ବିବାଦରେ ଫସିଲେ ଗାୟକ ହନି ସିଂ, ଘରୋଇ ହିଂସାର ଅଭିଯୋଗ ଆଣିଲେ ପତ୍ନୀ ଶାଲିନୀ

ବଲିଉଡ ଇଣ୍ଡଷ୍ଟ୍ରୀରେ ଗାୟକ ହନି ସିଂଙ୍କ ନାମ ବେଶ ଚର୍ଚ୍ଚିତ। ହନି ସିଂ ଫିଲ୍ମ ଇଣ୍ଡଷ୍ଟ୍ରୀରେ ରାପ୍ କୁ ଏକ ଭିନ୍ନ ଦିଗ ଦେଇଥିଲେ ହନି। ଏଥିପାଇଁ ହନି ସିଂଙ୍କ କୋଟି କୋଟି ପ୍ରଶଂସକ ରହିଛନ୍ତି। ବଲିଉଡର ଅନେକ ସୁପରହିଟ୍ ଗୀତ ହନି ସିଂଙ୍କ ନାମରେ ରହିଛି। କିନ୍ତୁ ଏସବୁ ସତ୍ତ୍ବେ ପୁଣି ବିବାଦ ମଧ୍ୟ ଟାଣି ହୋଇ ଆସିଛନ୍ତି ହନି ସିଂ। ଦୀର୍ଘ ଦିନ ଧରି ହନି ସିଂ ବିବାଦରୁ ନିଜକୁ ଦୂରେଇ ରଖିବା ପାଇଁ ବହୁତ ଚେଷ୍ଟା କରିଥିଲେ। କିନ୍ତୁ ପୁଣି ଥରେ ସେ ଲାଇମଲାଇଟ୍ ଭିତରକୁ ଆସିଛନ୍ତି, କିନ୍ତୁ ଏଥର ସେ କୌଣସି ଗୀତ ପାଇଁ ନୁହେଁ ବରଂ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ହନି ସିଂଙ୍କ ପତ୍ନୀ ଶାଲିନୀ ତଲୱାର ସ୍ବାମୀଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣି କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ହନିଙ୍କ ପତ୍ନୀ ଶାଲିନୀ ତଲଓ୍ବାର ତାଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣିଛନ୍ତି। ଶାରୀରିକ ହିଂସା, ଯୌନ ନିର୍ଯାତନା, ମାନସିକ ଉତ୍ପୀଡ଼ନ ଏବଂ ଆର୍ଥିକ ହିଂସା ଅଭିଯୋଗ କରିଛନ୍ତି ଶାଲିନୀ। ଦିଲ୍ଲୀ ସ୍ଥିତ ତିସ ହଜାରୀ କୋର୍ଟର ମାଜିଷ୍ଟ୍ରେଟ ତାନିୟା ସିଂହଙ୍କ ନିକଟରେ ଶାଲିନୀ ଅଭିଯୋଗ କରିଥିବା ଜଣାପଡ଼ିଛି। ସନ୍ଦୀପ କପୁର, ଜିଜି କଶ୍ୟପ ଏବଂ ଅପୂର୍ବା ପାଣ୍ଡେ ଏହି ମାମଲା ଲଢୁଥିବା ବେଳେ କୋର୍ଟଙ୍କ ପକ୍ଷରୁ ହନି ସିଂହଙ୍କ ନାମରେ ଏକ ନୋଟିସ ଜାରି କରାଯାଇଛି । ଆସନ୍ତା ୨୮ ଅଗଷ୍ଟ ପୂର୍ବରୁ ଏହି ମାମଲାରେ ନିଜର ପକ୍ଷ ରଖିବା ପାଇଁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ହନି ସିଂଙ୍କ ସହ ଶାଲିନୀ ମଧ୍ୟ ତାଙ୍କ ପିତାମାତା ଏବଂ ଭଉଣୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ‘ଘରୋଇ ହିଂସା ଆଇନରୁ ମହିଳାଙ୍କ ସୁରକ୍ଷା’ ଅଧୀନରେ ହନି ସିଂଙ୍କ ବିରୋଧରେ ଏକ ପିଟିସନ ଦାଖଲ କରିଛନ୍ତି। ଏହି ଆବେଦନ ତିସ ହଜାରୀ କୋର୍ଟରେ ଦାଖଲ କରାଯାଇଥିଲା।

ସୂଚନାଯୋଗ୍ଯ, ହନି ସିଂ ଏବଂ ଶାଲିନୀ ୨୦ ବର୍ଷର ବନ୍ଧୁତାକୁ ପ୍ରେମରେ ପରିଣତ କରିଥିଲେ । ୨୦୧୧ ମସିହାରେ ଦୁହେଁ ବିବାହ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.