ମାତ୍ର ୧୦ ମିନିଟ୍ରେ ଘରେ ବନାନ୍ତୁ ସ୍ୱାଦିଷ୍ଟ ଓ ପୌଷ୍ଟିକ ଟମାଟୋ ପଲଉ
ଭାତ ଶରୀରକୁ ଶ୍ୱେତସାର ଯୋଗାଇବାର ଏକ ପ୍ରମୁଖ ମାଧ୍ୟମ। ଏଣୁ କଠିନ ପରିଶ୍ରମ କରୁଥିବା ଲୋକେ ପ୍ରତିଦିନ ଭାତ ଖାଇଥାନ୍ତି। ସେହିପରି ଟମାଟୋରୁ ଭିଟାମିନ୍-ସି ମିଳିଥାଏ। ଯଦି ଆପଣଙ୍କ ଭାତ ବଳି ପଡ଼ିଛି ତେବେ ସେଥିରେ ଆପଣ ଟମାଟୋ ପଲଉ ତିଆରି କରିପାରିବେ। ଚାଉଳ ଓ ଟମାଟୋକୁ ବ୍ୟବହାର କରି ଆପଣ ଘରେ ହିଁ ସ୍ୱାଦିଷ୍ଟ ଟମାଟୋ ପଲଉ ତିଆରି କରିପାରିବେ। ମାତ୍ର ୧୦ ମିନିଟ୍ରେ ଖାଦ୍ୟ ବନାଇବାକୁ ଚାହୁଁଥିଲେ ଟମାଟୋ ପଲଉ ହେଉଛି ଆପଣଙ୍କ ପାଇଁ ସଠିକ୍ ବିକଳ୍ପ। ଆସନ୍ତୁ ଜାଣିବା ଟମାଟୋ ପଲଉ ବନାଇବାର ବିଧି…
ଏହାସହ ପଢ଼ନ୍ତୁ: କେବଳ ସୌନ୍ଦର୍ଯ୍ୟ ନୁହେଁ ବରଂ ଏହିସବୁ ରୋଗର କାରଣ ସାଜିଥାଏ ବଡ଼ନଖ
ଆବଶ୍ୟକୀୟ ସାମଗ୍ରୀ:
ଭାତ- ୧ କପ୍
ଟମାଟୋ- ୩ଟା
କଞ୍ଚା ଲଙ୍କା- ୧ଟି
ଘିଅ- ୨ରୁ ୩ ଚାମଚ
ମଟର- ଅଧ କପ୍
କଟା ଧନିଆ- ୨ରୁ ୩ ଚାମଚ
ଭୃସଙ୍ଗ ପତ୍ର- ୮ରୁ ୧୦ ଚାମଚ
ଅଦା- ୧ ଇଞ୍ଚ
ଗରମ ମସାଲା- ୧ ଚାମଚ
ଜିରା- ୧ ଚାମଚ
ଲୁଣ-ଆବଶ୍ୟକ ଅନୁସାରେ
ଡାଲଚିନି- ଅଧ ଇଞ୍ଚ
ଲବଙ୍ଗ, ଗୋଲମରିଚ,ଅଳେଇଚ-୨ଟା
ପ୍ରସ୍ତୁତି ପ୍ରଣାଳୀ:
ପଲଉ ପାଇଁ ଟମାଟୋ ଓ ଲଙ୍କାକୁ ଭଲଭାବେ ବାଟି ଦିଅନ୍ତୁ। ସବୁ ମସଲା ଯଥା: ଡାଲଚିନି, ଅଳେଇଚ, ଲବଙ୍ଗ ଓ ଗୋଲମରିଚକୁ ଖଦଡ଼ିଆ କରି ପେଷି ଦିଅନ୍ତୁ। ଏବେ ପ୍ୟାନ୍ରେ ଘିଅ ଗରମ କରି ସେଥିରେ ମଟର ପକାଇ ଭାଜନ୍ତୁ। ମଟର ଟିକେ ଭାଜି ହୋଇଗଲେ ତାକୁ ଅନ୍ୟ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଏବେ ପୁଣି ଥରେ ପ୍ୟାନ୍ରେ ଘିଅ ପକାଇ ଜିରା, ପେଷା ହୋଇଥିବା ମସାଲା ପକାଇ ପୁଣି ଥରେ ଭାଜନ୍ତୁ। ଟିକେ ଭାଜି ହୋଇଗଲେ ସେଥିରେ ଟମାଟୋ ଓ ଲଙ୍କା ପେଷ୍ଟ ପକାଇ ଗୋଳାନ୍ତୁ। ପରେ ସେଥିରେ ଅଦା ପେଷ୍ଟ, ଭୃସଙ୍ଗ ପତ୍ର ପକାଇ କଷନ୍ତୁ। ମସଲା ଭଲଭାବେ କଷି ହୋଇଗଲେ ସେଥିରେ ମଟର, ଆବଶ୍ୟକୀୟ ଲୁଣ, ଧନିଆ ପତ୍ର ଓ ଭାତ ପକାଇ ଗୋଳାଇ ଦିଅନ୍ତୁ। ସମସ୍ତ ସାମଗ୍ରୀ ଭାତ ସହ ମିଶିଯିବା ପରେ ଅନ୍ୟ ଏକ ପାତ୍ରକୁ କାଢ଼ି ଗରମାଗରମ ପରଷନ୍ତୁ ଟମାଟୋ ପଲଉ। ପଲଉ ସହିତ ଆପଣ ଦହି କିମ୍ବା ଚିଲି ଆଇଟମ୍ ଖାଇପାରିବେ।