କରୋନା ପରେ ବଢିଛି କ୍ରୋନିକ ରୋଗ, ଏବେଠୁ ସତର୍କ ହେବା ଜରୁରୀ

ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଚଳିତ ବର୍ଷର ଥିମ ରହିଛି ‘ହେଲଥ ଫର ଅଲ’ । କରୋନାରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ଠାରେ ଅନେକ ପ୍ରକାରର କ୍ରୋନିକ ରୋଗ ଦେଖାଯାଉଛି । ଗବେଷଣାରେ କୁହାଯାଉଛି କରୋନା ଭୂତାଣୁ ଯୋଗୁଁ ହୃଦୟ, ଫୁସଫୁସ ଜନିତ ରୋଗର ମାତ୍ରାରେ ବୃଦ୍ଧି ପାଇଛି । ଏହାସହ ଅନେକ ରୋଗର ଚିକିତ୍ସାରେ ଏହି ଭୂତାଣୁ ବାଧକ ସାଜିଛି ।

କେନ୍ୟୁଜ୍‌(ବ୍ୟୁରୋ): ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଚଳିତ ବର୍ଷର ଥିମ ରହିଛି ‘ହେଲଥ ଫର ଅଲ’ । ସ୍ୱାସ୍ଥ୍ୟ ଓ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ହୋଇଥିବା ବିକାଶକୁ ଲୋକଙ୍କ ନିକଟରେ ପହଁଚାଇବା ଏହି ଦିବସ ପାଳନର ଉଦ୍ଦେଶ୍ୟ । କିଛି ସପ୍ତାହ ଧରି ଭାରତରେ କରୋନାର ମାମଲା ବୁଢୁଛି । ଆଗ ଅପେକ୍ଷା କରୋନା ଭୂତାଣୁକୁ ସେତେଟା ଗୁରୁତର ମନା ଯାଉନି । କିନ୍ତୁ କରୋନାରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ଠାରେ ଅନେକ ପ୍ରକାରର କ୍ରୋନିକ ରୋଗ ଦେଖାଯାଉଛି । ତିନିବର୍ଷ ଧରି ମହାମାରୀ ଲୋକଙ୍କ ଶାରିରୀକ ସ୍ୱାସ୍ଥ୍ୟ ସହ ମାନଶିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଛି । ଅନେକ ଗବେଷଣାରେ କୁହାଯାଉଛି କରୋନା ଭୂତାଣୁ ଯୋଗୁଁ ହୃଦୟ, ଫୁସଫୁସ ଜନିତ ରୋଗର ମାତ୍ରାରେ ବୃଦ୍ଧି ପାଇଛି । ଏହାସହ ଅନେକ ରୋଗର ଚିକିତ୍ସାରେ ଏହି ଭୂତାଣୁ ବାଧକ ସାଜିଛି ।

କ୍ରୋନିକ ରୋଗ କଣ?
କ୍ରୋନିକ ରୋଗର ଅର୍ଥ ହେଲା ଯେଉଁରୋଗ ଆମ ଶରୀରରେ ଦୀର୍ଘକାଳୀନ ସମୟ ପାଇଁ ରହିଥାଏ । ଏହି ରୋଗର ଚିକିତ୍ସା ୬ ମାସରୁ ବର୍ଷେ ପର୍ଯ୍ୟନ୍ତ ଚାଲିଥାଏ । ଏହି ରୋଗର ଉଦାହରଣ ହେଲା ମଧୁମେୟ, କର୍କଟ ଓ ହୃଦୟ ଜନିତ ରୋଗ । ଏହାସହ କିଡନୀ ଜନିତ ସମସ୍ୟା ମଧ୍ୟ ଅନେକ ଲୋକଙ୍କ ମୃତ୍ୟୁର କାରଣ ସାଜିଥାଏ । ଗବେଷଣାରେ କୁହାଯାଉଛି ମହାମାରୀ ପରେ ଏହିସବୁ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ଏଥିପାଇଁ ଲୋକଙ୍କ ଜୀବନଶୈଳୀ ଦାୟୀ ।

ମାନସିକ ରୋଗ: ରିପୋର୍ଟ ଅନୁସାରେ କରୋନା ସମୟରେ ଲୋକଙ୍କ ଚିନ୍ତା, ଅବସାଦ, ସ୍ମରଣଶକ୍ତି ଓ ଏକାଗ୍ରତା ସହ ଜଡ଼ିତ ଥିବା ସମସ୍ୟାରେ ବୃଦ୍ଧି ଘଟିଛି । ଏକୁଟିଆ ପଣ, ନିଜ ଲୋକଙ୍କୁ ହରାଇବା ଓ ଆର୍ଥିକ ସଙ୍କଟ ମାନସିକ ରୋଗକୁ ବଢାଇବାର କାରଣ ସାଜିଛି । ଏଥିପାଇଁ ଅଧିକ ମାତ୍ରାରେ ଲୋକେ ମାନସିକ ରୋଗସହ ଜୁଝୁଛନ୍ତି ।

