ନିଜ ଶେଷ ଫିଲ୍ମରେ ଜବରଦସ୍ତ ଆକ୍ଟିଂ କରିଛନ୍ତି ରିଷି କପୁର; ସାମ୍ନାକୁ ଆସିଲା ‘ଶର୍ମାଜୀ ନମକିନ୍’ର ରିଲିଜ୍ ଡେଟ୍

ଦିବଂଗତ ଅଭିନେତା ରିଷି କପୁରଙ୍କ ଶେଷ ଫିଲ୍ମ ‘ଶର୍ମାଜୀ ନମକିନ୍’ର ରିଲିଜ୍ ଡେଟ୍ ଘୋଷଣା କରି ଦିଆଯାଇଛି। ଏହି ଫିଲ୍ମର ଓ୍ଵାର୍ଲ୍ଡ ପ୍ରିମିୟର ମାର୍ଚ୍ଚ ୩୧ରେ ହେବାକୁ ଯାଉଛି। ରିଷିଙ୍କ ନିଧନ ପରେ ଆମାଜନ୍ ପ୍ରାଇମ୍ରେ ରିଲିଜ୍ ହେଉଥିବା ‘ଶର୍ମାଜୀ ନମକିନ୍’ରେ ତାଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିବ। ଏଥିରେ ସେ ଜବରଦସ୍ତ ଅଭିନୟ କରିଥିବାର ନଜର ଆସିବେ। ଏ ନେଇ ଆମାଜନ ପ୍ରାଇମ୍ ଭିଡିଓର ଟ୍ଵିଟର ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି। ଏହାର କ୍ୟାପସନରେ ଲେଖା ଯାଇଛି କି, ‘ସମସ୍ତେ ଉଠି ଯାଅ। ପ୍ରଥମ ଥର ଦୁଇଜଣ ଲିଜେଣ୍ଡସ୍ କିଛି ନମକିନ୍ ରାନ୍ଧିବାକୁ ଏବଂ ଆପଣଙ୍କ ଜୀବନକୁ ଟିକିଏ ମସଲାଦାର କରିବାକୁ ଆସୁଛନ୍ତି’।
‘ଶର୍ମାଜୀ ନମକିନ୍’ ଏକ ମଜାଦାର ଫିଲ୍ମ ହେବ। ଏଥିରେ ନିଜକୁ ଖୋଜୁଥିବା ଜଣେ ଅବସରପ୍ରାପ୍ତ ମଣିଷର ଜୀବନ କାହାଣୀ ଦେଖିବାକୁ ମିଳିବ, ଯିଏ କୁକିଙ୍ଗ୍ ଉପରେ ସବୁ ଦକ୍ଷତା ପାର୍ କରି ଯାଇଛନ୍ତି। ୩୧ ମାର୍ଚ୍ଚରେ ଦର୍ଶକ ଏହି ଫିଲ୍ମକୁ ଆମାଜନ୍ ପ୍ରାଇମ୍ରେ ଦେଖି ପାରିବେ। ଫିଲ୍ମର ନିର୍ଦ୍ଦେଶନା ହିତେଶ ଭାଟିଆ ଦେଇଥିବା ବେଳେ ପ୍ରଯୋଜନା କରିଛନ୍ତି ରିତେଶ ସିଧଓ୍ଵାନୀ ଓ ଫରହାନ ଅଖତରଙ୍କ ଏକ୍ସେଲ ଏଣ୍ଟରଟେନମେଣ୍ଟ। ଏହା ବ୍ୟତୀତ ମ୍ୟାକଗଫିନ ଫିକ୍ଚର୍ସର ଅଭିଷେକ ଚୌବେ ଓ ହନି ତ୍ରେହାନ ମଧ୍ୟ ଏହାର ପ୍ରଯୋଜକ ରହିଛନ୍ତି।

‘ଶର୍ମାଜୀ ନମକିନ୍’ ଏକ ଫ୍ୟାମିଲ ଏଣ୍ଟରଟେନର ଫିଲ୍ମ, ଯେଉଁଥିରେ ଶେଷ ଥର ପାଇଁ ରିଷି କପୁର ଓ ଜୁହି ଚାଓ୍ଵଲାଙ୍କ ଯୋଡ଼ି ନଜର ଆସିବ। ଏମାନଙ୍କ ବ୍ୟତୀତ ସତୀଶ୍ କୌଶିକ, ସୁହୈଲ ନାୟର, ଶିବା ଚଢ଼ା, ପରେଶ ରାଓ୍ଵଲ ଓ ଈଶା ତଲଓ୍ଵାରଙ୍କ ସମେତ ଅନେକ କଳାକାର ନଜର ଆସିବେ। ଏଥିରେ ରିଷି କପୁର ଓ ପରେଶ ରାଓ୍ଵଲ ଜବରଦସ୍ତ ମନୋରଞ୍ଜନ କରିଛନ୍ତି। ଫିଲ୍ମ ମେକର୍ସ ଏହି ଫିଲ୍ମ ମାଧ୍ୟମରେ ରିଷି କପୁରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଫିଲ୍ମଟି ଭାରତ ଏବଂ ଭାରତ ବାହାରେ ଥିବା ଦର୍ଶକଙ୍କ ହୃଦୟରେ ଏକ ଖାସ୍ ଜାଗା ସୃଷ୍ଟି କରିବ ବୋଲି ମେକର୍ସ ଆଶା ରଖିଛନ୍ତି।