ନେଇ ନଥିବା ଅକ୍ଷୟ, ମାତ୍ର ୨୨ ବର୍ଷ ବୟସରେ କଟକ ଆକାଶବାଣୀଠାରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ, ହେଲେ ସାତ ବର୍ଷ ପରେ ଚାକିରି ଛାଡ଼ି ପୁରା ସମୟ ସଙ୍ଗୀତପାଇଁ ହିଁ ଦେଇଥିଲେ । ସେତେବେଳକୁ ସେ ଆକାଶବାଣୀ, କଟକର ଜଣେ ଗାୟକ ଭାବରେ କଳଗାଉଣା (ଗ୍ରାମୋଫୋନ) ଜରିଆରେ କଣ୍ଠଦାନ କରୁଥିଲେ । ଅକ୍ଷୟ,୧୯୬୭ରେ ପ୍ରବିଣା ମହାନ୍ତିଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇ ଜଣ ପୁଅ ଓ ଦୁଇ ଝିଅ ଅଛନ୍ତି । ତିନୋଟି କଥାଚିତ୍ରରେ ସେ ଅଭିନୟ କରିଛନ୍ତି ଓ ଯାଯାବର କଥାଚିତ୍ରରେ ସହନିର୍ଦେଶନା ଦେଇଛନ୍ତି । ସେ ୧୮ରୁ ଅଧିକ ବହି ଲେଖିଛନ୍ତି ।

ବଡ଼ ଭଉଣୀ ସୁଲକ୍ଷଣା ପଟ୍ଟନାୟକଙ୍କଠାରୁ ପ୍ରଭାବିତ ଅକ୍ଷୟ, ୧୯୪୮ ମସିହାରେ ଅକ୍ଷୟ ଆକାଶବାଣୀର ପ୍ରତିଷ୍ଠା ଦିବସରେ ଜଣେ ଶିଶୁଶିଳ୍ପୀ ଭାବରେ ଅଂଶଗ୍ରହଣ କରିଥିଲେ । ଏହା ତାଙ୍କର ସଂଗୀତ କ୍ଷେତ୍ରରେ ପ୍ରଥମ ପ୍ରବେଶ । ୧୯୫୫ ମସିହାରୁ ସେ ଜଣେ ସ୍ୱୀକୃତିପ୍ରାପ୍ତ ବେତାର ଶିଳ୍ପୀ । ୧୯୫୭ ମସିହାରେ ଦିଲ୍ଲୀରେ ଅନୁଷ୍ଠିତ ଯୁବଉତ୍ସବ ତାଙ୍କ ପରିଚାଳିତ ସମବେତ ସଙ୍ଗୀତ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଅକ୍ଷୟଙ୍କର ପ୍ରଥମ ଚଳଚ୍ଚିତ୍ର ଗୀତ ଥିଲା ପଚାଶ ଦଶକରେ ମୁକ୍ତିଲାଭ କରିଥିବା ଗାଇଆଳ ଭାଇ ଧରିଛି ଶୁଣ । ୧୯୫୯ର ମା କଥାଚିତ୍ରର ଗୋରି ଗୋରି ଗୋରି ଥିଲା ତାଙ୍କର ପ୍ରଥମ ପ୍ରଚ୍ଛଦ ଗୀତ । ସେ ମୋଟ ୧୨୯ ଗୋଟି କଥାଚିତ୍ରରେ କଣ୍ଠଦାନ କରିଛନ୍ତି ।

୧୯୬୫ରେ ନିର୍ଦ୍ଦେଶକ ନିତାଇ ପାଲିତଙ୍କ ମଲାଜହ୍ନ କଥାଚିତ୍ର ପାଇଁ ସେ ସଙ୍ଗୀତ ତିଆରି କରିଥିଲେ । “ରକତ ଟଳମଳ” ଗୀତଟି ସେହି କଥାଚିତ୍ରର ଏକ ଜଣାଶୁଣା ଗୀତ । ସେ ୭୫ଟି ଓଡ଼ିଆ କଥାଚିତ୍ରରେ ସେ ତିଆରି କରିଛନ୍ତି ସଙ୍ଗୀତ ଓ ୯୨ଟି କଥାଚିତ୍ରରେ ଗୀତିକାର ସାଜିଛନ୍ତି ।

