ଏବେ ବି ହସ୍ପିଟାଲରେ ଲତା ମଙ୍ଗେସକର: ଶୀଘ୍ର ସୁସ୍ଥତା କାମନା କରି ପୂଜା-ହୋମ କଲେ ‘ସାରେଗାମା’ ଟିମ୍‌

ଏବେ ବି ସୁସ୍ଥ ହୋଇନାହାନ୍ତି ସଙ୍ଗୀତ ଦୁନିଆର ମହାରାଣୀ ଲତା ମଙ୍ଗେସକର। ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ଜାନୁଆରୀ ୮ରୁ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲର ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। କରୋନା ସଂକ୍ରମଣ ହେବା ପରେ ଏହି ୯୮ ବର୍ଷୀୟା କଣ୍ଠଶିଳ୍ପୀଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରଥମେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ବେଳେ ଏବେ ଭେଣ୍ଟିଲେଟରରୁ କଢ଼ା ଯାଇ ଟ୍ରାଏଲରେ ରଖାଯାଇଛି। ଲତା ମଙ୍ଗେସକରଙ୍କ ପରିବାର ତରଫରୁ କୁହାଯାଇଛି ଯେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଛି। ତେବେ ଏହି ସମୟରେ ସାରା ବିଶ୍ୱରେ ଥିବା ଲତାଙ୍କ ଫ୍ୟାନ୍‌ମାନେ ତାଙ୍କ ପାଇଁ ପ୍ରାର୍ଥନା କରିବା ସହ ପୂଜା ପାଠ ହୋମ ଯଜ୍ଞ ଆଦି କରୁଥିବା ଦେଖିବାକୁ ମିଳିଛି।

ସୋସିଆଲ ମିଡିଆରେ ଏବେ ଅନେକ ଗୁଡ଼ିକ ଫଟୋ ଓ ଭିଡିଓ ଘୂରି ବୁଲୁଛି। ଏହି ଭିଡିଓରେ ଲତା ମଙ୍ଗେସକରଙ୍କ ଫ୍ୟାନ୍‌ମାନେ ତାଙ୍କର ଶୀଘ୍ର ସୁସ୍ଥତା ପାଇଁ କାମନା କରି ହୋମ ଯଜ୍ଞ କରୁଥିବାର ଦେଖିବାକୁ ମିଳୁଛି। ଇତି ମଧ୍ୟରେ ‘ସାରେଗାମା’ର ଟିମ୍‌ ମଧ୍ୟ ଲତା ମଙ୍ଗେସକରଙ୍କ ଶୀଘ୍ର ଆରୋଗ୍ୟ କାମନା କରି ପୂଜା ଓ ହୋମ ରଖିଛନ୍ତି। ଏହି ହୋମର କେତେକ ଝଲକ ସୋସିଆଲ ମିଡିଆରେ ସେୟାର କରାଯାଇଛି। ଏଥିରେ ପୂଜାରୀଙ୍କ ସହ କ୍ରୁ ମେମ୍ବର ଓ ଶୋ’ର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।

ଏହି ପୋଷ୍ଟକୁ ସୋସିଆଲ ମିଡିଆରେ ସେୟାର କରି ଲେଖାଯାଇଛି, ଲତା ମାମ୍‌ ଶୀଘ୍ର ସୁସ୍ଥ ହୋଇଯିବେ। ତାଙ୍କ ସୁସ୍ଥତା କାମନା କରି ସାରେଗାମାର ପୂରା ଟିମ୍‌ ଏହି ପୂଜା ରଖିଥିଲେ। ସେ ଆମର ମା’ ସରସ୍ୱତୀ, ସେ ଶୀଘ୍ର ସୁସ୍ଥ ହୋଇ ଫେରି ଆସନ୍ତୁ ଏତିକି ପ୍ରାର୍ଥନା।

ତେବେ ଏହି ପୋଷ୍ଟ ଭାଇରାଲ ହେବା ପରେ କିଛି ୟୁଜର୍ସ ଆପତ୍ତି ବ୍ୟକ୍ତ କରୁଥିବା ଦେଖାଯାଇଛି। ଲୋକେ ଏହି ଫଟୋ ଦେଖି ଡରିଯାଇଥିବା କହିଛନ୍ତି। କାଳେ ଲତା ମଙ୍ଗେସକରଙ୍କର କିଛି ହୋଇଗଲା ବୋଲି ସେମାନେ ଭାବିଥିବା କମେଣ୍ଟ ମାଧ୍ୟମରେ ଦର୍ଶାଇଛନ୍ତି।

Lata2
Image Credit: Instagram

ସୂଚନାଯୋଗ୍ୟ ଯେ ଲତା ମଙ୍ଗେସକର ଏବେ ବି ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି। ଆଜି ସକାଳେ ତାଙ୍କୁ ଭେଣ୍ଟିଲେଟରରୁ ବାହାର କରାଯାଇ ଟ୍ରାଏଲରେ ରଖାଯାଇଛି। ଖୁବ୍‌ଶୀଘ୍ର ସେ ଘରକୁ ଫେରିପାରନ୍ତି ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି।