ଷ୍ଟ୍ରିଟ୍ ଫୁଡ୍ ପ୍ରେମୀଙ୍କ ପାଇଁ ଖୁସି ଖବର, ଏବେ ଘରେ ନେଇ ଆପଣଙ୍କ ମନ ପସନ୍ଦର ଖାଦ୍ୟ ଦେବ Swiggy

ଷ୍ଟ୍ରିଟ୍ ଫୁଡ୍ ପ୍ରେମୀଙ୍କ ପାଇଁ ଖୁସି ଖବର। ଏବେ ଘରେ ଡେଲିଭରି ହେବ ଆପଣଙ୍କ ମନ ପସନ୍ଦର ରାସ୍ତା କଡ଼ର ଷ୍ଟ୍ରିଟ୍ ଫୁଡ୍। ରାସ୍ତା କଡ଼ରେ ଖାଦ୍ୟ ବିକ୍ରି କରୁଥିବା ଦୋକାନୀଙ୍କୁ ଅନ୍ଲାଇନ୍ରେ ଆଣିବା ପାଇଁ ସରକାର ଏକ ନୂଆ ଉପାୟ ଆପଣାଇଛନ୍ତି। ଆବାସ ଓ ନଗର ଉନ୍ନୟନ ମନ୍ତ୍ରାଳୟ ଏଥିପାଇଁ ଫୁଡ୍ ଡେଲିଭରି ଆପ୍ ସ୍ୱିଗି ସହ ହାତ ମିଳାଇଛି। ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଅନ୍ତର୍ଗତ ଏହି କାର୍ଯ୍ୟ ହାତକୁ ନିଆଯାଇଛି। ଏହାଦ୍ୱାରା ରାସ୍ତା କଡ଼ରେ ଦୋକାନ କରି ପେଟ ପୋଷୁଥିବା ଲୋକଙ୍କୁ ରୋଜଗାର ପାଇଁ ବଡ଼ ବଜାର ମିଳିବ ଓ ସେମାନଙ୍କୁ ନିଜ ବ୍ୟବସାୟ ବଢ଼ାଇବାକୁ ସାହାଯ୍ୟ ମିଳିବ।
ଏବେ ପାଞ୍ଚ ସହର ଅହମ୍ମଦାବାଦ, ଚେନ୍ନାଇ, ଦିଲ୍ଲୀ, ଇନ୍ଦୋର ଓ ବାରଣାସୀରେ ଏହାକୁ ପାଇଲଟ ପ୍ରୋଜେକ୍ଟ ଭାବେ ଆରମ୍ଭ କରାଯିବ। ୫ଟି ସହରର ପ୍ରାୟ ୨୫୦ଟି ଦୋକାନୀ ଏହି ପ୍ରୋଗ୍ରାମରେ ସାମିଲ ହେବେ। କରୋନା ସମୟରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେବା ଅବସରରେ ଷ୍ଟ୍ରିଟ୍ ଫୁଡ୍ ବ୍ୟବସାୟୀଙ୍କ ବେପାର ବଢ଼ାଇବା ପାଇଁ ସରକାରଙ୍କ ତରଫରୁ ଏହି ଯୋଜନା ଆରମ୍ଭ କରାଯାଇଛି।
ହୋମ୍ ଡେଲିଭରି ବେଳେ ଟେକ୍ନୋଲୋଜି, ମେନ୍ୟୁ ଡିଜିଟାଇଜେସନ୍, ଦାମ୍, ପରିଷ୍କାର ପରିଚ୍ଛନ୍ନତା ଓ ପ୍ୟାକେଜିଂକୁ ଅଧିକ ଗୁରୁତ୍ୱ ଦିଆଯିବ। ଯଦି ଏହି ପାଇଲଟ୍ ପ୍ରୋଜେକ୍ଟ ସଫଳ ହୁଏ ତେବେ ସାରା ଦେଶରେ ଏହାକୁ ଲାଗୁ କରାଯିବ। ତେବେ ଏହି ବ୍ୟବସାୟ ପାଇଁ ଦୋକାନୀମାନେ ୧୦ ହଜାର ଟଙ୍କାର ଋଣ ନେଇ ପାରିବେ। ମାତ୍ର ଏହି ଋଣକୁ ସେ ବର୍ଷେ ଭିତରେ ଫେରାଇବେ ବୋଲି ସରକାରଙ୍କ ତରଫରୁ କୁହାଯାଇଛି।