ଏ ବିବାହ ମୂଲ୍ୟହୀନ, ଅର୍ଥହୀନ, ହୃଦୟହୀନ, ଯନ୍ତ୍ରଣାଦାୟକ ଥିଲା: ଅନୁଭବ ମହାନ୍ତି

ଦୀର୍ଘ ଦିନର ବାଦ ବିବାଦ ପରେ ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାରେ ଅନ୍ତ ଘଟିଛି । ୧୦ ବର୍ଷର ସମ୍ପର୍କରେ ପଡିଛି ପୂର୍ଣ୍ଣଚ୍ଛେଦ । ବର୍ଷା-ଅନୁଭବଙ୍କ ଛାଡପତ୍ରକୁ ମଞ୍ଜୁରୀ ।

କଟକ (କେନ୍ୟୁଜ): ଆଜିକୁ ୧୦ ବର୍ଷ ତଳେ ପଡିଥିଲା ହାତଗଣ୍ଠି, ଆଉ ୧୦ ବର୍ଷ ପରେ ଫିଟିଗଲା ବହୁ ବନ୍ଧନ । କହିବାକୁ ଗଲେ ବିବାହ ହେଉଛି ଏକ ପବିତ୍ର ବନ୍ଧନ । ପ୍ରେମ, ଭରସା ଓ ବୁଝାମଣା ଉପରେ ଏହା ନିର୍ଭର କରେ । ଯଦି ଏଥିରୁ କୌଣସି ଗୋଟିଏ ବି କମ୍‌ ହୋଇଯାଏ ତବେ ବର୍ଷ ବର୍ଷର ସମ୍ପର୍କ ଭାଙ୍ଗିଯାଏ । ଏମିତି କିଛି ହୋଇଛି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ନାମରଦାମୀ କଳାକାର ବର୍ଷା-ଅନୁଭବଙ୍କ ସହିତ ।  ଏହି ଦମ୍ପତି ଦିନେ ଦୁନିଆ ପାଇଁ ଉଦାହରଣ ଥିଲେ । ଉଭୟ ଲଭ୍‌ ମ୍ୟାରେଜ୍‌ କରିଥିଲେ । ଉଭୟଙ୍କ ଯୋଡିକୁ ସଭିଏଁ ଖୁବ୍ ପସନ୍ଦ କରୁଥିଲେ । ହେଲେ ଉଭୟ କିନ୍ତୁ ସେମାନଙ୍କ ବିବାହକୁ ସାରା ଜୀବନ ପାଇଁ ବାନ୍ଧି ରଖି ପାରିନାହାଁନ୍ତି । ଲଭ୍‌ ମ୍ୟାରେଜ୍‌ ସତ୍ତ୍ୱେ ସେମାନେ ସବୁ ଦିନ ପାଇଁ ଅଲଗା ହୋଇଯାଇଛନ୍ତି ।

ହଁ ଆଜ୍ଞା, ୧୦ ବର୍ଷର ସମ୍ପର୍କରେ ପଡିଲା ପୂର୍ଣ୍ଣଚ୍ଛେଦ । ବର୍ଷା-ଅନୁଭବଙ୍କ ଛାଡପତ୍ରକୁ ମଞ୍ଜୁରୀ । ଛାଡପତ୍ର ପାଇଁ ଆଇନଗତ ଲଢେଇରେ ସାଂସଦ ଅନୁଭବ ମହାନ୍ତିଙ୍କ ବିଜୟ ହୋଇଥିବା ସୂଚନା ଦେଇଛନ୍ତି ନିଜେ ଅନୁଭବ। ପତ୍ନୀ ବର୍ଷ ପ୍ରିୟଦର୍ଶିନୀଙ୍କ ଠାରୁ ଛାଡପତ୍ର ପାଇଁ କୋର୍ଟ ମଞ୍ଜୁରୀ ଦେଇଛନ୍ତି । ଏ ସମ୍ପର୍କରେ ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଅନୁଭବ। ମିଛ ବିବାହ ଯନ୍ତ୍ରଣାରୁ ତାଙ୍କୁ ମୁକ୍ତି ମିଳିଥିବା ସେ କହିଛନ୍ତି । ୧୦ମ ବିବାହ ବାର୍ଷିକୀର ଗୋଟିଏ ଦିନ ପୂର୍ବରୁ କୋର୍ଟଙ୍କ ଏଭଳି ନିଷ୍ପତ୍ତି ପାଇଥିବାରୁ ସେ ଟ୍ବିଟରରେ ଖୁସି ପ୍ରକାଶ କରିଛନ୍ତି । ଏହା ସହ ବର୍ଷାଙ୍କ ଖୁସି କାମନା ସହିତ ହାପି ରୋଜ ଡେ’ର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ସେ ଏକ୍ସରେ ଲେଖିଛନ୍ତି ଏ ବିବାହ ମୂଲ୍ୟହୀନ, ଅର୍ଥହୀନ, ହୃଦୟହୀନ, ଯନ୍ତ୍ରଣାଦାୟକ ଥିଲା ।