ଓଡ଼ିଆ ସଙ୍ଗୀତରେ ସେ ଆଣିଛନ୍ତି ଅନେକ ପରଖ, ନୂଆ ନୂଆ ଶବଦ ଭେଳିକି (Sound Effect) ଯାହା ସେ କାଳରେ ଆଧୁନିକ ଯନ୍ତ୍ରର ଅଭାବରେ ହୋଇପାରୁନଥିଲା । ତାଙ୍କ ପରଖର ଲମ୍ବା ଧାଡ଼ି ଲମ୍ବିଥିଲା ଓଡ଼ିଆ ପୁରାଣ ଆଉ ପୁରୁଣା ସାହିତ୍ୟ ଯାଏଁ, “କାଞ୍ଚି ଅଭିଯାନ”, “ରାଣ୍ଡୀପୁଅ ଅନନ୍ତା” ଆଉ “କୋଣାର୍କ ଗାଥା” ସେ ଭିତରୁ କିଛି । ଫକୀର ମୋହନ ସେନାପତିଙ୍କ “ପେଟେଣ୍ଟ ମେଡିସିନ”କୁ ନେଇ ସେ ତିଆରି କରିଥିବା ନାଟକ ଆକାଶବାଣୀର ଶ୍ରେଷ୍ଠ ନାଟକ ପୁରସ୍କାର ଜିଣିଥିଲା ।

ସାଲବେଗଙ୍କ ରଚନା ‘କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ’ ଭିତରେ ସେ ଓଡ଼ିଆ ଭଜନରେ ନୂଆ ଧାରାଟିଏ ଆରମ୍ଭ କରିଥିଲେ । ‘ସାତ ଦରିଆପାରେ’ର ଦେଶ ପାଇଁ କଥା, “ହେ ଫଗୁଣ ତୁମେ’ର ଉଦାସୀ ମନ ଆଉ ‘ରାଜାଝିଅ ସାଙ୍ଗେ”ର ହାଲକା ଫୁଲକା ଭାବ; ଦୁଃଖଭରା ‘ରକତ ଟଳମଳ’ ଆଉ ଭାବୁକ ‘ଚକୋରି ଝରାନା ଲୁହ’ – ଏଇ ସବୁ ଗୀତ ଭିତରେ ଅକ୍ଷୟ ନିଜ ପାଇଁ ଗୋଟିଏ ନିଆରା ପରିଚୟ ତିଆରିକରି ଯାଇଛନ୍ତି ଓଡ଼ିଆ ପ୍ରାଣରେ ।

୨୦୦୨ ମସିହା, ନଭେମ୍ବର ୧୭ ତାରିଖରେ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କ ପରଲୋକ ହୋଇଥିଲା । ଓଡିଆ ସଙ୍ଗୀତରେ ରେ ପରିବର୍ତ୍ତନ ଆଣି ସେଥିରେ ଆଧୁନିକତାର ସ୍ପର୍ଶ ଦେଇ ଏହାକୁ ଋଦ୍ଧିମନ୍ତ କରିବାରେ ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି ଅକ୍ଷୟ। ଓଡିଶା ର ସଙ୍ଗୀତ ସାମ୍ରାଜ୍ୟ ରେ ଅକ୍ଷୟଙ୍କର ଅବଦାନ ଅତୁଳନୀୟ, ସେ ସଦା ସର୍ବଦା ତାଙ୍କର ମନରୋମ ଓ ହୃଦୟସ୍ପର୍ଶୀ। ନିଜର ଏହି ଯୁଗାନ୍ତକାରୀ ସଙ୍ଗୀତ ପାଇଁ ଖୋକା ଭାଇ ସବୁ ଓଡ଼ିଆଙ୍କ ମନରେ ଚିରସ୍ମରଣୀୟ ହୋଇ ରହିଥିବେ । ଅକ୍ଷୟ ମହାନ୍ତି ସିନା ଆମ ଗହଣରେ ନାହାନ୍ତି ହେଲେ ଏବେବି ହୃଦୟ ଯେବେ ଭାଙ୍ଗିଯାଏ, ଛାତି ଭିତରେ ଯେବେ ଏକଲାପଣ ରାଜୁତି କରେ ସେବେ ଆପେଆପେ ଓଠରୁ ବାହାରି ଆସେ ହୃଦୟର ଏହି ଶୂନ୍ୟତା ଗୀତ…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.