ସୋନାଲୀ ଫୋଗଟଙ୍କୁ କରାଯାଇଛି ହତ୍ୟା! ସିବିଆଇ ତଦନ୍ତ ଦାବି କଲେ ପରିବାର ଲୋକେ

ଟିକ୍‌ଟକ୍‌ ଷ୍ଟାର୍‌ ତଥା ବିଜେପି ନେତ୍ରୀ ସୋନାଲୀ ଫୋଗଟଙ୍କ ମୃତ୍ୟୁ ଘଟଣା ରହସ୍ୟ ଘେରକୁ ଆସିଛି, ଯାହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ତାଙ୍କ ପରିବାର ଲୋକେ। ଏ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି ସେମାନେ। ଏହାଛଡ଼ା ଘଟଣାର ସିବିଆଇ ତଦନ୍ତ ମଧ୍ୟ ଦାବି କରିଛନ୍ତି। ସୋନାଲୀଙ୍କ ଭଉଣୀ ରମନଙ୍କ କହିବା ହେଲା, ସୋନାଲୀ ବହୁତ ଫିଟ୍‌ ଥିଲେ, ତାଙ୍କୁ ହାର୍ଟ ଆଟାକ୍‌ ଆସିପାରିବ ନାହିଁ।

ରମନ କହିଛନ୍ତି, ସୋନାଲୀଙ୍କ ମୃତ୍ୟୁ ହାର୍ଟ ଆଟାକ୍‌ରେ ହୋଇଛି ବୋଲି ତାଙ୍କ ପରିବାର କେବେ ବିଶ୍ୱାସ କରିବ ନାହିଁ। କାହିଁକି ନା, ତାଙ୍କର କୌଣସି ମେଡିକାଲ ସମସ୍ୟା ନ ଥିଲା। ସୋନାଲୀ ଫୋଗଟଙ୍କର ଆଉ ଜଣେ ଭଉଣୀ ରୂପେଶ କହିଛନ୍ତି, ମୃତ୍ୟୁ ପୂର୍ବରୁ ସୋନାଲୀ ତାଙ୍କୁ କଲ୍‌ କରିଥିଲେ। ସେ ହ୍ଵାଟସ୍‌ଆପରେ କଥା ହେବାକୁ ଚାହୁଁଥିଲେ ଏବଂ କହୁଥିଲେ କି, ତାଙ୍କୁ ସମସ୍ୟା ହେଉଛି। ଏହାପରେ ସେ ଫୋନ୍‌ କାଟି ଦେଇଥିଲେ ଏବଂ ଆଉ ଫୋନ୍‌ ଉଠାଇ ନ ଥିଲେ।

ସୋନାଲୀଙ୍କ ଭଉଣୀଙ୍କ କହିବା ହେଲା, ମୃତ୍ୟୁର ଦିନକ ପୂର୍ବରୁ ସୋନାଲୀଙ୍କ ସହ ତାଙ୍କର କଥାବାର୍ତ୍ତା ହୋଇଥିଲା। ସେ କହିଥିଲେ ଯେ ସେ ଠିକ୍‌ ଅଛନ୍ତି। ଶୁଟିଂ ପାଇଁ ଯାଉଛନ୍ତି। ୨୭ ତାରିଖରେ ଫେରି ଆସିବେ। ପୁଣି ସୋମବାର ସକାଳେ ସୋନାଲୀ କଲ୍‌ କରିଥିଲେ ଏବଂ ମା’ଙ୍କ ସହିତ କଥା ହୋଇଥିଲେ। ଏହି ସମୟରେ ସୋନାଲୀ କହିଥିଲେ କି, ଖାଦ୍ୟ ଖାଇବା ପରେ ତାଙ୍କ ଶରୀରରେ କିଛି ସମସ୍ୟା ହେଉଛି। ଲାଗୁଛି, ଖାଦ୍ୟରେ ଏପଟ ସେପଟ କରାଯାଇଛି। ବୋଧହୁଏ କେହି ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚୁଛି।

କହି ରଖୁଛୁ, ସୋନାଲୀ ଫୋଗଟଙ୍କର ଗୋଆରେ ନିଧନ ହୋଇଛି। ପୋଲିସ ମୁତାବକ, ଗତ ସୋମବାର ରାତିରେ ସେ ଏଠାରେ ଏକ ରେଷ୍ଟୁରାଣ୍ଟରେ ଥିଲେ। ଏହି ସମୟରେ ସେ ଅଶାନ୍ତ ଅନୁଭବ କରିଥିଲେ, ଯାହା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.