ଅନୁଭବ ମହାନ୍ତିଙ୍କ ବିବାହ ବିଚ୍ଛେଦ ଆବେଦନକୁ ଗତ ଡିସେମ୍ବର ୨୧ ତାରିଖରେ ଅନୁମତି ଦେଇଥିଲେ ହାଇକୋର୍ଟ । କଟକ ପରିବାର ଅଦାଲତଙ୍କ ରାୟକୁ ହାଇକୋର୍ଟ ଖାରଜ କରିଥିଲେ । ଓଡିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନା ଓ ଜଷ୍ଟିସ ଶିଵ ଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନୁଭବ ମହାନ୍ତିଙ୍କ ଆବେଦନକୁ ବିଚାର ପାଇଁ ଗ୍ରହଣ କରି କଟକ ପରିବାର ଅଦାଲତଙ୍କ ରାୟକୁ ଖାରଜ କରିବା ସହିତ ବିବାହ ବିଚ୍ଛେଦ ଡିକ୍ରୀ ଦେବାକୁ କଟକ ପରିବାର ଅଦାଲତକୁ ନିର୍ଦ୍ଦେଶ ଦେଇଥିଲେ । କଟକ ପରିବାର ଅଦାଲତଙ୍କ ରାୟକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସାଂସଦ ଅନୁଭବ ମହାନ୍ତି । ଗତ ସେପ୍ଟେମ୍ବର ୨୨ ତାରିଖରେ ଏହି ବହୁଚର୍ଚ୍ଚିତ ପାରିବାରିକ ବିବାଦର ରାୟ ଶୁଣାଇଥିଲେ କଟକ ପରିବାର ଅଦାଲତ । ଅନୁଭବ ମହାନ୍ତିଙ୍କ ପକ୍ଷରୁ ହୋଇଥିବା ଛାଡପତ୍ର ଆବେଦନକୁ ଖାରଜ କରିଥିଲେ କଟକ ପରିବାର ଅଦାଲତ ।

Thanks all who prayed for me & my family’s peace🙏🏻

Got my decree of divorce today, which is just a day before the completion of 10 worthless/meaningless/heartless/painful & above all, false marital years of my false marriage! I pray for her happiness.
No Offence.#HappyRoseDay pic.twitter.com/EAEH5IY8qm

— Anubhav Mohanty (@AnubhavMohanty_) February 7, 2024

ଅନ୍ୟ ପଟରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଉଭୟ ଏକତ୍ର ରହିବା ପାଇଁ କଟକ ପରିବାର ଅଦାଲତରେ ଏକ ପିଟିସନ କରିଥିଲେ । ଏହି ପିଟିସନକୁ ମଧ୍ୟ ଅଗ୍ରାହ୍ୟ କରିଥିଲେ କଟକ ପରିବାର ଅଦାଲତ । ୨୦୨୦ ମସିହାରେ ପ୍ରଥମେ ଅନୁଭବ ମହାନ୍ତି ଦିଲ୍ଲୀ ପଟିଆଲା ହାଉସ ପରିବାର ଅଦାଲତରେ ବିବାହ ବିଛେଦ ପାଇଁ ଆବେଦନ କରିଥିଲେ । ଏହି ମାମଲା ଓଡିଶାକୁ ସ୍ଥାନାନ୍ତରିତ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମାମଲା କଟକ ପରିବାର ଅଦାଲତକୁ ସ୍ଥାନାନ୍ତରିତ ହୋଇଥିଲା ।

ଶୁଣାଣିରେ ବହୁ ବିଳମ୍ବ ହେଉଥିବା ନେଇ ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାରୁ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ଶୁଣାଣି ଶେଷ କରି ରାୟ ପ୍ରକାଶ କରିବାକୁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଆଇନଜୀବୀ ଲଳିତେନ୍ଦୁ ମିଶ୍ରଙ୍କ ଜରିଆରେ ଅପିଲରେ ଅନୁଭବ ମହାନ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟଙ୍କ ଐତିହାସିକ ରାୟ ଓ କଟକ ପରିବାର ଅଦାଲତଙ୍କ ଡିକ୍ରୀ ପରେ ଏହି ବହୁଚର୍ଚ୍ଚିତ ପାରିବାରିକ ବିବାଦରେ ପୂର୍ଣ୍ଣଛେଦ ପଡିଛି ।

ତେବେ ଦିନେ ବର୍ଷା-ଅନୁଭବଙ୍କ ମଧ୍ୟରେ ଥିବା ବଣ୍ଡିଂକୁ ଦେଖି କରି ଏମିତି ଲାଗୁଥିଲା ଏହି ଯୋଡ଼ି ଏକ୍‌ଦମ୍‌ ପରଫେକ୍ଟ । ହେଲେ ୧୦ ବର୍ଷର ସମ୍ପର୍କ ଗୋଟିଏ କ୍ଷଣରେ ଶେଷ ହୋଇଗଲା । ବିବାହର କିଛି ବର୍ଷ ପରେ ସମ୍ପର୍କରେ ଦେଖାଗଲା ଝଡ଼ । ଉଭୟ ଉଭୟଙ୍କ ଉପରେ ଦୋଷ ଲଦାଲଦି ହେଲେ । ଯାହା ଫଳରେ ଭାଙ୍ଗଗଲା ସବୁ ଭରଷା, ଆଉ ବିଶ୍ୱାସ । ଉଭୟେ ଏବେ ସବୁ ବନ୍ଧନକୁ ମୁକ୍ତ ହୋଇଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.