କର୍କଟ: କରୋନା ସଂକ୍ରମଣ ଯୋଗୁଁ ବିଭିନ୍ନ ଧରଣର କର୍କଟ ରୋଗ ହେବାର ସମ୍ଭାବନା ଦେଖାଦେଇଛି । ଅଧ୍ୟୟନରେ କୁହାଯାଇଛି କୋଭିଡ -19 ଭୂତାଣୁ ପି-53 ଜିନ ଉପରେ ପ୍ରଭାବ ପକାଇଥାଏ । ଫଳରେ କର୍କଟ ଭଳି ରୋଗକୁ ଅଟକାଉଥିବା କ୍ଷମତା କମିଯାଏ ।

ଶ୍ୱାସ ସମ୍ବଧିତ ଜଡ଼ିତ ରୋଗ: କରୋନା ଯୋଗୁଁ ଲୋକେ ଲମ୍ବା ସମୟ ପାଇଁ କାଶ, ଶ୍ୱାସକ୍ରିୟାରେ ଅସୁବିଧା, ଛାତିରେ ଯନ୍ତ୍ରଣା ଭଳି ସମସ୍ୟା ଭୋଗୁଛନ୍ତି । ଏହା ପୂର୍ବରୁ ଶ୍ୱାସ ଜନିତ ରୋଗରେ ପୀଡ଼ିତ ଥିବା ଲୋକଙ୍କ ପାଇଁ ଏହି ସମସ୍ୟା ଆହୁରି ବଢିଯାଇଛି । କୋଭିଡ-19 ଭୂତାଣୁ ମୁଖ୍ୟତଃ ଶ୍ୱସନ ତନ୍ତ୍ର ଉପରେ ପ୍ରଭାବ ପକାଉଛି । ଯେଉଁମାନେ କରୋନାରେ ପୀଡ଼ିତ ହୋଇ ଭଲ ହୋଇଛନ୍ତି ସେମାନଙ୍କ ଠାରେ ଦୀର୍ଘ ସମୟ ଧରି କାଶ, ଶ୍ୱାସକ୍ରିୟାରେ ସମସ୍ୟା ଓ ଥକା ଲାଗିବା ଭଲି ସମସ୍ୟା ଭୋଗୁଛନ୍ତି ।

ରକ୍ତଚାପ: ଗବେଷଣାରେ ସାମନାକୁ ଆସିଥିବା ତଥ୍ୟ ଅନୁଯାୟୀ ମହାମାରୀ ପରେ ଲୋକଙ୍କ ମଧ୍ୟରେ ରକ୍ତଚାପ ଜନିତ ରୋଗ ବଢିଛି । ସବୁ ବୟସର ଲୋକଙ୍କ କ୍ଷେତ୍ରରେ ଉଚ୍ଚ ରକ୍ତଚାପ ଜନିତ ରୋଗ ଦେଖା ଦେଉଛି । ଏହାସହ ହୃଦୟ ଜନିତ ସମସ୍ୟା ମଧ୍ୟ ବଢୁଛି । ହାର୍ଟ ଆଟାକ, ଷ୍ଟ୍ରୋକ, ଇରେଗୁଲାର ହାର୍ଟ ବିଟ୍‌, ହାର୍ଟ ଫେଲ୍‌ ଭଳି ସମସ୍ୟା ବଢିଛି ।

ମଧୁମେୟ: ମଧୁମେୟ ରୋଗୀଙ୍କୁ କୋଭିଡ ଯୋଗୁଁ ବେଶି ସମସ୍ୟା ଭୋଗିବାକୁ ପଡ଼ିଛି । ସେମାନଙ୍କ ଚିକିତ୍ସା କୋଭିଡ ସମୟରେ ଭଲଭାବେ ହୋଇପାରି ନଥିବା ଯୋଗୁଁ । ପରବର୍ତ୍ତୀ ସମୟରେ ଏହି ରୋଗ ଜନିତ ସମସ୍ୟା ବଢିଛି ।

କଣ କଲେ ହେବନାହିଁ କ୍ରୋନିକ ରୋଗ?
କ୍ରୋନିକ ରୋଗ ଆମର ଜୀବନଶୈଳୀ ଓ ଖାଦ୍ୟାଭ୍ୟାସ ସହ ଜଡ଼ିତ ହୋଇଥାଏ । ଏକ ସୁସ୍ଥ ଜୀବନଶୈଳୀ ଆପଣେଇ ଆପଣ ଏହି ରୋଗ ମାନଙ୍କ କବଳରୁ ନିଜକୁ ବଞ୍ଚାଇ ପାରିବେ । ଏକ ହେଲଦି ଡାଏଟ ଏହି ସମସ୍ୟାକୁ ଦୂରେଇ ଦେବ । ଏହାସହ ଆମକୁ ନିୟମିତ ଭାବେ ବ୍ୟାୟାମ କରିବାକୁ ପଡ଼ିବ । ମାଦକ ଦ୍ରବ୍ୟ ତଥା ଧୂମ୍ରପାନଠୁ ନିଜକୁ ଦୂରେଇ ଦେବାକୁ ପଡ଼ିବ । ଏହାସହ ଆମକୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଉଚିତ । ଫଳରେ ଯଦି ସେପରି କିଛି ରୋଗ ଆମକୁ ଆକ୍ରାନ୍ତ କରୁଥାଏ, ଆମେ ପୂର୍ବରୁ ଜାଣି ପାରିବା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.