ପାୟଲ ଘୋଷ ଉପରେ ୧.୧ କୋଟି ଟଙ୍କାର ମାନହାନି ମକଦ୍ଦମା କଲେ ଅଭିନେତ୍ରୀ ରିଚା ଚଢା, ଆସନ୍ତାକାଲି ହେବ ଶୁଣାଣି

ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ଅଭିନେତ୍ରୀ ପାୟଲ ଘୋଷ ଏବେ ନିଜେ ମାନହାନି ମାମଲାରେ ଫସିଯାଇଛନ୍ତି। ଅଭିନେତ୍ରୀ ରିଚା ଚଢା ପାୟଲ ଘୋଷଙ୍କ ଉପରେ ୧.୧ କୋଟି ଟଙ୍କାର ମାନହାନି ମାମଲା ଦାୟର କରିଛନ୍ତି।

ବର୍ତ୍ତମାନ ଏହି ନିଷ୍ପତ୍ତିକୁ ସୁରକ୍ଷିତ ରଖି ବମ୍ବେ ହାଇକୋର୍ଟ ଅକ୍ଟୋବର ୭ ତାରିଖ ଦେଇଛନ୍ତି। କୋର୍ଟଙ୍କ କହିବାନୁସାରେ, ଯେଉଁମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ସେମାନଙ୍କୁ ନୋଟିସ ଦିଆଯାଇ ନ ଥିଲା, ତେଣୁ ସେମାନଙ୍କୁ କୋର୍ଟରେ ହାଜର ହେବାକୁ ଗୋଟିଏ ଦିନ ସମୟ ଦିଆଯାଇଛି।

richa

ସୂଚନାଯୋଗ୍ୟ ଯେ, ଯେତେବେଳେ ପାୟଲ ଘୋଷ ଅନୁରାଗ କଶ୍ୟପଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ, ସେତେବେଳେ ସେ ନିଜ ପକ୍ଷ ରଖି କହିଥିଲେ ଯେ, ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଅନୁରାଗଙ୍କ ସହ କାମ କରିବାକୁ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି।

ପାୟଲ ସେହି ଅଭିନେତ୍ରୀମାନଙ୍କ ମଧ୍ୟରେ ରିଚା ଚଢ଼ା, ମାହି ଗିଲ ଏବଂ ହୁମା କୁରୈଶୀଙ୍କ ନାଁ ନେଇଥିଲେ। ପାୟଲଙ୍କ ଏହି ବୟାନରେ ରିଚା ତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ମଙ୍ଗଳବାର ଦିନ ଏହି ମାମଲାର ଶୁଣାଣି ହୋଇଥିଲା ଯେଉଁଠାରେ ମାତ୍ର ଅନ୍ୟ ପକ୍ଷରୁ କେହି ଆସି ନଥିଲେ। ଏହି ମାମଲାକୁ ଆଉ ଗୋଟିଏ ଦିନ ବଢାଇ ବମ୍ବେ ହାଇକୋର୍ଟ ଏହାକୁ ଅକ୍ଟୋବର ୭ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ପାୟଲ ଏବେ ଦିଲ୍ଲୀରେ ରହିଛନ୍ତି। ଆଉ ଆଜି ସେ ରାଷ୍ଟ୍ରୀୟ ମହିଳା ଆୟୋଗ (NCW) ଆଗରେ ହାଜର ହୋଇଛନ୍ତି। ପାୟଲଙ୍କ ନାମରେ ଏଠାରେ ଦୁଇଟି ମାମଲା ରହିଛି।