ଶରୀର ପାଇଁ କ୍ଷତିକାରକ ହୋଇପାରେ ଅଧିକ ସାଲାଡ ସେବନ, ଜାଣନ୍ତୁ କେଉଁ ସମୟରେ ସାଲାଡ ଖାଇବା ଶରୀର ପାଇଁ ଉପକାରୀ

ସୁସ୍ଥ ଶରୀର ପାଇଁ ଯେତିକି ପୁଷ୍ଟିକର ଆହାର ଦରକାର ସେତିକି ପରିମାଣର ସାଲାଡ ମଧ୍ୟ ଖାଇବା ଉଚିତ। କିନ୍ତୁ ଅଧିକାଂଶ ସମୟରେ ଲୋକ ଭୁଲ ଉପାୟରେ ସାଲାଡ ସେବନ କରିବା ସ୍ବାସ୍ଥ୍ଯ ପ୍ରତି ହାନିକାରକ ହୋଇପାରେ। ଭୋଜନ ସମୟରେ ସାଲାଡ୍ ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ସାଲାଡ୍ ଖାଇବା ଦ୍ବାରା ଶରୀରକୁ ପର୍ଯ୍ୟାପ୍ତ ପୋଷକ ମିଳିଥାଏ। ରୋଷେଇ ପରେ କିଛି ଭିଟାମିନ୍ ନଷ୍ଟ ହେଉଥିବା ବେଳେ ସାଲାଡ୍ ଖାଇଲେ ବିଭିନ୍ନ ଭିଟାମିନ୍ ଶରୀରକୁ ମିଳିଥାଏ। ସାଲାଡ୍ ଜରିଆରେ ଶରୀରରେ କେବଳ ଭିଟାମିନ୍ସ ନୁହେଁ, ମିନେରାଲ୍ସ ଏବଂ ଫାଇବର ଚାହିଦା ପୂର୍ଣ୍ଣ ହୋଇଥାଏ।
ଯଦିଓ ସାଲାଡ୍ ଖାଇବା ଶରୀର ପାଇଁ ଲାଭଦାୟକ ତେବେ ଅନେକ ଲୋକ ଏହା ଖାଇବାର ଉପାୟ ସମ୍ପର୍କରେ ଅବଗତ ନଥାନ୍ତି ? ସେଥିପାଇଁ ଅନେକ ଥର ସାଲାଡ୍ ଖାଇବା ବି ମହଙ୍ଗା ସାବ୍ୟସ୍ତ ହୋଇଥାଏ। ବିଶେଷ କରି ବର୍ଷାଋତୁରେ ସାଲାଡ୍ ଖାଇବାକୁ ନେଇ ବେଶ ସତର୍କ ହେବା ଜରୁରୀ।

ଡାଏଟେସିଆନ୍ଙ୍କୁ ଯଦି ଆପଣ ପଚାରିବେ ତେବେ ସେ ଖାଇବା ସହିତ ସାଲାଡ୍ ଖାଇବାକୁ ଆଦୌ ପରାମର୍ଶ ଦେବେ ନାହିଁ। ଡାଏଟେସିଆନଙ୍କ ମତରେ ଖାଦ୍ୟ ଖାଇବା ପୂର୍ବରୁ ସାଲାଡ୍ ଖାଇବା ଦରକାର। ଖାଦ୍ୟ ଖାଇବାର ଅତିକମରେ ଅଧଘଣ୍ଟା ପୂର୍ବରୁ ସାଲାଡ୍ ଖାଇବା ଭଲ। କାରଣ ଏହା ଦ୍ବାରା ଆପଣଙ୍କର ଭୋକ କମ୍ ହେବ ଯାହାଦ୍ବାରା ରୁଟି କିମ୍ବା ଭାତ କମ୍ ଖାଇବେ। ଏଭଳି ହେଲେ ଶରୀରକୁ କମ୍ କାର୍ବୋହାଇଡ୍ରେଟ୍ ଯିବ। ଓଜନ କମିବା ସାଙ୍ଗକୁ ଶରୀରକୁ ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍, ଫାଇବର, ଭିଟାମିନ୍ ଏବଂ ମିନେରାଲ ମିଳିଯିବ।

salad

ବିଶେଷଜ୍ଞଙ୍କ ମତରେ ସାଲାଡରେ ଲୁଣ ପକାଇବା ଜରୁରୀ ନୁହେଁ। ଯଦି ଲୁଣ ପକାଉଛନ୍ତି ତେବେ କଳା ଲୁଣ କିମ୍ବା ସନ୍ଧୈବ ଲବଣ ପକାନ୍ତୁ। ବର୍ଷା ସମୟରେ ବ୍ୟାକ୍ଟେରିଆ ଅଧିକ ସକ୍ରିୟ ହେଉଥିବା ବେଳେ ଏହି ସମୟରେ ସାଲାଡ୍ ପ୍ରତି ଧ୍ୟାନ ଦେବା ଜରୁରୀ। ସାଲାଡ୍ ଅଧିକ ସମୟ ଧରି ରଖିବା ଉଚିତ ନୁହେଁ। ରାତି ସମୟରେ ମଧ୍ୟ ସାଲାଡ୍ ଖାଇବା ଉଚିତ ନୁହେଁ। ବିଶେଷ କରି ରାତିରେ କାକୁଡ଼ି ଖାଇବା ଜମା ଉଚିତ ନୁହେଁ।