୨୦୧୯ ମସିହାରେ ସୋସିଆଲ ମିଡିଆରେ ସବୁଠାରୁ ଅଧିକ ଚର୍ଚ୍ଚାରେ ଥିଲେ ଏହି ୪ ଭାରତୀୟ ମହିଳା

ଆଉ ମାତ୍ର ଦିନ କେଇଟା ପରେ ବିଦାୟ ନେବ ୨୦୧୯ ଓ ପାଦ ଥାପିବ ୨୦୨୦। ୨୦୧୯ ତ ଚାଲିଯିବ, କିନ୍ତୁ ପଛରେ ଛାଡ଼ିଯିବ ଅନେକ ସ୍ମୃତି ଅନେକ ଅନୁଭବ ଯାହା ଚିରକାଳ ପାଇଁ ଲିଖିତ ହୋଇ ରହିବ ହୃଦୟର ପରଦାରେ। ବିଦାୟୀ ବର୍ଷରେ ଏମିତି ଘଟଣାମାନ ଘଟିଛି ଯାହା ସବୁଦିନ ପାଇଁ ମନେ ରହିବ। ଏହି ବର୍ଷଟି ଖାସ୍‌ କରି ମହିଳାଙ୍କ ପାଇଁ ଥିଲା ଗୁରୁତ୍ୱପୂର୍ଣ୍ଣ। ୨୦୧୯ କାହା ପାଇଁ ନେଇ ଆସିଥିଲା ଅସୁମାରୀ ଆଶା ତ ଆଉ କାହାର ସ୍ୱପ୍ନକୁ କରିଥିଲା ସାକାର। ତେବେ ଏହି ବର୍ଷ ଗୁଗଲ୍‌ରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ମହିଳାଙ୍କ ତାଲିକାରେ ରହିଥିଲେ ୪ ଜଣ ଭାରତୀୟ ମହିଳା। ଆସନ୍ତୁ ଜାଣିବା ତାଙ୍କ ବିଷୟରେ…

ଲତା ମଙ୍ଗେସକର:

ଶହ ଶହ ଗୀତ ଗାଇ ଲୋକଙ୍କ ହୃଦୟରେ ରାଜ୍‌ କରୁଥିବା ଲତା ମଙ୍ଗେସକର ୨୦୧୯ ମସିହାରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଥିଲେ। ଗୁଗଲରେ ସର୍ଚ୍ଚ କରାଯାଇଥିବା ମହିଳାଙ୍କ ତାଲିକାରେ ଦ୍ୱିତୀୟ ନମ୍ବରରେ ଅଛନ୍ତି ଲତା ଦିଦି। ବର୍ଷ ଆରମ୍ଭରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିଲା। ସେ ନିମୋନିଆରେ ପୀଡ଼ିତ ହୋଇ ୨୬ ଦିନ ଯାଏଁ ମେଡିକାଲରେ ଭର୍ତ୍ତି ହେଇଥିଲେ। ସେହି ସମୟରେ ଗୁଗଲରେ ତାଙ୍କ ଆରୋଗ୍ୟ କାମନା କରାଯିବା ସହ ଅପଡେଟ୍‌ ଜାଣିବାକୁ ଲଗାତାର ତାଙ୍କ ନାଁ ସର୍ଚ୍ଚ କରାଯାଉଥିଲା।

ରାନୁ ମଣ୍ଡଳ:

ରାତାରାତି ଷ୍ଟାର ବନିଥିବା ରାନୁ ମଣ୍ଡଳଙ୍କ ପାଇଁ ୨୦୧୯ ମସିହା ଥିଲା ଜୀବନର ସବୁଠାରୁ ଶ୍ରେଷ୍ଠ ବର୍ଷ। ଏହି ବର୍ଷ ସେ ରେଳ ଷ୍ଟେସନର ଭିକାରୀରୁ ବଲିଉଡ୍‌ର ଗାୟିକା ପାଲଟିଥିଲେ। ଏଣୁ ଗୁଗଲରେ ରାନୁ ମଣ୍ଡଳଙ୍କ ବିଷୟରେ ଅଧିକ ସର୍ଚ୍ଚ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ଷ୍ଟାର ପାଲଟିବା ପରେ ରାନୁ ମଣ୍ଡଳଙ୍କ ବ୍ୟବହାର ବଦଳିଯାଇଥିଲା। ଗୁଗଲରେ ସର୍ଚ୍ଚ କରାଯାଇଥିବା ମହିଳାଙ୍କ ମଧ୍ୟରେ ସପ୍ତମ ସ୍ଥାନରେ ଥିଲେ ରାନୁ ମଣ୍ଡଳ।

ତାରା ସୁତାରିଆ:

ବଲିଉଡ୍‌ ଅଭିନେତ୍ରୀ ତାରା ସୁତାରିଆଙ୍କ ପାଇଁ ମଧ୍ୟ ୨୦୧୯ ମସିହା ଖୁବ୍‌ ଉତ୍ତମ ଥିଲା। ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର-୨ ଜରିଆରେ ବଲିଉଡ୍‌ରେ ପାଦ ଥାପିଥିବା ତାରା ସୋସିଆଲ ମିଡିଆ ବି ଖୁବ୍‌ ଚର୍ଚ୍ଚାରେ ଥିଲେ। ଚଳିତବର୍ଷ ଗୁଗଲରେ ସର୍ଚ୍ଚ କରାଯାଇଥିବା ମହିଳାଙ୍କ ମଧ୍ୟରେ ତାରାଙ୍କ ନାମ ଅଷ୍ଟମ ସ୍ଥାନରେ ରହିଥିଲା।

କୋଏନା ମିତ୍ର:

ସାକି ସାକି ଗୀତ ଜରିଆରେ ବଲିଉଡ୍‌ରେ ପରିଚୟ ସୃଷ୍ଟି କରିଥିବା କୋଏନା ମିତ୍ରଙ୍କ ନାଁ ମଧ୍ୟ ଗୁଗଲରେ ସବୁଠାରୁ ଅଧିକ ଖୋଜାଯାଇଥିବା ମହିଳାଙ୍କ ମଧ୍ୟରେ ରହିଛି। ଚଳିତବର୍ଷ ବିଗବସ୍‌–୧୩ ରେ କୋଏନା ମିତ୍ର ଆସିବା ପରେ ଲୋକେ ତାଙ୍କ ବିଷୟରେ ଜାଣିବାକୁ ଅଧିକ ସର୍ଚ୍ଚ କରିଥିଲେ। ଏଣୁ କୋଏନା ଅଧିକ ଖୋଜାଯାଇଥିବା ମହିଳାଙ୍କ ତାଲିକାରେ ୧୦ମ ସ୍ଥାନରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.