ଏନଡିଏର ପୂର୍ଣ୍ଣ ସମର୍ଥନ, ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦି ଆଗାମୀ ପ୍ରଧାନମନ୍ତ୍ରୀ । ଏନଡିଏ ବୈଠକରେ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ନାମରେ ମୋହର ବାଜିଛି । ଆଜି ସନ୍ଧ୍ୟା ୭.୩୦ ମିନିଟରେ ମୋଦି ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ସରକାର କରିବା ପାଇଁ ଦାବି କରିବେ । ଏହି ସମୟରେ ତାଙ୍କ ସହିତ ନୀତୀଶ, ଚନ୍ଦ୍ରବାବୁ, ଚିରାଗ ପାସଓ୍ବାନ ପ୍ରମୁଖ ଉପସ୍ଥିତ ରହିବେ । ତେବେ ଏହାପୂର୍ବରୁ ରାଷ୍ଟ୍ରପତି ୧୭ତମ ଲୋକସଭା ଭଙ୍ଗ କରିଛନ୍ତି ।

ନରେନ୍ଦ୍ର ମୋଦିଙ୍କ ବାସଭବନରେ ଏକାଠି ହୋଇଥିଲେ ଏନଡିଏ ସହଯୋଗୀ ଦଳର ସଦସ୍ୟ । ତେବେ ଏହାପୂର୍ବରୁ ସହଯୋଗୀଙ୍କ ଆସିବାକୁ ନେଇ ଅନେକ କଳ୍ପନାଜଳ୍ପନା ଲାଗିଥିଲା । ତେବେ ସମସ୍ତଙ୍କ ନଜର ଟିଡିପି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁ ଓ ଜେଡିୟୁର ନୀତୀଶ କୁମାରଙ୍କ ଉପରେ ରହିଥିଲା । ଉଭୟଙ୍କ ପାଖରେ ୨୮ଟି ଆସନ ରହିଛି । କାଳେ ଏମାନେ ପଟ ପରିବର୍ତ୍ତନ କରିନେବେ, ସେଥିପାଇଁ ବୈଠକରେ ଉଭୟଙ୍କ ଠାରୁ ମୋଦି ଲିଖିତ ଭାବେ ସମର୍ଥନ ହାସଲ କରିଥିବା ଜଣାପଡ଼ିଛି । ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ, ଜେଡିୟୁର ନୀତୀଶ କୁମାର, ଏଲଜେପି ମୁଖ୍ୟ ଚିରାଗ ପାଶୱାନ ପ୍ରମୁଖ ବୈଠକରେ ଯୋଗ ଦେଇ ନୂଆ ସରକାର ଗଠନ ନେଇ ଆଲୋଚନା କରିଛନ୍ତି । ଏନଡିଏକୁ ୨୯୨ ଆସନ ମିଳିଥିବା ବେଳେ ଇଣ୍ଡିଆ ମେଣ୍ଟକୁ ମିଳିଛି ୨୩୪ ଆସନ ।


ଜୁନ୍‌ ୮ରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ଏସବୁ ଭିତରେ ପ୍ରଧାନମନ୍ତ୍ରୀ ପଦରୁ ମୋଦି ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଇସ୍ତଫା ଗ୍ରହଣ କରିବା ସହ ନୂଆ ସରକାର ଗଠନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇବାକୁ ମୋଦିଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.